ଭକ୍ତର ଭଗବାନ।
ଭକ୍ତର ଭଗବାନ।
ଭାର୍ଗବୀ ନଈ କୂଳରେ ଏକ ଛୋଟିଆ ପଡା । ଚାରିପାଞ୍ଚଟା ବିସ୍ଥାପିତ ପରିବାର ଆସି ଆଶ୍ରୟ ନେଇଛନ୍ତି ନଈ କୂଳରେ । ରଙ୍ଗର ପରିବାର ବି ହିରାକୁଦ ବନ୍ଧ ହେଲାବେଳେ ପଶ୍ଚିମାଞ୍ଚଳରୁ ଉଠି ଆସି ଏଠି କୁଡିଆ କରି ରହି ଯାଇଥିଲେ । ରଙ୍ଗର ମାଆ ଏଠି ଆସି ମୁଢିଭାଜି ଚଳୁଥିଲେ । ବାପା ଯେତେବେଳେ ଯାହା କାମ ମିଳୁଥିଲା କରୁଥିଲେ । ନଈ କୂଳରେ ଦିନେ ରଙ୍ଗ ବୁଲୁ ବୁଲୁ ଦେଖିଲା ବାଲି ଭିତରେ ଏକ କଳାରଙ୍ଗର ପଥର । ତା ପାଖ ଆଖର ବାଲି ଆଡେଇଲା ପରେ ଜାଣିଲା ସେଇଟା ଏକ ଶିବଲିଙ୍ଗ କେବେଠୁ ସମୟର ପ୍ରବହମାନ ସ୍ରୋତରେ ବାଲିରେ ପୋତିହେଇଯାଇଛି । ନିଶ୍ଚୟ ଏଠି ମନ୍ଦିରଟେ ଥିଲା । ଯାହା ଧ୍ୱଂସପ୍ରାପ୍ତ ହେଇଛି । ଝଡ ବାତ୍ୟାବା ଭୂମିକମ୍ଫ କିଛିବି ଏହାର ଧ୍ୱଂସର କାରଣ ହେଇଥାଇପାରେ । ସେଦିନଠୁ ସେ ପ୍ରତିଦିନ ପାଣି ଢାଳେ ଧରି ସେଠି ପୂଜା କରିବାକୁ ଲାଗିଲା । ଜଙ୍ଗଲ ଭିତରେ ନଈର କୂଳରେ ଲାଗି ଶିବଲିଙ୍ଗର ଆଖ ପାଖରେ ଏକ ଛୋଟିଆ ବଣଟେ ସୃଷ୍ଟି ହୋଇଥାଏ । ବେଲଗଛଟେ ଉଠିଛି ଆପେ ଆପେ ଯିଏ ପ୍ରତିଦିନ ଝାଡିଦିଏ ଅନେକ ପାଚିଲା କଞ୍ଚାପତ୍ର ଶିବଲିଙ୍ଗ ଉପରେ । ବେଲ ଗଛର ମୂଳରେ ଏକ ଉଇ ହୁଙ୍କା ରହିଛି । ନଈ କୂଳ ହେତୁ ଚାରିଆଡେ ଛୋଟବଡ ଗୋଲଗୋଲ ରୁଗୁଡି ପଥରବିଛେଇ ହେଇଛି । ଯାହା ପାଣି ସ୍ରୋତରେ ଗଡିଗଡି ଆସିବା ଫଳରେ ଗୋଲଆକାର ପ୍ରାପ୍ତ ହେଇଛି । ରଙ୍ଗ ପ୍ରତିଦିନ ଗାଧୋଇସାରି ଲିଙ୍ଗ ଉପରେ ଜଳ ଚଢାଇ ଘରକୁ ଫେରିଯାଏ । ଏ ଭିତରେ ପାଖ ସହରର ଜଣେ ଯୁବକ ସହ ରଙ୍ଗର ବାହାଘର ହେଇଗଲା । ସେ ଯୁବକଟି ରାଜ ମିସ୍ତ୍ରୀ କାମ କରୁଥିଲା । କିଛି ବର୍ଷର ସୁଖର ଜୀବନ ବଞ୍ଚିଥିଲେ ସେମାନେ । ସେମାନଙ୍କର ପ୍ରେମର ସନ୍ତକ ହିସାବରେ ରାମୁ ଆସିଥିଲା ତାଙ୍କ ଅଗଣାର ଶୋଭା ବଢାଇବାକୁ । ହେଲେ ଦିନେ ଏକ ଦୁର୍ଘଟଣାରେ ତା ସ୍ୱାମୀ ଚାଲିଗଲା । ଏବେ ରଙ୍ଗ ପୁଣି ଫେରିଆସିଲା ବାପା ପାଖକୁ । ବାପା ମାଆ ବୁଢାବୁଢୀ ହେଇ ଯାଇଥିଲେ । କାମ କରିବାକୁ ଅକ୍ଷମ ଥିଲେ ଏବେ । ପୁଅଟା ପାଞ୍ଚ ବର୍ଷର ଥିଲା । ରଙ୍ଗ ଏବେ କେମିତି ପରିବାର ଚଳାଇବ ଚିନ୍ତାରେ ଥିଲା । ସେ ଏବେ ପୁଣି ଶିବଙ୍କ ପୂଜା କରିବା ଆରମ୍ଭ କରିଦେଲା । ଦିନେ ଆତୁର