Amiya Bej

Others

4  

Amiya Bej

Others

ବୋଝ

ବୋଝ

3 mins
13.5K


✿ ବୋଝ ✿

{୧} - ନିଜ ହାତରେ ଚା' ଟିକେ ତ଼ ବନାଇ ଶିଖ ! ରୋଗ ବିଛଣାରୁ ଥାଇ ବହୁବାର ଏଇ ଉପଦେଶ ଦିଏ ସୌମ୍ୟା । ତାକୁ ବେଶ୍ ଜଣା ଯେ , ମୁଁ ଏଇ ଚାକରବାକର ଙ୍କ ହାତରେ , ରଂଧାଘର ର ଚାବି ପସନ୍ଦ କରେନାହିଁ । - ଶିଖିବି ଶିଖିବି । ପ୍ରତିଥର ପରି ଉତ୍ତର ଫେରାଏ ମୁଁ । - ମୁଁ ଚାଲିଯିବି । ସତକହୁଛି , ତୁମ ଭାଗ୍ୟରେ କଷ୍ଟ ଲେଖାଅଛି । ତୁମପାଇଁ ନର୍କ ରେ ଥାଇ ଲୁହଗଡାଉଥିବି ଖାଲି । ନିଜ ବୋଝ ନିଜେ ଉଠାଇଶିଖ ପ୍ରିୟ । - ଚୁପ୍ କର । ଓୗଷଧ ଖାଇଛ । ବକର୍ ବକର୍ କରନା । ସୌମ୍ୟା ଲୁହ ଜକାଉ ଥିଲା , ମୁଁ ବି !!

{୨} ଉତ୍କଣ୍ଠା : ଭୃଣରୁ ଭୂମିଷ୍ଠ ହେବାଯାଏଁ ! ଉତ୍କଣ୍ଠା : ମୃତ୍ୟୁରୁ ମାଟିରେ ମିଶିଯିବା ଯାଏଁ !! ସୌମ୍ୟା ମାଟିରେ ମିଶିଗଲା । ପୂର୍ବପ୍ରସ୍ତୁତ ଥିବାରୁ କାହାକୁ ସେତେ କଷ୍ଟ ହୋଇନଥିଲା । ଯେତିକି , ଆତ୍ମୀୟ ଟେ ସକାଳୁ ସକାଳୁ ଅଚାନକ୍ ମରିଯାଏ । ଦୂରାବ୍ୟାଧି ତାକୁ ମୃତ୍ୟୁପଥର ଯାତ୍ରୀ ବନାଇ , ଆମ ସମସ୍ତଙ୍କୁ କଠୋର ପ୍ରାୟ କରିଦେଇଥିଲା । ଏବେପରା ନର୍କରେ ଥାଇ ମୋ'ପାଇଁ ଲୁହ ଗଡାଉଥିବ ଖାଲି ? ସବୁବେଳେ ତ ସେଇମିତି କହୁଥିଲା ସେ !

{୩} ନିଷ୍ପତ୍ତି ନେବାର ବେଳ - ଏ ବିଧୂର ବୁଢାବାପ ର ସ୍ଥାନ ଏବେ କେଉଁଠି ? ସଭିଙ୍କ ସହଜ ଉତ୍ତର - ଏକମାତ୍ର ସକ୍ଷମ ପୁଅ ପାଖରେ ନିଶ୍ଚିତ । ଏଠାକାର ଘରକୁ ଭଡା ଲଗାଇ , ପୁଅର କର୍ମକ୍ଷେତ୍ର କୁ ସ୍ଥାନାନ୍ତର ହେବାର ସୁବନ୍ଦୋବସ୍ତ ରେ ବ୍ୟସ୍ତ ସମସ୍ତେ !! ଅନ୍ୟୋନପାୟ ହୋଇ ଛାଡ଼ିଯିବାକୁହେବ ବର୍ଷ ବର୍ଷର ମୋହକୁ । ସୌମ୍ୟାକୁ !!

