STORYMIRROR

Gayatri Singh

Others

4  

Gayatri Singh

Others

ବର୍ଷା

ବର୍ଷା

3 mins
534


ସମୟ ରାତି ବାରଟା ପରେ ହେବ । ସବୁଆଡେ ଶୁନ୍‌ଶାନ୍ । ଘର ସଦସ୍ୟ ସମସ୍ତେ ଶୋଇ ଯାଇଛନ୍ତି । ତା ଆଖିରେ ନିଦ ନାହିଁ । ଅନ୍ଧକାର ଭିତରେ କାନ୍ଥଘଂଟା ଆଡକୁ ଚାହିଁ ରହିଛି । ରାତିର ଘନ ଅନ୍ଧକାର ସହିତ ଘଂଟାର ଟିକ୍‌ଟିକ୍ ଶବ୍ଦ ତାଳ ଦେଇ ଚାଲିଛି । ବେଳକୁ ବେଳ ଘଂଟାର ଟିକ୍ ଟିକ୍ ଶବ୍ଦ ତୀବ୍ରତର ହେଉଛି । ତାକୁ ଲାଗୁଛି ଯେମିତି ତାର କାନ ଫାଟିଯିବ । ହେଲେ ତାକୁ ଏମିତି କାହିଁକି ମନେ ହେଉଛି । ବର୍ଷା ଦିନ ନହେଲେ ବି ଲଘୁଚାପ ପାଇଁ ଦୁଇ ଦିନ ହେଲା ଝିପି ଝିପି ଲାଗି ରହିଛି । ଶୀତ ହେବାରୁ ବେଡ ରେ ପଡିଥିବା ବେଡସିଟ କୁ ଟାଣି ଆଣି ଘୋଡେଇ ହୋଇ ଶୋଇ ରହିଲା । ଶୋଇବାକୁ ଯେତେ ଚେଷ୍ଠା କଲେ ମଧ୍ୟ ନିଦ ଲାଗୁ ନାହିଁ । ବିତି ଯାଇଥିବା କଥା ଗୁଡିକ ତା ଆଗକୁ ଚାଲି ଆସୁଛି । ବାରମ୍ବାର ସେହି ଦୃଶ୍ୟ ସେହି କଥା ତାର ମନେ ପଡିଯାଉଛି । ଟିକିଏ କଥାରେ କଥା କଟାକଟି ହୋଇ ମୁକ୍ତି ବାପ ଘରକୁ ଚାଲି ଆସିଲା । ପ୍ରବୀର ବି ଆଉ ନେବାକୁ ଆସିଲେନି । ଉଭୟ ଉଭୟ ଙ୍କ ସ୍ୱାଭିମାନ କୁ ଜାବୁଡି ଧରିଛନ୍ତି । କେହି ନିଜ ଭୁଲ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । କଣ ସେ ସ୍ୱାମୀ ହୋଇଛନ୍ତି ବୋଲି ତାଙ୍କର ସବୁ କଥାରେ ମୁଁ ଚଳିବି, ତାଙ୍କର ସବୁ କଥାକୁ ମୁଁ ମାନିବି । ମୋର ମନ ବୋଲି କିଛି ନାହିଁ ଏହା ହେଲା ମୁକ୍ତି ର ପକ୍ଷ । ସେପଟେ ପ୍ରବୀର ବି ନିଜ ଜିଦିରେ ଅଟଳ । ସେ ଯେମିତି ତା ବାପ ଘରକୁ ଯାଇଛି ସେମିତି ଆସିବ । ମୁଁ କାହିଁକି ଡାକିବି । ସ୍ୱାମୀ ସ୍ତ୍ରୀ ରେ ଯଦି ଝଗଡା ହେଲା ତା ହେଲେ ନିଜ ଭିତରେ ମୀମାଂସା ହୋଇ ପାରିଥ।।