✿ ବାପା .ସ୍କୁଲ୍ ଓ ବଢୁଥିବା ଝିଅ
✿ ବାପା .ସ୍କୁଲ୍ ଓ ବଢୁଥିବା ଝିଅ
[୧]
ପୁତ୍ରମୋହୀ ମାନଙ୍କୁ ଛାଡ଼ିଦେଲେ , ବାକି ସବୁ , ମୋ'ପରି ଝିଅଟିଏ ର ବାପାମାନେ ଅହେତୁକ ସୁଖ ଲଭୂଥିବେ । ମୁଁ ଅପୁତ୍ରିକ । ପୁଅଟେ ଥିବାର ସୁଖ ଜାଣିବାର ଅବକାଶ ନାହିଁ ।
ତେବେ ଝିଅଟିଏ ନଥିବାର ଯନ୍ତ୍ରଣା କେଉଁ ବାପ ହୃଦୟରେ ଲୁଚିନାହିଁ?
ମୁଁ ଲିଙ୍ଗଭେଦରେ ଅମୃତର ସନ୍ତାନକୁ ପୃଥକୀକରଣ କରୁନି ସତ,ତଥାପି ଝିଅ -
ହସିବ - ଋଷିବ
ମାନିବ - ମନାଇବ
ବୁଝିବ - ବୁଝାଇବ
କାନ୍ଦିବ - କନ୍ଦାଇବ
ଲୋଡିବ - ସାହାହେବ
ଫରକ୍ ଏତିକି ପୁଅଟିଏ ପୁଅ ହୋଇ ରହିଥିବ କେବଳ ।
[୨]
ଷ୍ଟାଣ୍ଡାର୍ଡ଼ ସିକ୍ସରେ ପିଂକି । ସ୍କୁଲ୍ , ଟ୍ୟୁସନ୍ ନେବା ଆଣିବା ଦାୟିତ୍ୱ ମୋର । ସେଦିନ ଚମକାଇ ଦେଲା ମୋତେ । ଫେରିବାବେଳେ ପଚାରିଲି -
- ମାମା ! ଆଇସକ୍ରିମ୍ ?
- ନାଃ
- ମନଦୁଃଖ ? ମିସ୍ ଗାଳି କରିଛନ୍ତି ?
- ନା, ଭଲ ଲାଗୁନି ।
- ହେଲା କଣ?
- ମୁଁ ବଡ ହେଲିଣି ବାପା!
ହଠାତ୍ କାଲିରୁ ଆଜି ଭିତରେ ବଡ ହୋଇଯିବା , ପ୍ରିୟ ଆଇସକ୍ରିମକୁ ମନାକରିବାର ସମୀକରଣରେ ଅବୁଝା ହୋଇ ଚୁପଚାପ୍ ଘରକୁ ଫେରିଲି ।
[୩]
ସୌମ୍ୟା ଆଉରି ଚମକାଇଲା ସନ୍ଧ୍ୟାରେ ।
- ଗୋଟେ ଫୋଲ୍ଡିଂ ଖଟ ଆଣିବ ।
- କାଇଁ?
- ପିଂକି ଏଥର ତା ପଢାଘରେ ଶୋଇବ ।
- କ'ଣ! ଛୁଆଟା ଏକା ଡରିବନି ?
- ନାଃ! ସେ ବଡ ହୋଇଗଲାଣି ।
ସୌମ୍ୟା ବୁଝାଉଥିଲା ମୋତେ । ମୁଁ କିଛି ବୁଝୁ ବି ଥିଲି । ତଥାପି କେମିତି ଲାଗୁଥିଲା ମୋ ପ୍ରାଣରୁ, ବଡହେବା ବାହାନାରେ , ମୋ ଝିଅକୁ ମୋଠାରୁ ଅଲଗା କରାଯାଉଛି ।
[୪]
ଖବରଟେ ପଢି ବଡ ବାବୁ ଚିଲ୍ଲାଇଲେ ।
- ବାଙ୍ଗାଲୋରରେ ଗୋଟେ ଛ' ବର୍ଷ ଛୁଆକୁ ସ୍କୁଲରେ ରେପ୍!
ଏକଥାକୁ ନେଇ ଜଳୁଛି ବାଙ୍ଗାଲୋର୍ ସହର । ପିଲାଟା ଓଡିଆ ଦମ୍ପତିଙ୍କର ।
- ଛ' ବର୍ଷ! ନାଃ ଅଧିକା ହୋଇଥିବ ।ଏତେ ଛୋଟ ପିଲାକୁ ...