{୪} ମୁଁ ! ମୋ' କାମିଜ୍ ସବୁ , ପୁରୁଣା ଚାଦର , ଆମ ବାହାଯୋଡ଼ା, ପୁଅର ଛୋଟବେଳର କପଡାରୁ ଦି'ହଳ, ଫୋଲ୍ଡିଂ ଛତା , ତିନିସେଲିଆ ଟର୍ଚ, ଢେରଦିନୁ ସୌମ୍ୟା ପୂଜା ନ'କରିପାରିଥିବା ତାରିଣୀଙ୍କ ଫଟୋ, ଶ୍ରୀମଦ୍ ଭଗବତ୍ ଗୀତା , କାହ୍ନୁ - ମନୋଜଙ୍କ ପ୍ରିୟ ବହିସବୁ , ମୋର କିଛି ବଦଭ୍ୟାସ ଡବାମାନେ , ପ୍ରେସର୍-ଡାଇବେଟିସ୍ ର ନିତିଦିନିଆ ଓୗଷଧ ଆଉ ଚିଠା , ସୌମ୍ୟାର ବନ୍ଧେଇ ଫଟୋଟିଏ ..॥ ଏସବୁ କୁ ଯୋଡିଲେ ଗୋଟେ ପୁରା ସଂସାର । କାହାକୁ ଛାଡ଼ି ହେବନି । ଯିବେ ମୋ'ସହ ଶେଷଯାଏଁ । ଅବସରବେଳେ ଉପହାର ମିଳିଥିବା , ପାଞ୍ଚ ପ୍ୟାକେଟିଆ ବଡ ବ୍ୟାଗ୍ ଟିରେ ଜାକିଜୁକି ସବୁତକ ପୂରାଇଲାରୁ , ମଣିଷଟେ ବନିଗଲା ସେ ନିର୍ଜୀବ ଟି !!

{୫} ଗାଡିରୁ ଷ୍ଟେସନ୍ ଯାଏଁ ନେଉନେଉ ଦଫା ବାହାରିଗଲା ସଭିଙ୍କର । ଯୋଡାଏ କୁଲି ଆସି ପଚାରୁଥିଲେ - ତିନି ନମ୍ବର କୁ ତିନିଶହ ! - ତିନିଶ ! ଦର୍କାର ନାଇଁ । ସମସ୍ତେ ନିଜନିଜର ବ୍ୟାଗ୍ ଧରି ଚାଲ । ଅଯଥାରେ ପଇସା ଖର୍ଚ୍ଚ । ବୋହୂ କହୁଥିଲା ଏକଥା । ପୁଅ ବି ମୁଣ୍ଡ ହଲାଇଲା । ମୋତେ କଥାଟା ଯୁକ୍ତିଯୁକ୍ତ ଲାଗିଲା । କଷ୍ଟାର୍ଜିତ ଧନକୁ ସମ୍ଭାଳିବା ବି ତ ଘରକରଣା !!

{୬} ଆଗେଇ ଗଲେଣି ମୋ ସକ୍ଷମ ପୁଅ ବୋହୂ । ସଭିଙ୍କ ହାତରେ ନିଜନିଜର ବୋଝ । ମୋ' ହାତରେ ବି । ଫରକ୍ ଏତିକି ଯେ ସେମାନଙ୍କର ଚକାଲଗା ଆଉ ମୋର ବିନା ଚକାରେ !!! ମୁଁ ପଛେଇ ଯାଉଥିଲି ସେମାନଙ୍କଠୁଁ । ଏକ ରୁ ତିନି ନମ୍ବର ପ୍ଲାଟଫର୍ମ । ଯୋଜନ ଦୂର ! ପହଞ୍ଚିବାକୁ ହେବ ସେମାନଙ୍କ ସହ! ନାତିଟୋକା ଚିଲ୍ଲୋଉଥିଲା - - ଜେଜେ ବି ଫାଷ୍ଟ । ଟ୍ରେନ୍ ଛାଡ଼ିଦେବ । କୁଇକ୍ ।

{୭} କୋଣ ଚେୟାର୍ ରେ ଗୋଡ ଲମ୍ବେଇ ବସିଥିଲା ମାଇପି ଟେ ! ଅପରିଷ୍କାର , ଋଗଣ । ପାଗେଳି ଟେ କି କଣ । ମୋ' ଆଡେ ଚାହିଁ ହସିଲା - ହେ ବୁଢା , ହେ ବୁଢା !! ଡରିଗଲି ମୁଁ । ହାତରେ ଦୁନିଆ ଯାକର ଓଜନ । ପାରୁନଥିଲି ବୋହି । ମୁଣ୍ଡକୁ ଟେକି ତରତର ପାଦ କଲାରୁ ଖସି ମୁହଁମାଡି ପଡିଗଲି ଖୁବ୍ ଯୋର୍ ରେ । ପଛରୁ ସୌମ୍ୟା ଆସି କହୁଥିଲା - " ମୁଁ ଚାଲିଯିବି । ସତକହୁଛି , ତୁମ ଭାଗ୍ୟରେ କଷ୍ଟ ଲେଖାଅଛି । ତୁମପାଇଁ ନର୍କ ରେ ଥାଇ ଲୁହଗଡାଉଥିବି ଖାଲି । ନିଜ ବୋଝ ନିଜେ ଉଠାଇଶିଖ ପ୍ରିୟ ।"

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in