Amiya Bej

Others

3  

Amiya Bej

Others

✿ ବଡପୁଅ ✿

✿ ବଡପୁଅ ✿

2 mins
7.1K


{୧}

ମା' ଅଭଙ୍ଗା । ତା' ମମତାକୁ ନେଇ କଣ କେବେ ସନ୍ଦେହ କରିହୁଏ ? ତଥାପି ଦୁନିଆଯାକର ସାନ ପୁଅଝିଅ ମାନେ ଏକ ଅବୁଝାପଣରେ ଅଭିମାନ କରନ୍ତି ଯେ ମା' ବଡ ତୁଳନାରେ ସେମାନଙ୍କୁ ପାତର ଅନ୍ତର କରେ !! ଗୋଟାପଣେ ନ'ହୋଇ , ତା' ମା ପଣିଆକୁ କମବେଶି କରୁଥାଏ !!

ଆଉ କା'ଘରେ ହେଉକି ନ ହେଉ , ଆମ ଘରେ ତ ପକ୍କା ଏମିତି ହୁଏ । ଆମେ ସାନମାନେ , ଟାକି ବସିଥିବୁ , ତେଣେ କ୍ଷୀର ଉପରେ ବସିଥିବା ମୋଟା ସରକୁ , ଅଲଗା କରି ମା ଭାଇକୁ ଦେଇ କହେ -
- ବଡ ଭାଗ । ଖାଇପିଇ ଶିଘ୍ର ଯୋଗା' ହେବ !
ଆମର ନିଅଣ୍ଟିଆ ଘର । ଏପରି ଘରେ କେହି ଜିଦ୍ କରନ୍ତିନି । ବରଂ ଖୁବ୍ ଶୀଘ୍ର ମାନିଯାନ୍ତି । ବାପା ସଂସ୍କୃତ ଅବଧାନ । ତଥାପି ପିଲାଙ୍କୁ ଗଣିତ ବିଜ୍ଞାନ ଟ୍ୟୁସନ୍ ପଢାନ୍ତି । ଆଉ ରୋଜଗାର ପାଇଁ । ଆମପାଇଁ । ମା'କୁ ବୁଝାନ୍ତି , କିଏ ଜଣେ କୂଳରେ ଲାଗିଗଲେ ଦୁଃଖ ଯିବ ।

{୨}

ମୁଁ ଦୌଡ଼ରେ ନଥିଲି । କାରଣ ଦୌଡି ପାରୁନଥିଲି । ସେତେବେଳେ ପୋଲିଓ ବୁନ୍ଦା ନଥିଲା କି କଣ ! ମୁଁ ଅଯୋଗା ହୋଇ ଯାଇଥିଲି । ମଝିଆଁ ଭାଇ ଆଗ କୂଳରେ ଲାଗିଲା । ସେ ପିଲାଦିନୁ ତୀକ୍ଷ୍ଣ ଥିଲା । 
ମା, କୋଶୁଥିଲା ଏବେ ବଡଭାଇକୁ । ଦିନରାତି । କୁଳାଙ୍ଗାର କହି । ପିଲାଦିନୁ ଦେଇଥିବା ବଡଭାଗକୁ ମନେପକାଇ । 
ବାପା ସହୃଦୟ ଥିଲେ । ସେ ଭାଇକୁ କିଛି କହୁନଥିଲେ ।
ଭାଇ ଚେଷ୍ଟା କରୁଥିଲା । ତଥାପି ତାର ଗୋଟେ ଭାଗ୍ୟ ଥିଲା । ସେ ହତଭାଗ୍ୟ ଥିଲା ।

{୩}

ମା' ଜିଦ୍ କଲା , ଯେ ଆଗ ଯୋଗା ହେଲା , ତା ସଂସାର ଆଗ ବସୁ । ବଡ଼କୁ ଅନେଇ ସମସ୍ତଙ୍କୁ ବୁଢା କରିହେବନି । ବାପା , ମାକୁ ମୂର୍ଖ ଭାବନ୍ତି । ସେ ବଡକୁ କିଛି ଗୋଟେ ଧନ୍ଦା କରିବାକୁ ପରାମର୍ଶ ଦେଲେ । ଭାଇବି ଆଉ ଭାଗ୍ୟ ଅପେକ୍ଷାରେ ରହିଲାନି । ଛୋଟ ବ୍ୟବସାୟଟେ ଆରମ୍ଭ କରିଦେଲା । ମା'କୁ ଏକଥା  ଅପସନ୍ଦ ଲାଗିଲା !

