ବାପା / ସ୍କୁଲ୍/ ବଢୁଥିବା ଝିଅ
ବାପା / ସ୍କୁଲ୍/ ବଢୁଥିବା ଝିଅ
✿ ବାପା /ସ୍କୁଲ୍/ବଢୁଥିବା ଝିଅ ✿
[୧]
ପୁତ୍ରମୋହୀମାନଙ୍କୁ ଛାଡ଼ିଦେଲେ, ବାକିସବୁ ମୋ'ପରି ଝିଅଟିଏର ବାପାମାନେ ଅହେତୁକ ସୁଖ ଲଭୁଥିବେ । ମୁଁ ଅପୁତ୍ରିକ । ପୁଅଟେ ଥିବାର ସୁଖ ଜାଣିବାର ଅବକାଶ ନାହିଁ । ତେବେ ଝିଅଟିଏ ନଥିବାର ଯନ୍ତ୍ରଣା କେଉଁ ବାପ ହୃଦୟରେ ଲୁଚିନାହିଁ ? ମୁଁ ଲିଙ୍ଗଭେଦରେ ଅମୃତର ସନ୍ତାନକୁ ପୃଥକୀକରଣ କରୁନି ସତ, ତଥାପି ଝିଅ ।
- ହସିବ - ଋଷିବ
ମାନିବ - ମନାଇବ
ବୁଝିବ - ବୁଝାଇବ
କାନ୍ଦିବ - କନ୍ଦାଇବ
ଲୋଡିବ - ସାହାହେବ
ଫରକ୍ ଏତିକି ପୁଅଟିଏ ପୁଅହୋଇ ରହିଥିବ କେବଳ ।
[୨]
ଷ୍ଟାଣ୍ଡାର୍ଡ଼ ସିକ୍ସରେ ପିଂକି । ସ୍କୁଲ୍, ଟ୍ୟୁସନ୍ ନେବାଆଣିବା ଦାୟିତ୍ୱ ମୋର । ସେଦିନ ଚମକାଇଦେଲା ମୋତେ । ଫେରିବାବେଳେ ପଚାରିଲି - ମାମା ! ଆଇସକ୍ରିମ୍ ?
- ନାଃ
- ମନଦୁଃଖ ? ମିସ୍ ଗାଳି କରିଛନ୍ତି ?
- ନା , ଭଲଲାଗୁନି ।
- ହେଲା କ'ଣ ?
- ମୁଁ ବଡହେଲିଣି ବାପା !
ହଠାତ୍ କାଲିରୁ ଆଜି ଭିତରେ ବଡ ହେଇଯିବା, ପ୍ରୀୟ ଆଇସକ୍ରିମ୍ କୁ ମନାକରିବାର ସମୀକରଣରେ ଅବୁଝା ହୋଇ ଚୁପଚାପ୍ ଘରକୁ ଫେରିଲି ।
[୩]
ସୌମ୍ୟା ଆଉରି ଚମକାଇଲା ସନ୍ଧ୍ୟାରେ ।
- ଗୋଟେ ଫୋଲ୍ଡିଂ ଖଟ ଆଣିବ ।
- କାଇଁ ?
- ପିଂକି ଏଥର ତା' ପଢାଘରେ ଶୋଇବ ।
- କ'ଣ ! ଛୁଆଟା ଏକା ଡରିବନି ?
- ନାଃ ! ସେ ବଡ ହୋଇଗଲାଣି ।
ସୌମ୍ୟା ବୁଝାଉଥିଲା ମୋତେ । ମୁଁ କିଛି ବୁଝୁ ବି ଥିଲି । ତଥାପି କେମିତି ଲାଗୁଥିଲା ମୋ ପ୍ରାଣରୁ, ବଡହେବା ବାହାନାରେ , ମୋ ଝିଅକୁ ମୋଠାରୁ ଅଲଗା କରାଯାଉଛି ।
[୪]
ଖବରଟେ ପଢି ବଡବାବୁ ଚିଲ୍ଲାଇଲେ ।
- ବାଙ୍ଗାଲୋର୍ ରେ ଗୋଟେ ଛ' ବର୍ଷ ଛୁଆକୁ ସ୍କୁଲରେ ରେପ୍ !
ଏକଥାକୁ ନେଇ ଜଳୁଛି ବାଙ୍ଗାଲୋର୍ ସହର । ପିଲାଟା ଓଡିଆ ଦମ୍ପତିଙ୍କର ।
- ଛ' ବର୍ଷ ! ନାଃ ଅଧିକା ହୋଇଥବ । ଏତେ ଛୋଟ ପିଲାକୁ ...