ନ୍ତା, ହେଲେ ମୁକ୍ତି ରାଗରେ ବାପ ଘରକୁ ଚାଲିଯାଇ କଥାଟାକୁ ଆହୁରି ବଢାଇଦେଲା । ଥାଉ ସେ ସେଠାରେ, ଦେଖିବି କେତେ ଦିନ ରହିବ । ଧିରେ ଧିରେ ସମୟ ବଢିବା ସହିତ ଦୁହିଁଙ୍କ ମନରେ ମଧ୍ୟ ପରିବର୍ତନ ହୋଇ ଗଲାଣି । ହେଲେ ନିଜ ନିଜର ଅହଂ କୁ ଛାଡିବାକୁ କେହି ବି ପ୍ରସ୍ତୁତ ନୁହଁନ୍ତି । ପ୍ରବୀର ନିଜେ ନ ଡାକିଲେ ମଧ୍ୟ ଅନେକ ଥର ବନ୍ଧୁ ବାନ୍ଧବ ଙ୍କ ହାତରେ ଖବର ଦେଇଛି ଆସିବା ପାଇଁ । ଶ୍ୱଶୁର ଘରକୁ ଫୋନ କରି ସିଧା ସଳଖ ମୁକ୍ତି ସହିତ କଥା ନହୋଇ ଶ୍ୱଶୁର ଶାଶୁ ଶଳା ଶାଳୀ ଙ୍କ ସହିତ କଥା ହୋଇ ଇଶାରା ଦେଇଛି ମୁକ୍ତିର ଆସିବାକୁ । ହେଲେ ମୁକ୍ତିର ସେଇ ଗୋଟିଏ ଜିଦି । ସେ ମୋତେ ନିଜେ ନଡାକିଲେ ମୁଁ ଯିବି ନାହିଁ । ଏମିତି ଅଭିମାନରେ ଅନେକ ଦିନ ଚାଲିଗଲାଣି । ଏମିତି ଏକ ଭଦୁଅ ର ଦ୍ୱିପହର । କେତେବେଳେ ବର୍ଷା ର ଝର ତ କେତେବେଳେ ଟାଇଁ ଟାଇଁ ଖରା ହେଉଛି । ତେଣୁ ପ୍ରବୀର ଛତା କି ରେନିକୋଟ କିଛି ନନେଇ ବାହାରକୁ ଚାଲି ଆସିଲା । କାମ ସରୁ ସରୁ ଟିକେ ଡେରି ହୋଇଗଲା । କୁଆଡେ ଥିଲା କେଜାଣି ବର୍ଷା ମାଡି ଆସିଲା । ରାସ୍ତାରେ ପାଣିର ସୁଅ ଛୁଟି ଚାଲିଛି । ବାଇକ ନେଇ ଯିବା ଆଉ ସମ୍ଭବ ହେଉନାହିଁ । ବାଇକ କୁ ଗୋଟେ ଦୋକାନ ରେ ରଖି ବର୍ଷା ରେ ଭିଜି ଭିଜି ଚାଲିଲେ । ହଠାତ ସେ ଅନୁଭବ କଲେ ତାଙ୍କ ପାଦ ପାଖରେ ଆଉ ଗୋଟିଏ ପାଦ ଚାଲିବା ଆରମ୍ଭ କରିବା ସହିତ ତାଙ୍କ ମୁଣ୍ଡ ଉପରେ ଛତା ଟିଏ ମଧ୍ୟ ରହିଛି । ଛତା ଟାକୁ ଟିକେ ଟେକି ଧରି ମୁକ୍ତି କହିବା ଆରମ୍ଭ କରିଦେଲା, ପାଖରେ ମୁଁ ନାହିଁ ବୋଲି ମନ ଇଚ୍ଛା କାମ ଚାଲିଛି ତୁମର । ହାତରେ ଛତା ନାହିଁ କି ଦେହରେ ରେନିକୋଟ ନାହିଁ । ବର୍ଷା ଛାଡିବା ପର୍ଯ୍ୟନ୍ତ ଅପେକ୍ଷା କରିବା କଥା ନା ନାହିଁ? ଦେହ ଖରାପ ହେଲେ କିଏ ବୁଝିବ । ମୁଁ ତ ପାଖରେ ନାହିଁ । କେତେବେଳୁ ତମକୁ ଦେଖୁଛି । ଦେହ ସହିଲା ନାହିଁ ଚାଲି ଆସିଲି । ପ୍ରବୀର ଚୁପଚାପ ଛତା ତଳେ ଚାଲିବା ବନ୍ଦ କରି ମୁକ୍ତି କୁ ଚାହିଁଛି । ପ୍ରବୀର କହିଲେ ଏବେ ଯିବା ମୋ ଘର ନୁହେଁ ତୁମ ଘରକୁ । ‘ନା ଆମ ଘରକୁ’ କହି ମୁକ୍ତି ଆଉ ପ୍ରବୀର ଗୋଟିଏ ଛତା ତଳେ ପାଣି ସୁଅରେ ଚାଲିବା ଆରମ୍ଭ କଲେ ।


Rate this content
Log in