ଭାବରେ ଭୋଳନାଥଙ୍କୁ ନିଜ ଦୁଃଖ ଜଣାଇ ଫେରୁଥିବାବେଳେ ଦେଖିଲା ନାଗସାପଟିଏ ଉଇହୁଙ୍କା ଭିତରକୁ ଯାଇ ପଶିଗଲା । ହେଲେ ସାପ ଯୋଉ ଜାଗାରୁ ଗଲା ସେଠି ଏକ ଗୋଲ ଚକ୍ଚକ୍ ପଥର ପଡିଥିବା ସେ ଦେଖିଲା । ପଥରଟି ସେ ଉଠାଇ ଘରକୁ ଆସିଲା । ପରେ ପଥରଟା ଧରି ସେ ଏକ ଜୌହରି ପାଖକୁ ଯାଇ ଦେଖାଇଲା । ସେ ପଥର ସାଧାରଣ ପଥର ନଥିଲା । ତାହା ଏକ ହୀରା ଥିଲା । ତାରି ବଦଳରେ ସେ ବହୁତ ଗୁଡାଏ ଟଙ୍କା ପାଇଲା । ସବୁ ଟଙ୍କା ବ୍ୟାଙ୍କରେ ରଖି କିଛି ଟଙ୍କାରେ ମୁଢି ବ୍ୟବସାୟ କଲା । ରାମୁକୁ ଭଲ ସ୍କୁଲରେ ପାଠ ପଢାଇଲା । ହେଲେ ସେ ନିତିଦିନ ଶିବଙ୍କ ପୂଜା ଜାରିରଖିଥିଲା । ସେ ଭାବୁଥିଲା ଏସବୁ ସେଇ ଭୋଳାନାଥଙ୍କ କୃପାରୁ ମିଳିଛି । ପୁଅ ତାର ଭଲ ପଢୁଥିଲା । ପଢା ସରିବା ପରେ ସିଭିଲ ଇଞ୍ଜିନିୟର ଭାବେ ନିଜ ସହରରେ ଚାକିରି କଲା ।
ଆଜି ଦଶ ବର୍ଷ ହେଲାଣି ଚାକିରିକୁ । ନଈକୂଳରେ ତିଆରି ହେଇଛି ଏକ ସୁନ୍ଦର ଶିବ ମନ୍ଦିର । ମନ୍ଦିରର ପ୍ରତିଷ୍ଠା କାମ ଚାଲିଛି । ରଙ୍ଗ ପରି ଏକ ବିଧବା ମହିଳା ଏତେ ସୁନ୍ଦର ଭବ୍ୟ ମନ୍ଦିର ତିଆରି କରି ବା କଥା ଲୋକେ ବିଶ୍ୱାସ କରି ପାରୁନ ଥିଲେ । ସମସ୍ତେ ପଚାରୁଥିଲେ ଏସବୁ କେମିତି ସମ୍ଭବ ହେଲା ବୋଲି । ରଙ୍ଗ କହିଲା ଏସବୁ ଭଗବାନଙ୍କ ଅନୁଗ୍ରହରୁ ସମ୍ଭବ ହେଇଛି । ସେହିଁ ଯାହା ଦେଇଥିଲେ ତାକୁ ଠିକ୍ ଭାବେ ବିନିଯୋଗ କରି ସେ ଏ କାର୍ଯ୍ୟ କରି ପାରିଛି । ତାକୁ ମିଳିଥିବା ହୀରାର ମୂଲ୍ୟ ସେ ବ୍ୟାଙ୍କରେ ଜମା କରି ଦେଇଥିଲା । ପୁଅର ପଢା ଖର୍ଚ୍ଚ ପାଇଁ କିଛି ବିନିଯୋଗ କରିଥିଲା ପ୍ରଥମେ । ପରେ କିନ୍ତୁ ନିଜ ବ୍ୟବସାୟ ଭଲ ଚଳିବାପରେ ସେ ଆଉ ସେ ଟଙ୍କାରେ ହାତ ମାରିନି । ପୁଅ ଚାକିରି କଲାପରେ ମନ୍ଦିର ତିଆରିକାମରେ ସେ ବି କିଛି ସହଯୋଗ କଲା । ଭଗବାନଙ୍କ ଦୟାରୁ ସବୁ ସମ୍ଭବ ହେଲା । ଲୋକମାନ ତା କଥା ଶୁଣି କୁହାକୁହି ହେଉଥିଲେ ଆଜି ଯୁଗରେ ବି ଭକ୍ତର ଭଗବାନ କଥାଟି ପ୍ରମାଣିତ କରି ଦେଖାଇଦେଲେ । ଗରିବ ବିଧବା ରଙ୍ଗର ଭକ୍ତିରେ ସନ୍ତୁଷ୍ଟ ହେଇ ନିଜେ ନିଜ ପାଇଁ ମନ୍ଦିର ତିଆରିର ଅର୍ଥ ଯୋଗାଡ କରି ରଙ୍ଗର ନାମକୁ ପ୍ରଚାର କଲେ ଜଣେ ପ୍ରକୃତ ଭକ୍ତ ରୂପରେ । ଧନ୍ୟ ଭଗବାନଙ୍କର ଳିଳା । ଆଉ ଧନ୍ୟ ସେ ରଙ୍ଗ ।
