Rajalaxmi Mohanty

Others

4.0  

Rajalaxmi Mohanty

Others

ବଡ ଭାଉଜ

ବଡ ଭାଉଜ

10 mins
219


ଯାହା ହେଉ ଭାଇ ବାହାଘର ଆଗରୁ ଆମର ନୂଆ ଘର କାମ ସମ୍ପୂର୍ଣ୍ଣ ହେଇଗଲା । ଆମେ ଭାଇ ଭଉଣୀ ତିନିଜଣ ସବୁ ଘର ସଜେଇବାରେ ଲାଗି ପଡିଲୁ । ଘର ସଜେଇବା ପାଇଁ ବହୁତ ଜିନିଷର ଆବଶ୍ୟକତା ଥିଲା । ଆମ ଘରେ କିଛି ବୋଲି କିଛି ଜିନିଷ ନଥିଲା । ସଜେଇଥାନ୍ତୁ କେଉଁଥିରେ । ସେମିତି ଖାଲି ବାସନ ଦି'ଖଣ୍ଡ ଆଉ ପୁରୁଣା ଡବାଡବି ଦି ଚାରିଟା ଆମର ପୋଷାକ ପତ୍ର । ସେତିକି ଯାହାତାକୁ ସଜାଡିବାକୁ କ'ଣ ବା ସମୟ । ବାପା ଆଗରୁ ଘର ବାଣ୍ଟିଦେଇଥିଲେ । ସବୁଠୁ ବଡ ବଖରାଟା ବଡ ଭାଇର । ତା ପାଖ ବଖରାଟି ସାନ ଭାଇର । ତା ସାମ୍ନା ବଖରା ବାପା ବୋଉଙ୍କର । ସବୁଠୁ ସାନ ବଖରା ମାନେ ଗେଷ୍ଟ ରୁମଟି ମୋର । ସେଇଟା କେବଳ ମୋର ନୁହେଁ । ଯିଏବି ଅତିଥି ଆସିବେ ସେଇଟା ତାଙ୍କର । ଅବଶ୍ଯ ମୁଁ ସେ ରୁମରେ ଶୁଏନି । ବୋଉ ପାଖରେ ତା ରୁମରେ ଶୁଏ । ତଥାପି ମୋର ପ୍ରବଳ ରାଗ ଯେ ମୋତେ ଅତିଥି ଭଳି ଭାବୁଥିବାରୁ । ଯିଏ ଏ ଘରର କେହିନୁହେଁ ତାକୁ ସବୁଠୁ ବଡ ବଖରା ମିଳିଥିବାରୁ । ଏଇ ଘର ବାପାଙ୍କର ଗୋଟେ ସ୍ୱପ୍ନ ଥିଲା । ସୀମିତ ସମ୍ବଳ ଭିତରେ ସେ ଘରଟିଏ କରିପାରିନଥିଲେ ଆମ ଭାଇ ଭଉଣୀଙ୍କ ପଢା ଖର୍ଚ୍ଚ ଉଠଉ ଉଠଉ । ତେଣୁ ରିଟାଏର୍ଡ ପରେ ପରେ ଏଇ ଘରଟି ତିଆରି କରିବା ଆରମ୍ଭ କରିଥିଲେ । ଦୁର୍ଭାଗ୍ୟକୁ ଘର କାମ ମଝିରେ ବାପାଙ୍କର ଦେହ ଅସୁସ୍ଥ ହେଇପଡିଲା । ମେଡିକାଲରେ ଗୋଟେ ମାସ ପଡିଲେ । ଘର ତିଆରି ଟଙ୍କାରୁ ଅଧା ସେପଟେ ପଳେଇଲା । ତଥାପି ବାପା ବଞ୍ଚିଲେନି । ମାସେ ପରେ ଚାଲିଗଲେ ଅଫେରା ରାଇଜକୁ । ତାଙ୍କ ଶୁଦ୍ଧିକ୍ରିୟାରେ ବି ବେଶ୍ କିଛି ଟଙ୍କା ଖର୍ଚ୍ଚ ହେଇଗଲା । ସେତେବେଳକୁ ବଡ ଭାଇର ଚାକିରି ହେଇସାରିଥିଲା । ତେଣୁ ବାପାଙ୍କର ସ୍ୱପ୍ନର ଘର ଅଧା ରହୁ ରହୁ ବଡଭାଇ ତାକୁ ସମ୍ଭାଳି ନେଲେ । ବହୁକଷ୍ଟେ ମଷ୍ଟେ ପରିବାରର ସବୁ ସଦସ୍ୟ ଲାଗିପଡି ଘର ଟିକୁ ଠିଆ କରେଇଦେଲୁ । ଭାଇ ଅର୍ଥ ବଳ ଦେଲା ବେଳେ ଆମେ ଶ୍ରମ ବଳ ଦେଉଥିଲୁ । ଅଧିକ ମଜୁରୀ ଦେବାକୁ ପଡିବ ବୋଲି ବୋଉ, ମୁଁ ଓ ସାନ ଭାଇ ରାତି ଚାରିଟାରୁ ଉଠି ଲୋକମାନେ ଦେଖିବା ଆଗରୁ ବାଲି ଗୋଡି ଇଟା ବୁହା କାମ ସାରିଦେଉ । ଯେତିକି ପାରୁ ସେତିକି ଗୁଣ୍ଡୁଚି ଭଳି ସହଯୋଗ କରୁ । ଭାରି ଆନନ୍ଦ ଲାଗେ ନିଜ ହାତରେ ନିଜ ଘର କାମ କରିଲା ବେଳକୁ । ସେଇ ଘରେ ଯେ ମୋର ସ୍ଥାନ ଅତିଥିଟିଏ ବୋଲି ଜାଣିଲା ପରେ ସେଇ ଆନନ୍ଦ ମୋର କୁଆଡେ ପାଣିରେ ମିଶିଗଲା । ଏତେ କଷ୍ଟ କରି ଘର ତିଆରିରେ ସହଯୋଗ କଲି ଅଥଚ ଆଉ ଜଣେ ଆସି ମାଲିକାଣୀ ହେଇ ବସିବ । ମୋ ଦେହରେ ଆଦୌ ଯାଉନଥିଲା । କାହିଁକି କେଜାଣି ବଡ ଭାଉଜ ଆସୁ ଆସୁ ମୋର ତା ପ୍ରତି ଅସୂୟା ଭାବ ଆସି ଯାଇଥିଲା । ମୋ ସାଙ୍ଗରେ ସାନ ଭାଇ ବି ହାତ ମିଶେଇ ଦେଇଥିଲା । ଆମେ ଭାଉଜକୁ କରଛଡା କରୁ କରୁ ଆମ ଅଜଣାତରେ ଭାଇକୁ ବି ଆମ ଠାରୁ ଦୂରେଇଦେଉଥିଲୁ । ଭାଇ ଉପରେ ରାଗ ଦିନକୁ ଦିନ ବଢି ଯାଉଥିଲା । କାରଣ ଭାଇ ଆଗରୁ ଘରକୁ ଆସିଲେ ଆମେ ତିନିଜଣ ଭାଇ ଭଉଣୀ ସାଙ୍ଗ ହେଇକରି ମସ୍ତି କରୁଥିଲୁ ଗୋଟିଏ ଜାଗାରେ ବସିକରି । ଟିଭି ରିମୋର୍ଟ ଛଡାଛଡି କରୁଥିଲୁ । ମୁଢି ମିକ୍ସଚର ଛଡିଆ ଛଡି ହେଇ ଖାଉଥିଲୁ । ଗୋଟିଏ ଥାଳିରେ ଏକାଠି ଖାଉଥିଲୁ । ଭାଇ ସବୁ ମାସରେ ମୋ ପାଇଁ ଆଉ ସାନ ଭାଇ ପାଇଁ କିଛିନା କିଛି ଗିଫ୍ଟି ନେଇ କରି ଆସନ୍ତି । ଭାରି ଖୁସି ଲାଗେ ଆମକୁ । ସେ ଖାଲି ପେନ୍ ଗୋଟେ ହେଉ ପଛେ । କୋଟି ନିଧି ପାଇଲା ଭଳି ଲାଗେ ଆମକୁ । ସବୁ କିଛି ବଦଳି ଗଲା ଆଉ ଜଣଙ୍କ ପାଇଁ । ସେଥିପାଇଁ ଭାରି ରାଗ ଲାଗେ ସେଇ ଜଣଙ୍କ ଉପରେ ମୋର । 


