Amiya Bej

Others

3  

Amiya Bej

Others

ବଦମାସୀ

ବଦମାସୀ

2 mins
14.6K


ବଦମାସୀ

ଆରେ ! ଏ ପାଦ ନଖ ସବୁ ଏତେ ବଢିଗଲାଣି । ଆ' କାଟି ଦେବି । ସୁନାପିଲା ପରି ପାଦ ବଢାଇଦେଲା ମୋ'ରି ଆଡକୁ ସୋନୁ । ଆଛା ! ହାତ ନଖ ତ଼ ବଢିନି ? କେବେ କାଟିଥିଲୁ? ପଚାରିଲି । ଦାନ୍ତରେ ଛିଡାଇ ଖାଇଦେଇଛି । ହେ ହେ ହେ । ଈ ଈ... ଅସନା ପିଲା କେଉଠିକାର... କହି ମୁଁ ଟିକେ ହଲଚଲ ହୋଇଗଲାରୁ, ବ୍ଲେଡ଼ ବାଜିଗଲା ପୁଅ ପାଦ ଆଂଗୁଠିରେ । ଟିକେ କଟିଯାଇ ରକ୍ତ ବି ବାହାରିଲା । ଏଥର ତାକୁ କିଏ ଅଟକାଇବ ? କାନ୍ଦି କାନ୍ଦି ଘର ଫଟାଇଲା । ବ୍ୟସ୍ତ ହେ'ନା ପୁଅ, ଅଳ୍ପ ଟିକେ ବାଜିଛି । ଭଲହୋଇଯିବ । ଚାଲ୍ ନେଲ୍ ପଲିସ୍ ଲଗାଇଦେବା । ନାଇଁ ! ତୁମେ ଗନ୍ଧିଆ ବାପା । ଛାଡ଼ ମୋତେ । ମୋ ସହ କଥା ହୁଅନା କହି ଆଉରି କାନ୍ଦିଲା । କାନ୍ଦ ଶୁଣି ତା ମା ଧାଇଁଆସି ମୋତେ ଭଲକି ଦି'ପଦ ଶୁଣାଇବାରୁ ଚୁପ୍ ହେଲା ଧିରେ ଧିରେ । ଦୁଇଦିନ ଧରି କେତେ ଚକୋଲେଟ୍, କେତେ କାନଧରା, କେତେ ସରି କହିକହି ବାଟକୁ ଆଣିଲି ତାକୁ ।

ଆଜି ସଂଜବେଳେ ଅଫିସରୁ ଫେରି, ସୋନୁ କାହିଁ ? ପଚାରିବାରୁ ପତ୍ନୀ କହିଲେ, ସାଇକେଲ ନେଇ ଖେଳିବାକୁ ଯାଇଛି । ଅନ୍ଧାର ହେଲାଣି କହି ମୁଁ ବିରକ୍ତି ହେବା ଭିତରେ, ଗେଟ୍ ଖଡ଼ଖାଡ଼ ହେଲା । ଯାଇ ଦେଖିବାରୁ ସୋନୁକୁ ଧରିଧାରି ଆଣିଛନ୍ତି ତା'ର ଦୁଇ ସାଂଗ । ମଉସା ! ରାସ୍ତାରେ ସାଇକେଲରୁ ପଡିଗଲା । ଆଣ୍ଠୁ ପାଖରୁ ଛିଡିଯାଇ ରକ୍ତର ଧାର ଶୁଖିଗଲାଣି । ସାଇକେଲର ଆଗ ଚକା ବୋଧେ କାହା ସହ ମାଡ଼ ହୋଇ ବଙ୍କା ହୋଇଯାଇଛି । ଆମେ ଧାଇଁ ଯାଇ ତାକୁ କୋଳେଇ ନେଲୁ । ମୁଁ ଟିଟାନସ୍ ଆଉ ମରମପଟିର ବନ୍ଦୋବସ୍ତ କଲାବେଳେ , ହସିହସି ସୋନୁ କହୁଥାଏ- 'ବ୍ୟସ୍ତ ହୁଅନା ପାପା, ଅଳ୍ପ ଟିକେ ବାଜିଛି , ଭଲହୋଇଯିବ । ଏଥର ଦୁଇଦିନ ପାଇଁ ତା'ସହ କଥା ନହେବାର ବେଳ ବୋଧେ ମୋ'ର ଆସିଯାଇଥିଲା !!!'

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର


Rate this content
Log in