ବିଶ୍ଵାସେ ମିଳଇ ହରି
ବିଶ୍ଵାସେ ମିଳଇ ହରି
ପ୍ରଚଣ୍ଡ ଗ୍ରୀଷ୍ମର ମଧ୍ୟାହ୍ନରେ ପଥିକଟି ଦିଗହରା ହୋଇ ମରୁଭୂମିରେ ଚାଲିଥାଏ । ଯୁଆଡେ ଅନାଉଥାଏ ଖାଲି ବାଲି ଆଉ ବାଲି । ଶୋଷରେ ଆଉଟୁପାଉଟୁ ହୋଇ ସେ ଖୋଜି ବୁଲୁଥାଏ କେଉଁଠୁ ଏକ ଜଳର ଉତ୍ସ । ଯାହା ଫଳରେ ସେ ତାର ତୃଷାର୍ତ ଆତ୍ମାକୁ ଶାନ୍ତି ଦେଇ ପାରିବ । ଟିକେ ଥକା ମାରି ବସି ବି ପାରୁ ନଥାଏ କାରଣ ତତଲା ବାଲିରେ ତାର ସର୍ବାଙ୍ଗ ଜଳିପୋଡ଼ି ଯାଉଥାଏ । ସେ ଈଶ୍ଵରଙ୍କୁ ମନେମନେ ପ୍ରାର୍ଥନା କଲା ହେ ପ୍ରଭୁ! ମୋତେ କେଉଁଠି ଏକ ଜଳଉତ୍ସ ର ସନ୍ଧାନ ଦିଅ ନଚେତ ଆଉ କିଛି ସମୟ ପରେ ମୋର ପ୍ରାଣବାୟୁ ଉଡିଯିବ । କିଛି ବାଟ ଯିବା ପରେ ତା ଆଖି ଆଗରେ ପଡିଲା ଗୋଟେ ନଳକୂପ,ବହୁ କଷ୍ଟରେ ଚାଲିଚାଲି ଯାଇ ତା ପାଖେ ପହଞ୍ଚିଲା ; କିନ୍ତୁ ସେ ଯାହା ଦେଖିଲା ତାକୁ ଦେଖି ସେ ଅବାକ ହୋଇ ଈଶ୍ଵର ତା ଅବସ୍ଥା ଉପରେ ବିଦ୍ରୂପ କରିଛନ୍ତି ବୋଲି ଭାବି ଖୁବ କଷ୍ଟ ପାଇଲା । ସେଠି ସେ ଦେଖିଲା ଯେ ନଳକୂପଟି ଏକଦମ ଶୁଷ୍କ ଯେତେ ଚେଷ୍ଟା କଲେବି ସେଥିରୁ ଟୋପାଟିଏ ବି ପାଣି ବାହାରୁନି, କିନ୍ତୁ ତା ପାଖରେ ଗୋଟେ ବୋତଲରେ ପାଣି ରଖାଯାଇଛି ଓ ତା ଉପରେ ଖଣ୍ଡେ କାଗଜରେ ଅଠା ମରାଯାଇ ଲେଖାଅଛି ଯେ "ପ୍ରଥମେ ଏ ପାଣିକୁ ନଳକୂପ ଭିତରେ ଭର୍ତିକର ଓ ତା ପରେ କିଛି ସମୟ ଚେଷ୍ଟାକର ଏ ନଳକୂପ ତୁମକୁ ପାଣି ଦେବ "।
ପଥିକଟି ବଡ ଚିନ୍ତାରେ ପଡିଗଲା ଭବିଲା ଯଦି ମୁଁ ଏ ବୋତଲଟି ଯାକ ପାଣିକୁ ନଳକୂପରେ ଭର୍ତି କରିବା ପରେ ଯଦି ପାଣି ନ ବାହାରିଲା ତେବେ ମୁଁ କଣ କରିବି ? ଭଲ ହେବ ମୁଁ ଏ ପାଣିକୁ ପିଇ ମୋ ଜୀବନଟାକୁ ଆଗ ରକ୍ଷା କରିଦିଏ , ତା ପରେ ଦେଖିବା , ଠିପି ଖୋଲି ପାଣି ବୋତଲକୁ ମୁହଁରେ ଲଗାଇବାକୁ ଯାଇଛି ତ ହଠ