ଭାଇ ଆଉ ଆଗଭଳି ଘରକୁ ଆସୁଆସୁ ଆମ ପାଖକୁ ଆସନ୍ତିନି । ଘଣ୍ଟାଏ ପରେ ଆସନ୍ତି । ଘରକୁ ପଶୁପଶୁ ଭାଉଜଙ୍କ ସହ ତାଙ୍କ ରୁମରେ ପଶନ୍ତି ଯେ ବାହାରନ୍ତି ଯାଇ ଘଣ୍ଟାଏ ପରେ । ଭିତରୁ ଭାଉଜଙ୍କର ଚୁପ୍ ଚୁପ୍ କଥାକୁ ଭାଇଙ୍କର ଚାପା ହସ ମୋ ଦେହରେ ନିଆଁ ଲାଗିଗଲା ଭଳିଆ ଅନୁଭବ ହେଉଥାଏ । ବୋଉକୁ କିନ୍ତୁ ଭାରି ଭଲ ଲାଗୁଥାଏ । ସେ ମନେ ମନେ ଖୁସି ହୁଏ ଯେ ଯାହାହେଉ ତା ପୁଅ ମନଲାଖି ବୋହୁଟେ ପାଇଛି ବୋଲି । ଯିଏକି ତା ପୁଅକୁ ଏତେ ଭଲପାଇବା ଦେଇ ପାରୁଛି । ମୁଁ ସେକଥାର କିଛି ମାନେ ବୁଝେନି । ମୋତେ ଲାଗେ ଭାଇ ଆଗଭଳି ଘରକୁ ଆସୁଆସୁ ଆମମାନଙ୍କ ସହ ବସନ୍ତା ଉଠନ୍ତା କେବଳ ଆମ ଭଲ ମନ୍ଦ କଥା ପଚାରି ବୁଝନ୍ତା । ଭାଇ ସେମିତି କରେନି । ଆମ ଠାରୁ ଦୂରରେ ରହିପାରିବନି ବୋଲି ବାପାଙ୍କ ଯିବା ପରେ ସେ ଘରୁ ସବୁଦିନ ଚାଳିଶ୍ କିଲୋମିଟର ବାଟ ଯିବା ଆସିବା କରେ ପଛେ ବାହାରେ ଘରଭଡା ନେଇ ରହେନି । ସକାଳୁ ଅଫିସ ଟାଇମର ବହୁତ ଆଗରୁ ଯାଏ ଯେ ଫେରେ ବି ସେମିତି ବିଳମ୍ବରେ । ତେଣୁ ନବବିବାହିତା ତା ସ୍ତ୍ରୀକୁ ଦିନ ସାରା ଦେଖିବାର ସୁଯୋଗ ପାଏନି । ଘରେ ପହଞ୍ଚିଲା ବେଳକୁ ସଂଧ୍ୟା ସାଢେ ସାତ । ଠିକ୍ ନଅଟା ବେଳକୁ ଭାଇ ଭାଉଜ ତାଙ୍କ ରୁମରୁ ବାହାରି ଆସନ୍ତି ହସିହସି । ଭାଉଜ ରୋଷେଇ ଘରକୁ ଯାଆନ୍ତି ଖାଇବା ବଢାବଢି କରିବା ପାଇଁ,ଭାଇ ଆମ ସାଥିରେ ବସି ଟିଭି ଦେଖେ । ଆମ ଭାଇ ଭଉଣୀଙ୍କ ମୁହଁ ସେତେବେଳକୁ ହାଣ୍ଡି ଭଳିଆ ହେଇଯାଇଥାଏ । ଆମେ ତାକୁ କିଛି କହୁନା । ସେ ବସି ବୋଉ ସହ ଘରର ଭଲମନ୍ଦ କଥା ହୁଏ । ଭାଉଜ ଭାଇ ଆସିବା ଆଗରୁ ସଞ୍ଜ ବେଳଠାରୁ ରୋଷେଇ କରି ବସିଥାନ୍ତି ଭାଇର ଅପେକ୍ଷାରେ । ତେଣୁ ଖାଇବାକୁ ବସିଲା ମାନେ ପ୍ରଥମେ ମୋର ଅଭିଯୋଗ ଆରମ୍ଭ ହୁଏ "ଏ ଶୁଖିଲା ରୁଟି ମୁଁ ଖାଇବିନି" । ଭାଉଜ ହଟକେସ୍ ରେ ରୁଟି ରଖନ୍ତି । ବହୁତ ସୁନ୍ଦର ନରମ ରୁଟି ବି କରନ୍ତି । ଖାଇବା ବାଢିବା ଆଗରୁ ତରକାରୀ ଗରମ କରିଥାନ୍ତି । ତଥାପି ମୋର ଅଭିଯୋଗ କରିବା ଟା ଥୟ । ମୋ ସାଥିରେ ପାଳି ଧରେ ସାନ ଭାଇ । ବୋଉ ବିଚରା ମଝିରେ ପଡି ହନ୍ତସନ୍ତ ହୁଏ ଯାହା । ତା ମନର ଅବସ୍ଥା ବୁଝିବାକୁ ଆମେ ନାରାଜ । ବଡ ଭାଇ କିଛି ନକହି ଖାଇଦେଇ ସେଠୁ ଉଠି ପଳାନ୍ତି । ମୋତେ ଟିକେବି ଦୁଃଖ ଲାଗେନି ଯେ ଆହାଃ, ମୋ ଭାଇଟା ଦିନସାରା ବାହାରୁ କ୍ଳାନ୍ତ ଓ ଥକା ହେଇ ଫେରିଛି, ଟିକେ ଭଲରେ ଖାଉ ବୋଲି । । ମୋ ପାଇଁ ବୋଉ ବି ମାନସିକ ଅଶାନ୍ତି ପାଉଛି ସେ କଥା ବି ଭାବି ପାରେନି । ମୋର କେବଳ ଲକ୍ୟ୍ଚ ସେ ଜଣଙ୍କ କେମିତି କଷ୍ଟ ପାଉ । ତା ଆଖିରୁ ଲୁହ ଝରୁ । ଆଖି ତ ଛଳଛଳ ହେଇଯାଏ ତା'ର, ତଥାପି ଓଠରେ ହସ ଟିକେ ଲାଖି ରହିଥାଏ । ଯେଉଁଟା ମୋ ଆଖିରେ କଣ୍ଟା ମାଡିଲା ଭଳି ଲାଗେ । ସେମିତି ହସିହସି ସେ ରୁଟି ଛିଣ୍ଡେଇ ମୋ ପାଟିରେ ଖୁଏଇଦିଏ । ମୁଁ ତା ହାତକୁ ଛାଟି ଦିଏ । ନିଜେନିଜେ ଭୋକ ବିକଳରେ ଖାଇଦେଇ ସେଠୁ ଚାଲି ଆସେ । କହିବାକୁ ଗଲେ ବିନା କାରଣରେ ମୁଁ ନିଜେ ଅଶାନ୍ତିରେ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତିରେ ଖୁଆଏ । 