ଏଥର ଏକା ସାଙ୍ଗେ ଦୁହିଁଙ୍କର ବା'ଘର ହୋଇଗଲା । ଭଉଣୀ ତ ଆଗରୁ ବିଦା ହୋଇସାରିଥିଲା । ମୋର ସଭିଙ୍କ ଭାଗରେ ଭାଗ ବସାଇବା ଛଡା କିଛି ହେବାକୁ ନଥିଲା ।

ଧୀରେ ଧୀରେ ସଜାଡି ହେଉଥିଲା ଘର । ମଝିଆଁ ଭାଉଜ ଦାମିକା ଥିଲେ । ବଡ ଭାଉଜ ଚଳନୀୟ ।

ମା , ମଝିଆଁ ଭାଇକୁ ଟିକେ ଅଧିକା ଦୃଷ୍ଟି ଦେଉଥିଲା , ଏଥିପାଇଁ ଯେ ସେ ବାହାରେ ରହୁଥିଲା । ଖୁବ୍ କମ୍ ଘରକୁ ଆସିପାରୁଥିଲା ।

{୪}

ବାପା କହିଲେ ଏବେ ଶାନ୍ତିରେ ମରିପାରିବି । କଥା ରଖିଲା ପରି ସେ ପର କରି  ଚାଲିବି ଗଲେ । ବିନା କିଛି କଷ୍ଟରେ ।
ସୁଖ ରଂଗ ଟିକେ ଲେସୁ ଲେସୁ , ପୁଣି ରଂଗଛଡା ହୋଇଗଲା ଆମଘର ।
ମନଯୋଗରେ ବାପାଙ୍କର କାମ ସାରିଲୁ । ବଡ ବସିଲା ପିଣ୍ଡରେ , ମଝିଆଁ ଖର୍ଚ୍ଚବାର୍ଚ ତୁଲାଇଲା , ମୁଁ ଗୁଣ୍ଡୁଚି ପରି ବାଲି ଝାଡୁଥିଲି ।  ମା କାନ୍ଦୁଥିଲା ଝୁରିଝୁରି ।

ବାରଦିନକୁ ମଝିଆଁ ତରତର ହେଲା । ବର୍ଷକର ଛୁଟି ସରିଗଲା ବୋଲି ବୁଝାଇଲା ସଭିଙ୍କୁ । ଆଉ, ସମସ୍ତଙ୍କୁ ପଛ କରି ନିଜ ପିଲାଙ୍କୁ ଧରି ଚାଲିଗଲା ତା କର୍ମସ୍ଥାନକୁ । ତାର ଅବଶ୍ୟ ଯିବାର ଥିଲା ।

ମଝିଆଁର ଯିବା ରାସ୍ତାକୁ ଚାହିଁ ,ମା'ର ଲୁହ ଶୁଖୁ ନଥିଲା । ସେ ବେଶି ବାହୁନିଲା ଆଉରି , ଯେମିତି ତା' ସାହା ଚାଲିଗଲା !

ଏ ସମୟରେ ବଡଭାଇ ଆସି ତା ମୁଣ୍ଡ ଆଉଁସି କେଜାଣି କାହିଁକି ଯେ କହିଲା -
- ବେସ୍ତ ହେଏନା । ମୁଁ ଅଛି । ତୋ' ବଡପୁଅ !!!

ମା' କଣ , ଆମେ ବି ସବୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲୁ ତା'ଆଡେ !!!!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in