Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

sushama Parija

Children Stories


3  

sushama Parija

Children Stories


ବାଃ ବାଃ ରେ ଚିନ୍ମୟ ସିଦ୍ଧାର୍ଥ ଶାହା

ବାଃ ବାଃ ରେ ଚିନ୍ମୟ ସିଦ୍ଧାର୍ଥ ଶାହା

5 mins 227 5 mins 227

ଲୋକମୁଖରେ କଥାଟିଏ ଅଛି”ତୁଳସୀ ଦୁଇ ପତ୍ରରୁ ବାସେ” । ଅର୍ଥାତ୍ ପିଲାଟିଏ ବଡ ହେଲେ କେମିତି ମଣିଷଟିଏ ହେବ ତାହା ତା’ର ବାଲ୍ୟ କାଳର କାର୍ଯ୍ୟ କଳାପରୁ ହିଁ ଜଣା ପଡି ଯାଏ । ସେମିତି କଥାଟିଏ .... ତେଲେଙ୍ଗାନାର ହାଇଦ୍ରାବାଦ୍ ସହରରେ ନିଜ ପରିବାର ସହିତ ରହନ୍ତି ଶ୍ରୀ ସିଦ୍ଧାର୍ଥ କାନ୍ତି ଲାଲ୍ ଶାହା । ତାଙ୍କର ବାର ବର୍ଷର ପୁଅ ଚିନ୍ମୟ ସିଦ୍ଧାର୍ଥ ଶାହା ଗୋଟିଏ ଇଂଲିଶ୍ ମିଡିୟମ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢେ । ଅନ୍ୟ ପିଲାମାନଙ୍କ ଭଳି ତା’ର ଜନ୍ମ ଦିନକୁ ମଧ୍ୟ ଖୁବ୍ ଧୁମଧାମରେ ପ୍ରତିବର୍ଷ ପାଳନ କରନ୍ତି ତା’ର ବାପ ମାଆ ।”ବାର୍ଥ ଡେ ପାର୍ଟି”କୁ ପାଖ ପଡୋଶୀ, ବନ୍ଧୁବାନ୍ଧବମାନଙ୍କ ସହିତ ଚିନ୍ମୟର ସାଙ୍ଗମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ । ଖୁବ୍ ସୁନ୍ଦର ସାଜସଜ୍ଜା ହୁଏ, ଖୁବ୍ ଦାମୀ କେକ୍ ତିଆରି ହୁଏ, ଭୋଜିଭାତରେ ପରସା ହୁଏ ନାନା ରକମର ସ୍ୱାଦିଷ୍ଟ ଖାଦ୍ୟ, ପାନୀୟ ଏବଂ ମିଠା । ବହୁତ ଗୁଡିଏ ଦାମୀ ଉପହାର ମିଳେ ଚିନ୍ମୟକୁ ଏବଂ ଖୁବ୍ ଆନନ୍ଦରେ ସେ ତା’ର ଜନ୍ମ ଦିନଟି ବିତାଏ ସାଙ୍ଗସାଥୀଙ୍କ ମେଳରେ । ଏଇ ବର୍ଷ ମଧ ତା’ର ଜନ୍ମଦିନ ଖୁବ୍ ଧୁମଧାମରେ ପାଳନ କରିବାକୁ ସ୍ଥିର କରିଥିଲେ ତା’ର ବାପା ଶ୍ରୀ କାନ୍ତିଲାଲ୍ ଶାହା । ବହୁତ ଆଗରୁ ସେଥିପାଇଁ ବଜେଟ୍ ମଧ୍ୟ କରି ସାରିଥିଲେ । 