ବୋଉ ଭାଉଜଙ୍କୁ ଅନେକ କାମରେ ସାହାଯ୍ୟ କରିଥାଏ । ମୋ ଦେହରେ ସେ ସବୁ ଯାଏନି । "ତୋ ଦେହ ଭଲ ନାହିଁ, କାହିଁକି ଏତେ କାମ କରୁଛୁ" ବୋଲି ରାଗେ । ସାନ ଭାଇ ସେଇଠୁ କହେ, ବୋହୁ ଆଣିଥିଲୁ ଏଇ ବୟସରେ ଖଟିବାପାଇଁ, ନୁହେଁ ? ବୋଉ କିନ୍ତୁ ଆମ କଥା ଶୁଣେନି । ସେ ହସିହସି ତା କାମ କରୁଥାଏ ଭାଉଜଙ୍କ ସହ ମିଳିମିଶି ଭାଉଜ ଯେତେ ମନା କଲେ ବି । ଆମକୁ ଲାଗେ ସେଇ ସମୟରେ ବୋଧହୁଏ ବୋଉ ବେଶି ଖୁସି ଥାଏ । ରୋଷେଇ ସରିଲେ ଭାଉଜ ଆମ ପାଇଁ ଖାଇବାକୁ ବାଢିସାରି ଡାକନ୍ତି । ଆମେ କେହି ତାକୁ କହୁନା କି ତମେ ଆସ ଆମ ସାଥିରେ ବସି ଖାଇବ ବୋଲି । ବୋଉ ଏକା ଡାକେ । ସେ ବି ଅତି ଶ୍ରଦ୍ଧାରେ । ପୁଣି ଥରେ ମୋ ଦେହରେ ନିଆଁ ଲାଗିଯାଏ । ମୁଁ ଜାଣିଶୁଣି ଖାଇବାକୁ ଯାଏନି । ଖୁମାଣ କରି ବସେ । ବୋଉ ଭାଉଜ ଦୁହେଁ ଆସି ଡାକନ୍ତି । ରାଗ ଗରଗର ହେଇ ବୋଉକୁ କହେ, ଯାଉନୁ ସେ ପର ଝିଅକୁ ପାଖରେ ବସେଇ ଖୁଏଇବୁ । ମୁଁ କିଏ କି ତୋର ? କହେ ସିନା ମୁଁ ବୋଉକୁ । ଆଖି ଓଦା ହୁଏ ଭାଉଜର । ହେଉ । ମୁଁ ତ ସେଇଆ ଚାହୁଁଥିଲି । ମୋତେ କିଛି ଫରକ ପଡେନି । ବୋଉ କିନ୍ତୁ ମୋର ଭୁଲ ପାଇଁ ଭାଉଜକୁ ନେହୁରା ହେଇ ମୋ ଦୋଷ ନଧରିବା ପାଇଁ ଅନୁରୋଧ କରେ । ଫିକ୍ କରି ହସିଦିଏ ଭାଉଜ । ଅଲଜ୍ୟା ମୁହଁରେ କହେ "ସାନ ଭଉଣୀଟା କଥା କ'ଣ ଧରିବି" । ମୋ ମୁଣ୍ଡ ତଳକୁ ହେଇଯାଏ । ତଥାପି ମୁଁ ଉପର ମୁହିଁ ସେମିତି ଉପରମୁହାଁ ହେଇ ବସିଥାଏ । ଭାଇ ବାହାଘର ଗୋଟେ ମାସ ବିତି ସାରିଥିଲା । ମାସ ଶେଷକୁ ସେ ସବୁଥର ଭଳି ଏଥର ବି ଆମ ଦୁଇ ଜଣଙ୍କ ପାଇଁ କିଛି ଗିଫ୍ଟ ଆଣିଥିଲା । ତା ସହିତ ଭାଉଜଙ୍କ ପାଇଁ ମଧ୍ୟ ଆଣିଥିଲା । ଆମର ଗିଫ୍ଟ୍ ସବୁଥରଭଳି ଯଦିବା ବହୁତ ଭଲ ଥିଲା, ତଥାପି ଭାଉଜଙ୍କ ପାଇଁ ଆସିଥିବା ଗିଫ୍ଟ୍ ଦେଖି ମୁଁ ସହ୍ୟ କରି ପାରୁନଥିଲି । ମୋତେ ଲାଗୁଥିଲା ଯେମିତି ଆମ ଭାଗର ସ୍ନେହ ଶ୍ରଦ୍ଧା ଭାଗ କରି ଆଉଜଣେ କେହି ନେଇଯାଉଛି । ରାଗରେ ସେ ଗିଫଟକୁ ମୁଁ ଛୁଇଁଲିନି । ସାନ ଭାଇକୁ ମଧ୍ୟ ସେଇଆ ଶିଖେଇଲି । ମୋ ଦେଖାଦେଖି ସେବି ଛୁଇଁଲାନି । ଘରେ ଅଶାନ୍ତି ହେଲା । କିଛି ସମୟ ପରେ ଝଡ ଶାନ୍ତ ହେଲାଭଳି ସମସ୍ତେ ଶାନ୍ତ ହେଇଗଲୁ । ଭାଉଜ ସମସ୍ତଙ୍କୁ ବୁଝେଇ ସୁଝେଇ ଖୁଆଇବାକୁ ବସିଲେ । ମୋତେ ସେଦିନ ରାତିରେ ଲାଗିଲା ବୋଉ ଯେମିତି ମୋ ଉପରେ ଅଭିମାନ କରିଛି । ସେ କିଛି ନକହି ମୁହଁ ବୁଲେଇ ଶୋଇଗଲା । ପ୍ରଥମ କରି ମୋ ମନରେ ଯେଉଁ ଧାରଣା ଥିଲା କି ମୋ ବୋଉ ମୁଁ ଯାହା କଲେ ବି ତା ଝିଅ ଭାବେ ମୋତେ ସମର୍ଥନ କରିବ, ସେ ବିଶ୍ୱାସଟି ଭାଙ୍ଗି ଗଲା । ତଥାପି ମୁଁ ସେଥିରୁ କିଛି ଶିକ୍ଷା ନକରି ଆହୁରି କ୍ଷୁବ୍ଧ ହେଇଗଲି ଯେ ଏସବୁ ପାଇଁ ସେଇ ଡାହାଣୀ ହିଁ ଦାୟୀ । ଯିଏକି ଆମ ଘରକୁ ଅବାଞ୍ଛିତ ଭାବେ ପଶି ଆସିଛି । ବୋଉ କିନ୍ତୁ ତା ପରଦିନ ତାକୁ ଘରର ଲକ୍ଷ୍ମୀ ବୋଲି ଜଣଙ୍କ ଆଗରେ କହୁଥିଲା । ସେ ଆସିବା ଦିନଠାରୁ ଘରେ ଧୂଳିମଳିଟେ ପକେଇ ଦିଏନି । ବହୁତ ସୁନ୍ଦର ସୁନ୍ଦର ହାତ ବୁଣା ଜିନିଷ ସବୁ ତାଙ୍କ ସାଥିରେ ଆଣିଥିଲେ,ଯେଉଁଥିରେ ଆମ ଘର ଏବେ ରାଜ ଉଆସ ଭଳିଆ ଚମକୁଛି । ବହୁତ ଦାମୀ ଆସବାବ ପତ୍ରରେ ଘର ପୂରି ଉଠିଛି । ଯେଉଁ ଜିନିଷ ଆମ ଜୀବନ କାଳରେ କେବେ ଦେଖିନଥିଲୁ ତାକୁ ଏବେ ଦେଖୁଛୁ । ଯାହା ନଖାଇଥିଲୁ ସେଇଭଳି ସ୍ୱାଦିଷ୍ଟ ଜିନିଷ ଏବେ ଖାଉଛୁ । ତା ପାଇଁ ଆମ ଘରର ଭାଗ୍ଯ ବଦଳି ଯାଇଛି । ଆହୁରି ହାଡ ଜଳୁଥିଲା ମୋର ବୋଉର କଥା ଶୁଣି । ହେଲେ ଉପାୟ ଶୂନ୍ୟ ହେଇ ରହୁଥିଲି । 