ଷ୍ଟେନୋବାବୁ କଥା ଯୋଡିଲେ ।
- କିଛି ଅସମ୍ଭବ ନୁହଁ । ସେ କ'ଣ ମଣିଷ ହୋଇଥିବ ? ଛୁଆଖିଆ ରାକ୍ଷସଟେ
ନା !
ପ୍ରମିଳା ଦିଦି ଚିହିଁକି କହିଲେ ।
- ଆରେ ନୂଆକଥା କ'ଣ ? ନୀଠାରିରେ କ'ଣ ହେଇଥଲା ? ଆମ ଏଠି ପରା
ନବମ ଦଶମ ଛୁଆଙ୍କୁ ପ୍ରେଗ୍ନେଟ୍ କରି ପକାଉଛନ୍ତି ?
ମୁଁ ଶୁଣୁଥିଲି ଚୁପ୍ ହୋଇ । ଛାତି କମ୍ପୁଥିଲା । କମ୍ପିବନି କେମିତି ?
ମୁଁ ଝିଅର ବାପାଟିଏ ପରା !
[୫]
ପିଂକି !
ଆଗପରି ଆଉ ଚୁଲବୁଲି ନଥିଲା । ଟିକେ ଚୁପଚାପ୍, ଟିକେ ଅନ୍ୟମନସ୍କ ।
ମୋ କୋଳକୁ ଆସୁନଥିଲା । ସବୁକଥା ଏବେ ମା' ପାଖରେ । ସେଇ ଇର୍ଷାରେ ମୁଁ କଷ୍ଟ ପାଉଥିଲି ।
ସୌମ୍ୟା ବୁଝାଏ -
- ଏସବୁ ସାଧାରଣ । ମୋ' ଛୋଟବେଳେ ଏମିତି ହୋଇଥିଲା । ଦୁଃଖ କରନା ।
ଝିଅ ବଢୁଛି ।
ମୋ'ଠୁଁ ଦୁରେଇ, ଆଉ କା' ନିକଟ ହୋଇଯିବନି ତ ପିଂକି ?
ସେଇ ଆଉ କିଏ ଜଣେ ସ୍ନେହର ସଜ୍ଞା ବଦଳାଇବାକୁ କେତେବା ସମୟ
ନେବ ଆଉ ?
ଭୟଟିଏ ଦୁଃଖକୁ ଆଉଟାଇ ଦେଉଥିଲା ଖାଲି ।
[୬]
- ଶିଘ୍ର ଆସ ଘରକୁ ।
- କ'ଣ ହେଲା ?
- ପିଂକି ସାଙ୍ଗ ମା' ଫୋନ୍ କରିଥିଲେ ଏବେ । ସ୍କୁଲ ଛାତରେ ଝିଅଟେ ମରିପଡିଛି ।
- ଏ ! କ'ଣ କହୁଛ ? କାହା ଝିଅ ? ମିସ୍ ଙ୍କୁ ଫୋନ୍ କର !
- କରିଥିଲି । ସୁଇଚ୍ ଅଫ୍ । ଆସ ଶିଘ୍ର ।
କେମିତି ସ୍କୁଲରେ ପହଞ୍ଚିଲୁ ଜଣାନାହିଁ । ଭିଡ଼ ଥିଲା । ପୋଲିସ୍ ପହଞ୍ଚିସାରିଥିଲା । ଭିତରକୁ ଛାଡ଼ୁ ନଥିଲେ । ଛୁଆଙ୍କୁ ପରିଚୟ ପତ୍ର ଦେଖି ଗେଟ୍ ବାହାରକୁ ଛାଡ଼ୁଥିଲେ ।
ପିଂକି ଆସିଲା । ଏକରକମ୍ ଦୌଡିଦୌଡି । ଭୟାତୁର ଛଳଛଳ ଆଖି ।
କୁଣ୍ଢେଇ ଧରିଲା ମୋତେ । କିଛିକ୍ଷଣ ମୁଁ ବି ଜାବୁଡି ଧରିଲି ଝିଅକୁ
। ଅଲଗା କରୁଥିଲା ସୌମ୍ୟା ଅପ୍ରସ୍ତୁତ ହୋଇ ।
- ଛାଡ଼ ତାକୁ । ବଡ଼ ପିଲାଟା । ଅଣନିଃଶ୍ଵାସୀ ହୋଇଯିବ ।
- "ଚୋପ୍" !!!!!
ଖୁବ୍ ଜୋର୍ ରଡିଟାଏ କଲି ମୁଁ ।
ଅର୍ଦ୍ଧାଧିକ ଭିଡ, ମୁହଁ ବୁଲାଇ ମୋରି ଆଡକୁ ଦେଖୁଥିଲେ ...।
✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