ସେଇ ସମୟରେ ଦେଶକୁ ଅଚାନକ ମାଡି ଆସିଲା”କରୋନା” ମହାମାରୀ । ଛିଙ୍କ, କାଶ ଏବଂ ସ୍ପର୍ଶରେ ବ୍ୟାପୁଥିବା ମହାମାରୀ”କରୋନା” ଖୁବ୍ ଆତଙ୍କ ଖେଳାଇ ସାରିଥିଲା ଅନେକ ବିକଶିତ ଦେଶମାନଙ୍କରେ, ଯାହା ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇ ଭୟର ବାତାବରଣ ଖେଳାଇ ଦେଇଥିଲା ସାରା ବିଶ୍ୱରେ । ତା’ର ଭୟାବହ ପରିଣତି ଆଶଙ୍କାରେ ଭାରତ ସରକାର ଆରମ୍ଭ କଲେ ଶଟ୍ ଡାଉନ୍, ଲକ୍ ଡାଉନ୍ ଭଳି ପ୍ରତିଷେଧକ ବ୍ୟବସ୍ଥା । ସ୍କୁଲ୍, କଲେଜ ଦୋକାନ ବଜାର, କଳ କାରଖାନା ସବୁ ବନ୍ଦ ହୋଇଗଲା । ଲୋକମାନେ ଗୃହବନ୍ଦୀ ହୋଇ ରହିଲେ, ରୋଜଗାର ହରାଇ ଭୋକ ଉପାସରେ ରହିଲେ । ଯେତେ ଯାହା ପ୍ରତିକାର କଲେ ମଧ୍ୟ ମହାମାରୀ କମିବାର ନାଆଁ ନେଲାନି ବରଂ ଦିନକୁ ଦିନ ବୃଦ୍ଧି ପାଇ ”ବିଶ୍ୱମାରୀ”ରେ ପରିଣତ ହେଲା । ମଣିଷ ଠାରୁ ପଶୁ ପକ୍ଷୀ ସମସ୍ତେ ଅକଥନୀୟ ଯନ୍ତ୍ରଣା ଭୋଗିଲେ । ବାପା ମାଆଙ୍କ ସହିତ ସବୁଦିନ ସେ ସବୁ ସମାଚାର ଟିଭିରେ ଦେଖୁଥିଲା ଆଉ ସମ୍ବାଦପତ୍ରରେ ପଢୁଥିଲା ଚିନ୍ମୟ । ସେ ଦେଖୁଥିଲା କେମିତି କରୋନା ସମୟରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ ସାହାଯ୍ୟ ଯୋଗାଇ ଦିଆ ଯାଉଛି । ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗରିବ ଲୋକମାନଙ୍କୁ ସେମାନଙ୍କ ରହିବା, ଖାଇବା ଔଷଧପତ୍ର ସବୁ ଯୋଗାଇ ଦିଆଯାଉଛି । ଏ ସବୁ ଦେଖି ଦେଖି ତା’ର ପିଲାମନକୁ ଆସୁଥିଲା ଯେ ଏବେ ପଶୁ ପକ୍ଷୀମାନେ ତ ସେମିତି ଖାଇବା ପିଇବାକୁ ପାଉ ନ ଥିବେ, ଭୋକ ଉପାସରେ ସଢୁଥିବେ, ହେଲେ ସେମାନଙ୍କ କଥା ବୁଝୁଛନ୍ତି କିଏ? ସେମାନଙ୍କର ତ ପାଟି ଖୋଲୁନି ଯେ ସେମାନେ ନିଜର ଦୁଃଖ ଜଣାଇ ପାରିବେ, ନିଜ ଭୋକ କଥା କହି ପାରିବେ, ସେମାନଙ୍କ ଦୁଃଖ କିଏ ଶୁଣିବ ?