ଭାଉଜ ଉପର ରାଗ ଭାଇ ଉପରେ ପଡୁଥିଲା । ବାପା ଗଲା ପରେ ବୋଉ ତା ପେନସନ ଟଙ୍କା ଭାଇକୁ ଦେଉଥିଲା ଘର ଚଳେଇବା ପାଇଁ । ସେତକ ଆମେ ସାନ ଭାଇ ଭଉଣୀ ଦୁଇ ଜଣ ବନ୍ଦ କରିଦେଲୁ । ଅଧାଅଧା କରି ବୋଉଠାରୁ ସେତକ ନେଇ ଆସିଲୁ ନିଜର ଖର୍ଚ୍ଚ ବାହାନା କରି । ଭାଇବି କିଛି କହିଲେନି । ସବୁ ଖର୍ଚ୍ଚ ନିଜ ଉପରକୁ ନେଇଗଲେ ହସିହସି । ଏଇ ଭିତରେ ଭାଉଜଙ୍କ ଠାରୁ ଜାଣିବାକୁ ମିଳିଲା ଆମ ଘରକୁ ନୂଆ ଅତିଥି ଗୋଟେ ଆସିବାକୁ ଅଛି । ଭାରି ଖୁସି ଲାଗିଲା ମୋ ଭାଇର ପିଲା ବୋଲି । ତଥାପି ଦିନେ କୌଣସି କାମରେ ଭାଉଜକୁ ସହଯୋଗ କଲିନି କି କୌଣସି ସମବେଦନା ଦେଖେଇଲିନି । ବହୁତ ବାନ୍ତି ହେଉଥିଲା ଭାଉଜଙ୍କର । ତା ସାଙ୍ଗରେ ମୁଣ୍ଡ ବୁଲା ଓ ଅରୁଚି । କିଛି ବି ସେ ଖାଇ ପାରନ୍ତିନି । ତଥାପି ସେମିତି ସବୁ କାମ କରନ୍ତି । ବୋଉର ଦେହ ଭଲ ନଥାଇ ବି ଘୁଷୁଡି ଘୁଷୁଡି ଯାଇ ତାଙ୍କୁ କାମରେ ସାହାଯ୍ୟ କରେ । ମୋତେ କୁହେନି କିଛି । ବୋଧହୁଏ ସେ କଳି ନେଇଥିଲା ତା ଝିଅକୁ । ମୁଁ କିଛି କାମ ତ କରିବିନି ବରଂ ଏମିତି କିଛି କହିବି ଯେଉଁଥିରେ ସେ ବିଚାରୀ ମାନସିକ ଅଶାନ୍ତି ପାଇବ । ଯେଉଁଟା ତା'ର ଏବେ ପ୍ରାପ୍ୟ ନୁହେଁ । କିଛିଦିନ ପରେ ନୂଆ ଅତିଥିଟି ଘରକୁ ଆସିଲା ପୁଅ ରୂପରେ । ଘରେ ଭୋଜି ଭାତ ହେଲା । ମୁଁ ଖାଲି ନୂଆ ପୋଷାକ ପିନ୍ଧି ସଜବାଜ ହେଇ ହସିହସି ଫଟୋ ଉଠେଇଲି ସିନା ଟିକିଏ ବି କାମରେ ସହଯୋଗ କଲିନି । କୁନି ପୁଅ କାନ୍ଦିଲେ ମୋତେ ଦୁଃଖ ଲାଗେ ମୋ ଭାଇର ପୁଅ କାନ୍ଦୁଛି ବୋଲି,କିନ୍ତୁ ଭାଉଜ ହଇରାଣ ହେଇ ପୁଅକୁ ବୁଝେଇବାକୁ ଚେଷ୍ଟା କଲେ ଖୁସି ଲାଗେ । ଭାଇର ପୁଅ ବୋଲି ଯେତିକି ସ୍ନେହ ଶ୍ରଦ୍ଧା ମନରେ ଥାଏ ଭାଉଜର ଗର୍ଭରୁ ସେ ପୁଅ ଜନ୍ମ ହେଇଛି ବୋଲି ସେତିକି ହତାଦର କରେ । ଏମିତି ଏମିତିରେ ଭାଇ ବାହାଘରକୁ ତିନି ବର୍ଷ ପୂରି ଯାଇଥିଲା । ଦିନେ ଭାଉଜଙ୍କ ବାପା ଗୋଟିଏ ପୁଅ ଘରୁ ପ୍ରସ୍ତାବ ଆଣି ଆସିଲେ ମୋ ପାଇଁ । ବୋଉ ଆଉ ବଡଭାଇର ଷୋଳଅଣା ମନକୁ ଆସିଥିଲେ ବି ମୋ ମନକୁ ଆସିଲାନି କେବଳ ଭାଉଜଙ୍କ ବାପଘର ମାଧ୍ୟମରେ ସେ ପ୍ରସ୍ତାବ ଆସିଥିବାରୁ । ସେ ପୁଅ ଗୋରା ନୁହେଁ କି କଳା ବି ନୁହେଁ । କିନ୍ତୁ ମୁଁ ରାଜି ନହେବାର କାରଣ ଜଣେଇଲି କି ଭାଉଜଙ୍କ ଘର ଲୋକ ଜାଣିଜାଣି ବାହାଘର କରିବାକୁ ଚାହୁଁଛନ୍ତି କାଳେ ମୁଁ ତାଙ୍କ ଝିଅଠାରୁ ଅଧିକ ସୁନ୍ଦର ପୁଅଟେକୁ ବାହା ହୋଇଯିବି । 