ାତ ରହିଗଲା, ତା ଅନ୍ତର୍ମନ କହି ଉଠିଲା “ ଆରେ ତୁ ସିନା ଏ ବୋତଲଟି ଯାକ ପାଣି ପିଇ ବଞ୍ଚିଯିବୁ ହେଲେ ଏ ଶୁଷ୍କ ମରୁଭୂମିରେ ପାଣି ପାଇବାର ଯେଉଁ ଟିକକ ଆଶା ଓ ଭରସା ଅଛି ତୁ ତାକୁ ସବୁଦିନ ପାଇଁ ଶେଷ କରି ଦେବୁ ,ଆଉ ଯଦି ବି ତୁ ଏ ବୋତଲଟି ପାଣି ପିଇଯାଉ ଏତିକିରେ କଣ ତୋ ଶୋଷ ମେଣ୍ଟିବ?କିଛି ସମୟ ପରେ ପୁଣି ଶୋଷ ହେବ ତୁ ପୁଣି ପାଣି ଆଉ କେଉଁଠୁ ପାଇବୁ ?ଆଉ ତତେ ବାକି ରାସ୍ତା ପାଇଁ ପାଣି ବି ଦରକାର ପଡିବ,ତେଣୁ ପାଣିକୁ ଯଦି ବୋତଲରେ ଲେଖାଯାଇ ଥିବା ନିର୍ଦେଶ ଅନୁସାରେ ଉପଯୋଗ କରିବୁ ହୁଏତ ତତେ ପାଣି ପିଇବାକୁ ସୁଯୋଗ ମିଳିବ ଆଉ ବାକି ରାସ୍ତା ପାଇଁ ମଧ୍ୟ ପାଣିକୁ ମୁଣାରେ ଭରିକି ନେଇ ଯାଇ ପାରିବୁ ”
ପଥିକଟି ବଡ ଦ୍ଵନ୍ଦରେ ପଡିଗଲା । ଏପରି ତ୍ରିଶଙ୍କୁ ଅବସ୍ଥାରେ ପଡିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି ସେ ଭାବି ନେଲା ,ତଥାପି ଈଶ୍ଵରଙ୍କୁ ସ୍ମରଣ କରି ବୋତଲଟି ଯାକ ପାଣି ସେ ନଳକୂପରେ ଭର୍ତି କରିଦେଲା ଓ ନଳକୂପର ହ୍ୟାଣ୍ଡଲକୁ ଧରି ପାଗଳଙ୍କ ଭଳି ତଳ ଉପର କରିବାକୁ ଲାଗିଲା କିଛି ସମୟ ପରେ ସେ ଯାହା ଦେଖିଲା ତାକୁ ଦେଖି ତାର ଆଶ୍ଚର୍ଜ୍ୟ ର ସୀମା ରହିଲା ନାହିଁ । ସେ ଦେଖିଲା ଯେ ନଳକୂପରୁ ନୀରବଛିନ୍ନ ଭାବେ ମିଠା ପାଣି ବାହାରୁଚି ,ନିଜେ ପେଟେ ପାଣି ପିଇଲା,ପାଖରେ ରଖିଥିବା ମୁଣାରେ ପାଣି ଭର୍ତିକଲା,ଈଶ୍ଵରଙ୍କୁ ଧନ୍ୟବାଦ ଜଣେଇଲା ଏବଂ ଶେଷରେ ସେଇ ଖାଲି ବୋତଲଟିରେ ପାଣିଭର୍ତି କରି ସେଥିରେ ଲାଗି ଥିବା କାଗଜରେ ଆଉ କିଛି ପଦ ଯୋଗ କରି ଲେଖିଦେଲା ଯେ:
“ପ୍ରଥମେ ଏ ପାଣିକୁ ନଳକୂପ ଭିତରେ ଭର୍ତିକର, ନିଜ ଉପରେ ଏବଂ ଈଶ୍ଵରଙ୍କ ଉପରେ ବିଶ୍ଵାସ ରଖ ଓ ତା ପରେ କିଛି ସମୟ ଚେଷ୍ଟାକର ଏ ନଳକୂପ ତୁମକୁ ନିଶ୍ଚୟ ପାଣି ଦେବ” ।