ବୋହୂର ବୁଦ୍ଧି
ବୋହୂର ବୁଦ୍ଧି




ବୁଢାର ଛୁଞ୍ଚିଟା ହଜିଯାଇଥାଏ । ସେ ଘର ଯାକ ଖୋଜିବୁଲୁଥାଏ । ଆଉ କହୁଥାଏ
“ହାୟ ! ମୋ ଲକ୍ଷେ ଟଙ୍କାର ଛୁଞ୍ଚିଟା ହଜିଗଲା ଲୋ ଏବେ ମୁଁ କେନ୍ତା କରିବି ।
ବୁଢାର ଛୁଞ୍ଚିଟା ତା ବୋହୂ ସିଲେଇ କରିବାକୁ ନେଇଥାଏ । ସେ ଯେମିତି ଶୁଣିଛି ତା ମୂଲ୍ୟ ଲକ୍ଷେ ଟଙ୍କା ...ଆଉ ଛୁଞ୍ଚିକୁ ନଦେଇ ଆପଣା ପାଖରେ ସାଇତି ରଖିଲା ।
ବୁଢା଼ ପୁଣି ଗୁଟେ ଛୁଞ୍ଚି ଆଣିଲା କୌଶଳ କରି ତା ବୋହୂ ତାକୁ ଚୋରେଇ ନେଲା । ଏମିତି ଯେତେଟା ଛୁଞ୍ଚି ସେ ଡୋକରା ବୁଢାଟା ଆଣୁଥିଲା ତା ବୋହୂ ସେସବୁ ଚୋରେଇ କରି ରଖୁଥିଲା ।
ବୋହୂ ପାଖରେ ଏବେ ଗୁଡାଏ ଛୁଞ୍ଚି ହେଇଗଲାଣି । ସେ ତେଣୁ ଆଉ ଇନ୍ଦ୍ର ଚନ୍ଦ୍ର ମାନୁନାହିଁ । ବଡ଼ ଲୋକଙ୍କୁ ମାନ୍ୟ କରୁନି କି କାମ ଦାମରେ ମନ ଦେଉନି । ଏମନ୍ତ କି ନିଜ ଗେରସ୍ତକୁ ଵି କାମଦାମ ନକରି ତାକେ ବସି ରହି ଅନ୍ନଧ୍ଵଂସ କରିବାକୁ ପ୍ରଵର୍ତ୍ତାଉଛି । ସେଥିପାଇଁ ଶାଶୁଶଶୁର ସହିତ ତା’ର ସଦାବେଳେ କଳକଜିଆ ଲାଗେ । ହେଲେ ସେ କାହାକୁ ଵି ଛାଡେ଼ନି ।
ଶାଶୁ ଟା ବୋହୂର ଗୁଣ ଦେଖି ତାକୁ ଖାଆସେ କାଟେ(ଗାଳି କରେ) ବୋହୂ ଵା କୋଉ ଛାଡି଼ବା ଜନ୍ତୁ ସେ ଵି ଯଥାସାଧ୍ୟ ଉତ୍ତର ଦିଏ । ଏଣେ ବୋହୂ ତା ଗେରସ୍ତକୁ ବୁଢା଼ ବୁଢି଼ଙ୍କ ଵିରୋଧରେ କେତେ କଣ୍ ମତଉ ଥାଏ ।
କଥାରେ ଅଛି-
‘ପାଖରେ ସୁଏ, କାନରେ କୁହେ,ତା କଥା କି ଅନ୍ୟଥା ହୁଏ !’
ବୋହୂମାନଙ୍କ କାନକୁହା କଥାର ପ୍ରଭାବ କାଳେ କାଳେ ପଡି଼ଚି ଏଥର ଵା କିନାଗି ଅନ୍ୟଥା ହୁଅନ୍ତା । ବୋହୂ ଯୋଗୁଁ ଘରେ ଖାଆସେ କଳି ଝଗଡା଼ ଲାଗିଲା । ଏଣେ ପୁଅ ଆଉ କାମକୁ ନଯାଇ ଗାଆଁରେ ବୁଲିଲା ।
ତହୁଁ ଦିନ କେତୁଟାରେ ସ୍ତ୍ରୀ ବୁଦ୍ଧିରେ ପଡି଼ ପୁଅ ବାପମାଆଙ୍କ ଠାରୁ ଭିନ୍ନେ ହେଇଗଲା ।
ଭିନ୍ନେ ହେଲାରୁ ପୁଅ ବୋହୂକୁ କହିଲା-
“ଦେଖେ ତୋ କଥାରେ ପଡି଼ କାମଦାମ କୁ ନଯାଇ ଘରଲୋକଙ୍କ ସହ ନାଗିକି ଭିନ୍ନେ ହେଲି ,ଏବେ ଆମେ କେମିତି ଘର ଚଳେଇବା ତୋ ପାଖରେ ଗୋଟାଏ ଉପାୟ ଅଛି ବୋଲି କହୁଥେଲୁ ତାହା କହ ତ” ....
ବୋହୂ ମୁଣ୍ଡକୁ ଏଣ୍ଡୁଅ ପରି ଦର୍ପରେ ଟେକି ଝଟକିରି ଯାଇ ଗୋଟାଏ ଥଳୀ ନେଇ ଆସିଲା ଆଉ ତହିଁ ମଧ୍ୟରୁ ଆଠ ଦଶୁଟା ଛୁଞ୍ଚି କାଢିଆଣି ତା ଗେରସ୍ତକୁ ଧରେଇ ଦେଇ କହିଲା....
“ହେଇ ନିଅ ତମ ବାପାଙ୍କ
ଲକ୍ଷ ଲକ୍ଷ ଟଙ୍କାର ଚୁଞ୍ଚି ..
ତାଙ୍କର ଛୁଞ୍ଚି ମୁଁ ଲୁଚେଇ ରଖୁଥିଲି
ସେ ସବୁବେଳେ ଲକ୍ଷେ ଟଙ୍କିଆ ଛୁଞ୍ଚିଟା ହଜିଗଲା ଲୋ ବୋଲି କହୁଥିଲେ ! ଏଇତକ ଵିକିଦେଲେ ଅତି କମ୍ ରେ ଆଠ ଦଶ ଲକ୍ଷ ଟଙ୍କା ତ ନିଶ୍ଚେଁ ମିଳିଯିବ....
ଗେରସ୍ତ ଵିଚରା ଛିଡାହୋଇ ଏସମସ୍ତ କଥା ଶୁଣୁଥିଲା ଓ ତା ସ୍ତ୍ରୀର ବୁଦ୍ଧି ଦେଖି ହସିବ ନା କାନ୍ଦିବ ଭାଳି ହେଉଥିଲା