ସେତିକିରେ ସେ ପ୍ରସ୍ତାବ ଆଗକୁ ନ ବଢି ସ୍ଥଗିତ ରହିଲା । ଏଥର ଆଉଜଣେ ମଧ୍ୟସ୍ଥିଙ୍କ ଦ୍ୱାରା ଆସିଥିବା ପ୍ରସ୍ତାବରେ ମୁଁ ରାଜି ହେଇଗଲି । ବାହାଘର କାମ ଆଗକୁ ବଢୁଥିଲା । ଭାଇ ଆଉ ଭାଉଜ ବହୁତ ବ୍ୟସ୍ତ ରହୁଥିଲେ ସେଇ କାମରେ । 

ବୋଉ ସବୁବେଳେ କହେ ଭାଉଜ ସହ ମିଶି କିଛି କାମ କରେ,ଘର କରଣା ତା' ଠାରୁ ଶିଖେ । ମୁଁ ତାକୁ ଓଲଟା ଜବାବ ଦେଇ ମୁହଁ ବନ୍ଦ କରିଦିଏ । ଭାଉଜ କୁହଁନ୍ତି ସେ କେଇଟା ଦିନ ଆମ ପାଖରେ ରହିବେ ଯେ, ସେତିକିଦିନ ଭଲରେ ରୁହନ୍ତୁ କିଛି କାମ କରିବା ଦରକାର ନାହିଁ । ମୁଁ ରାଗିକରି କହେ ତମେ ସବୁ ଏଇଆ ଚାହୁଁଥିଲ ଯେ ମୁଁ ଏଘରୁ ଚାଲିଯାଏ ବୋଲି । ସେଥିପାଇଁ ମୋର ବାହାଘର କରିଦେଉଛ । ତଥାପି ଭାଉଜ ରାଗେନିଶକି କିଛି ଫେରେଇ କରି କହେନି । 