ଷ୍ଟେନୋବାବୁ କଥା ଯୋଡିଲେ ।
- କିଛି ଅସମ୍ଭବ ନୁହଁ । ସେ କ’ଣ ମଣିଷ ହୋଇଥିବ? ଛଆଖିଆ ରାକ୍ଷସଟେ ନା !
ପ୍ରମିଳା ଦିଦି ଚିହିଁକି କହିଲେ ।
- ଆରେ ନୂଆ କଥା କଣ? ନୀଠାରିରେ କ’ଣ ହେଇଥଲା ? ଆମ ଏଠି ପରା ନବମ ଦଶମ ଛୁଆଙ୍କୁ ପ୍ରେଗ୍ନେଟ୍ କରି ପକାଉଛନ୍ତି ?
ମୁଁ ଶୁଣୁଥିଲି ଚୁପ୍ ହୋଇ । ଛାତି କମ୍ପୁଥିଲା । କମ୍ପିବନି କେମିତି ?
ମୁଁ ଝିଅର ବାପା ଟିଏ ପରା ?
[୫]
ପିଂକି !
ଆଗପରି ଆଉ ଚୁଲବୁଲି ନଥିଲା । ଟିକେ ଚୁପଚାପ୍ , ଟିକେ ଅନ୍ୟମନସ୍କ । ମୋ କୋଳକୁ ଆସୁନଥିଲା । ସବୁ କଥା ଏବେ ମା ପାଖରେ । ସେଇ ଇର୍ଷା ରେ ମୁଁ କଷ୍ଟ ପାଉଥିଲି ।
ସୌମ୍ୟା ବୁଝାଏ -
- ଏସବୁ ସାଧାରଣ । ମୋ' ଛୋଟ ବେଳେ ଏମିତି ହୋଇଥିଲା । ଦୁଃଖ କରନା । ଝିଅ ବଢୁଛି ।
ମୋ' ଠୁଁ ଦୁରେଇ , ଆଉ କା' ନିକଟ ହୋଇଯିବନି ତ ପିଂକି ?
ସେଇ ଆଉ କିଏ ଜଣେ ସ୍ନେହର ସତ୍ୟା ବଦଳାଇବାକୁ କେତେବା ସମୟ ନେବ ଆଉ ?
ଭୟଟିଏ ଦୁଃଖକୁ ଆଉଟାଇ ଦେଉଥିଲା ଖାଲି ।
[୬]
- ଶିଘ୍ର ଆସ ଘରକୁ ।
- କ’ଣ ହେଲା?
- ପିଂକି ସାଙ୍ଗ ମା' ଫୋନ୍ କରିଥିଲେ ଏବେ । ସ୍କୁଲ ଛାତରେ ଝିଅଟେ ମରି ପଡିଛି ।
- ଏ! କଣ କହୁଛ ? କାହା ଝିଅ ? ମିସଙ୍କୁ ଫୋନ୍ କର !
- କରିଥିଲି । ସୁଇଚ୍ ଅଫ୍ । ଆସ ଶିଘ୍ର ।
କେମିତି ସ୍କୁଲରେ ପହଞ୍ଚିଲୁ ଜଣାନାହିଁ । ଭିଡ଼ ଥିଲା । ପୋଲିସ୍ ପହଞ୍ଚି ସାରିଥିଲା । ଭିତରକୁ ଛାଡ଼ୁନଥିଲେ । ଛୁଆଙ୍କୁ ପରିଚୟ ପତ୍ର ଦେଖି ଗେଟ୍ ବାହାରକୁ ଛାଡ଼ୁଥିଲେ ।
ପିଂକି ଆସିଲା । ଏକ ରକମ୍ ଦୌଡିଦୌଡି । ଭୟାତୁର ଛଳଛଳ ଆଖି । କୁଣ୍ଢେଇ ଧରିଲା ମୋତେ । କିଛି କ୍ଷଣ ମୁଁ ବି ଜାବୁଡି ଧରିଲି ଝିଅକୁ ।
ଅଲଗା କରୁଥିଲା ସୌମ୍ୟା ଅପ୍ରସ୍ତୁତ ହୋଇ ।
- ଛାଡ଼ ତାକୁ । ବଡ଼ ପିଲାଟା । ଅଣନିଃଶ୍ବାସୀ ହୋଇଯିବ ।
- " ଚୋପ୍”!!!!!
ଖୁବ୍ ଯୋର୍ ରଡିଟାଏ କଲି ମୁଁ ।
ଅର୍ଦ୍ଦାଧିକ ଭିଡ , ମୁହଁ ବୁଲାଇ ମୋରି ଆଡକୁ ଦେଖୁଥିଲେ ...।
ଅମିୟ ବେଜ