ଭୋକ
ଭୋକ
ଭାତ ଫୁଟିଲା। ତା'ର ବାସ୍ନା ଚହଟିଗଲା। ସେହି ବାସ୍ନା ନାକରେ ବାଜିବାରୁ ମୁକ୍ତିର ଭୋକ ବଢ଼ିଗଲା।ବସ୍ତାନୀ ଛାଡି ସେ ଯାଇ ପାଚିକା ପାଖରେ ହାଜର ହୋଇଗଲା।
- ' କିରେ, କୁଆଡେ ଆସିଗଲୁ ? ' ପାଚିକା ସ୍ନେହର ସହିତ ପଚାରିଲା।
ମୁକ୍ତିର ମନେପଡିଲା ତା' ମା'ର କଥା। କାନ୍ଧରେ ବସ୍ତାନୀ ଦେଲାବେଳେ ମା' କହିଥିଲା - ' ଭଲକରି ପେଟ ପୂରେଇ ଖାଇଦବୁ ଯେ ପୁଣି କାଲି ଯାଏ ଭୋକ ନ ଥିବ।ଦେଖୁଚୁତ ଘରେ ତିନି ଦିନ ହେଲା ଚୁଲି ଜଳୁନି।'
କାଲି ସ୍କୁଲରେ ଖାଇଦେଇ ଯାଇଥିଲା ସେ।ଏଯାଏ ଆଉ କିଛି ବି ଖାଇନି। ହେଲେ ସତକଥା ସେ କ'ଣ କହିପାରିବ ପାଚିକା ଦିଦିକି ! ନା,କହିପାରିବନି। ପିଲା ହେଲେବି ସେ ଜାଣେ ବାହାରେ ସବୁକଥା କହିହୁଏ,କିନ୍ତୁ ଭୋକ ଲାଗୁଛି ବୋଲି କହି ହୁଏନାହିଁ। ତେଣୁ ଟିକେ ହସିଦେଇ କହିଲା - ' ପାଚିକା ଦିଦି,ତୁମକୁ ଦେଖିବାପାଇଁ ଆସିଥିଲି। ତୁମେ କେତେ ଭଲ! ସବୁଦିନେ ରୋଷେଇ କରୁଛ। ଆମ ଘରେ ...।' ଆଉ କିଛି କହିଲାନି ସେ।
ଆମ ଘରେ ତିନି ଦିନ ହେଲା ଚୁଲି ଜଳୁନି।ସତରେ ଏକଥା କେମିତି କହିଥାନ୍ତା ସେ !
ପେଟ ଭିତରେ ଭୋକର ଉତ୍ପାତ ବଢୁଥିଲା। ସେ ବୁଲିପଡି ଫେରିଆସିଲା। ଆସି ତା'ର ବସ୍ତାନୀ ପାଖରେ ବସିଲା।
- ' ସାର୍ କାଲି ଯାହା ଗଣିତ ଆଉ ପଦ୍ୟ ଦେଇଥିଲେ କରି ଆଣିଛୁ ? ' ପାଖ ପିଲାଟି ପଚାରିଲା।
- ' ମୋ ମୁଣ୍ଡରେ କିଛି ବି ପଶୁନି ,ସାଙ୍ଗ। ଭାବୁଛି ଆଜି ବି ମିଛ କହିଦେବି।ମା' ଦେହ ଖରାପ ଅଛି।' ସେ କହିଲା।
- ' କାହିଁକି ତୁ ସବୁଦିନେ ମିଛ କହୁଛୁ ଏମିତି ? ' ସାଙ୍ଗ କହିଲା।
ପେଟରେ ଭୋକ ଥିଲେ ମିଛ କ'ଣ ଚୋରି ବି କରିବାକୁ ହୁଏ। ହେଲେ ଏତକ କହିପାରିଲାନି ସେ।କହିଲା - ' ଛାଡ଼ ସେକଥା। ତୁ ତ କେବେ ସ୍କୁଲରେ ଖାଉନୁ।ଆଜି ଖାଇବୁ ?'
- ' ନା,ମୁଁ ପେଟପୂରା ଖାଇ ଆସିଛି।' ସାଙ୍ଗ କହିଲା।
- ' ପିଲାମାନେ, କାଲି ଯାହା ପଢ଼ା ଦେଇଥିଲି କରିଛ ? ' ଏତିକିବେଳେ ସାର୍ ପହଞ୍ଚି ପଚାରିଲେ।
ସମସ୍ତେ ଚୁପଚାପ, ନିରବ।
ମୁକ୍ତି ଠିଆହେଲା।କହିଲା - ' ସେକଥା କିଛି ପଚାରନ୍ତୁ ନାହିଁ, ସାର୍।'
- ' କାହିଁକି!କ'ଣ ହେଲା ତୁମର ? '
- ' ଆଗ ପଚାରନ୍ତୁ କାହାକୁ ଭୋକ ଲାଗୁଛି। '
- ' ଭୋକ ! ' ପିଲାମାନେ ହସି ଉଠିଲେ।ସାର୍ ଆଶ୍ଚର୍ଯ୍ୟ ହେଲେ।
- ' ହଁ,ସାର୍। କୁହନ୍ତୁ କୋଉ କଥାଟା ବଡ଼ ?ପେଟର ଭୋକ ନା ବହିର ପାଠ ? ମତେ ଭୋକ ଲାଗୁଛି, ସାର୍। '
କୌଣସି ଉତ୍ତର ନ ଥିଲା ସାରଙ୍କ ପାଖରେ।
ମୁକ୍ତି ପୁଣି କହିଲା - ' ସାର୍, କହିବେ ତ ଭୋକର ଗଣିତ କଷିଦେବି। ଭୋକର ପଦ୍ୟ ଗାଇଦେବି କି,ସାର୍ ? '
ସ୍ତବ୍ଧ ସମସ୍ତେ।
ନିଜ ଭୋକର କଥା ଆଉ ମୁକ୍ତିର ମନରେ ନ ଥିଲା ସେତେବେଳେ।ସାରଙ୍କୁ ସତକଥା କହି ପାରିଥିବାରୁ ମନେମନେ ଖୁସି ହେଉଥିଲା ସେ।କାହିଁକି ଖୁସି ହୋଇନଥାନ୍ତା ! ! !