ବାହାଘର ପରେ ସବୁ କିଛି ମୋ ଆଖି ଆଗରେ ଘଟୁଥିଲା । ଯାହା ଯାହା ଭାଉଜଙ୍କ ସହ ମୁଁ କରୁଥିଲି । ମୋ ସ୍ୱାମୀ ମୋତେ ସମୟ ନଦେଲେ ମୋ ମନ ବହୁତ କଷ୍ଟ ହେଉଥିଲା । ମୋତେ ଭଲ ରୋଷେଇ ଆସେନି,କିଏ ଯଦି କିଛି ଖୁଣାବଛା କରୁଥିଲା ସେହି ବିଷୟରେ ତାହେଲେ ମୁଁ ତାକୁ ଗ୍ରହଣ ନକରି ଓଲଟା ରାଗୁଥିଲି । କହିବାକୁ ଗଲେ ଯେଉଁ ସବୁ ଘଟଣା ପାଇଁ ମୁଁ ଭାଉଜଙ୍କୁ ରାଗୁଥିଲି,ସେହି ସବୁ ଘଟଣା ଏବେ ନିଜେ ଘଟଉଥିଲି । ଘରେ ସମସ୍ତେ ଅସନ୍ତୁଷ୍ଟ ହେଉଥିଲେ । ମୋର ଦୌରାତ୍ମ୍ୟ ଦିନକୁ ଦିନ ବଢୁଥିଲା । ଶେଷରେ ଦିନେ ମୋ ସ୍ୱାମୀ ମୋ ଉପରେ ହାତ ଉଠେଇଦେଲେ । ମୁଁ ବି ରାଗରେ ଘରଛାଡି ଆମ ଘରକୁ ଚାଲି ଆସିଲି । ବୋଉର ଦେହ ଭଲ ନଥିଲା । ବଡ ଭାଇକୁ ସାଥିରେ ନେଇ ସାନଭାଇ ଗୋଟେ ଇଣ୍ଟରଭିୟୁ ଦେବାକୁ ଯାଇଥିଲା । ହଠାତ୍ ଏମିତି ଘଟଣା ଦେଖି ଭାଉଜ ତାଜୁବ ହେଇଗଲେ । ମୋତେ ବହୁତ ବୁଝାଇଲେ । କିନ୍ତୁ ମୁଁ ତାଙ୍କୁ ଭୁଲ ବୁଝିଲି । ତମେ ଏବେ ମଜା ଦେଖୁଥିବ ବୋଲି କହିଲି । ବୋଉ ଉପାୟ ଶୂନ୍ୟ ହେଇ କେବଳ କାନ୍ଦୁଥିଲା । ତା'ର ଜ୍ୱାଇଁକୁ ଟାଣ କରି କଥା କହିବାର ସାହସ କିମ୍ବା ଶକ୍ତି ନଥିଲା । ଯେତେହେଲେ ଜ୍ୱାଇଁ । ଶେଷରେ ମୋତେ ନଜଣାଇ ଭାଉଜ ମୋ ସ୍ୱାମୀଙ୍କୁ ଡାକିଲେ ଘରକୁ । ବହୁତ ବୁଝାଇଲେ । ତାଙ୍କ କଥାରେ କି ଜାଦୁ ଥିଲା କେଜାଣି ସେ ମୋର ସବୁ ଦୋଷ କ୍ଷମାକରି ସାଙ୍ଗରେ ନେବାକୁ ରାଜିହେଲେ କେବଳ ଭାଉଜ କହିଲେ ବୋଲି । ଏଥର ଆଗକୁ ଏଭଳି ଘଟଣା ଯେମିତି ନଘଟେ ସେଇଭଳି ଭାବେ ଭାଉଜଙ୍କଠାରୁ ଟ୍ରେନିଂ ନିଅ ବୋଲି ବି କହିଲେ । ମୋ ଆଖିରେ ଏଥର ଲୁହ । ସେ ଲୁହରେ ଭାଉଜଙ୍କ ସହ ସବୁ ଭୁଲ ବୁଝାମଣା ଗୁଡିକ ଧୋଇହେଇ ଯାଉଥିଲା । ତା ପରେ ମୁଁ ପ୍ରତିଟି କଥା ମୋ ଭାଉଜଙ୍କ ଠାରୁ ପଚାରିବୁଝି ମୋ ଶାଶୁଘରେ ଚଳେ । ଘରେ ଏବେ ସମସ୍ତେ ଖୁସି ହିଁ ଖୁସି । 


କିଛି ବର୍ଷ ପରେ ସାନ ଭାଇର ବାହାଘର ବି ହେଇଗଲା । ସେ ବି ଦିନେ ଯେଉଁଥିପାଇଁ ବଡଭାଇ ଭାଉଜଙ୍କୁ ହଜାରେ ଖୁଣାବଛା କରୁଥିଲା ନିଜେ ସେଇଥିରେ ଘାଣ୍ଟି ହେଉଛି । ତା ସ୍ତ୍ରୀ ସକାଳ ସାତଟା ଯାଏ ଶୁଏ । ବଡରେ ସାନରେ କେହି ପଦେ କଥା କହିଲେ ଚଟାପଟ୍ ଫେରେଇ କହେ । ରୋଷେଇକଲେ କେହି ପାଟିରେ ଦେବେନି । ବଡଭାଉଜ ସବୁ ଚଳେଇନିଅନ୍ତି । ସାନ ଭାଇର ପାଟିରୁ ଆଉ କଥା ବାହାରେନି ଖାଇଲା ବେଳେ । ସେବି ପାଟି ଚୁପ୍ ରଖି ମନେମନେ ମୋ ଭଳି ମୋରି ଭଳି ବଡଭାଉଜଙ୍କ ପାଦତଳେ ମଥାନୁଆଁଏ । କାରଣ ସ୍ତ୍ରୀ ସାମ୍ନାରେ ସେ ଭାଉଜଙ୍କ ଗୁଣ ଗାନ କଲେ ବୋଧହୁଏ ସେ ଘରେ ଆଉ ରହିବନି । ମନେମନେ ମୁଁ ଭାବୁଥିଲି ସତରେ ମୋ "ବଡ ଭାଉଜ" ଅଛନ୍ତି ବୋଲି ଆମ ଘର ଅଛି । ମୁଣ୍ଡ ନଇଁ ଯାଉଥିଲା ଆପେଆପେ ତାଙ୍କ ପାଦତଳେ । 



Rate this content
Log in