  ଦିନେ ସେ ଟିଭିରେ ଦେଖିଲା କିଛି ସ୍ଵେଚ୍ଛାସେବୀ ରାସ୍ତା କବର ବୁଲା କୁକୁରମାନଙ୍କୁ ରନ୍ଧା ଖାଦ୍ୟ ନେଇ ପରଶି ଦେଉଛନ୍ତି, ସେମାନେ କେତେ ଆନନ୍ଦରେ ତା’କୁ ଖାଉଛନ୍ତି । କେହି କେହି ପକ୍ଷୀମାନଙ୍କୁ ଖାଦ୍ୟ ଦେଉଛନ୍ତି, ସେମାନେ ମଧ୍ୟ କେତେ ଖୁସିରେ ସେ ସବୁ ଖାଉଛନ୍ତି । ଏସବୁ ଦେଖି ଚିନ୍ମୟର ମୁଣ୍ଡକୁ ଆସିଲା ”ଆଚ୍ଛା, ଏଇ ପଶୁ ପକ୍ଷୀ ମାନେ ସିନା ବାହାରେ ବୁଲୁଛନ୍ତି ବୋଲି ସ୍ଵେଚ୍ଛାସେବୀମାନେ ତାଙ୍କୁ ଖାଇବାକୁ ଦେଇ ପାରୁଛନ୍ତି, ହେଲେ ଚିଡିଆଖାନାରେ ଯେଉଁ ପଶୁ ପକ୍ଷୀ ମାନେ ଆବଦ୍ଧ ହୋଇ ରହୁଛନ୍ତି ତାଙ୍କ ଖାଇବା ପିଇବା କଥା ବୁଝୁଛନ୍ତି କିଏ? ସିଏ ତା’ ବାପାଙ୍କୁ ସେଇ କଥା ପଚାରିଲା । ବାପା ଉତ୍ତର ଦେଲେ  ”ସେମାନଙ୍କ ଖାଇବା ପିଇବା କଥା ଚିଡିଆଖାନା କର୍ତ୍ତୃପକ୍ଷ ବୁଝନ୍ତି,ସେ ସବୁ ଖର୍ଚ୍ଚ ହୋଇଥାଏ ଦର୍ଶକ ମାନେ ଦେଉଥିବା ଟଙ୍କାରୁ” । ପୁଣି ପଚାରିଲା ଚିନ୍ମୟ, ”କିନ୍ତୁ ବାପା ! ଏବେ ତ ପ୍ରାୟ ଛଅ ମାସ ହେବ କେହି ଦର୍ଶକମିନେ ଚିଡିଆଖାନାକୁ ଯାଉ ନାହାଁନ୍ତି, ତେବେ ସେମାନେ କେମିତି ତାଙ୍କ ଖାଇବା ପିଇବା କଥା ବୁଝୁଛନ୍ତି?” । ଚିନ୍ମୟର କଥା ଶୁଣି ବାପା କିଛି ସମୟ ଭାବିଲେ ଆଉ ମନ ଦୁଃଖରେ କହିଲେ”ଏବେ ନିଶ୍ଚୟ ସେମାନଙ୍କ ଖାଇବା ପିଇବାରେ ଅସୁବିଧା ହେଉଥିବ, ସମ୍ଭବତଃ ସେମାନଙ୍କୁ ଅଧାପେଟ ଖାଇବାକୁ ଦିଆ ଯାଉଥିବ” । ସେମାନଙ୍କ କଥା ଭାବି ଖୁବ୍ ଦୁଃଖ ଲାଗୁଥିଲା ଚିନ୍ମୟକୁ । ସିଏ ଦେଖିଥିଲା ତାଙ୍କ ଘରେ ଥିବା ପୋଷା କୁକୁର” ଟାଇଗର” ଦିନେ ଦିନେ ତା’ ପେଟ ନପୂରିଲେ କେମିତି ଭାଉଁ ଭାଉଁ ହୋଇ ବୋବାଳି ଛାଡେ, ମାଆ ସେ କଥା ବୁଝିପାରି ତା’କୁ ଆହୁରି ଖାଦ୍ୟ ନେଇ ଦିଅନ୍ତି, ସେସବୁ ଖାଇଦେଇ ଟାଇଗର ଆନନ୍ଦରେ ଲାଞ୍ଜ ହଲାଇ ଦୌଡି ଯାଏ ମାଆ ପାଖକୁ ଆଉ ଲଦି ଘଷି ହୁଏ ମାଆଙ୍କ ପାଖରେ । ସତେ ଯେମିତି ସେ କୃତଜ୍ଞତା ଜଣାଇ କହେ”ତମେ ମୋ’ ମନ କଥା ଠିକ୍ ବୁଝିପାରିଲ ମାଆ !” । ଟାଇଗରର କଥା ମନେ ପଡିବାରୁ ଚିନ୍ମୟର ଚିଡିଆଖାନାରେ ଯନ୍ତା ଭିତରେ ଦେଖିଥିବା ବାଘ କଥା ମନେ ପଡିଲା । ସେ ଭାବିଲା ଆହା ! ସେ ବାଘଟି’ତ ସେମିତି ଅଧାପେଟ ଖାଇ ବିକଳ ଆକୁଳ ହେଉଥିବ ! ଚିନ୍ମୟକୁ ଖୁବ୍ ଦୁଃଖ ଲାଗୁଥିଲା । ସେଇ କଥା ସେ ଚିନ୍ତା କଲା । ରାତି ସାରା ତା’କୁ ନିଦ ହେଲାନି । ତା’ ମନରେ, ଆଖିରେ ଖାଲି ସେଇ ବାଘ କଥା ନାଚି ଯାଉଥିଲା । ସକାଳ ହେବାରୁ ସେ ଯାଇ ତା’ ବାପାଙ୍କୁ କହିଲା”ଆଚ୍ଛା ବାପା! ଆମେ କିଛି ଖାଦ୍ୟ ନେଇ ଚିଡିଆଖାନାରେ ଦେଇ ଆସନ୍ତେନି ସେଇ ପଶୁ ପକ୍ଷୀମାନଙ୍କ ପାଇଁ ? ସେମାନେ ଅଧା ପେଟ ଖାଇ ବହୁତ କଷ୍ଟରେ ଥିବେ ନା’ ?” । ଛୋଟ ପୁଅ ଟିର ମନ କଥା ଠିକ୍ ବୁଝିପାରିଲେ ବାପା । ତାଙ୍କର ଛୋଟ ପୁଅର ମନରେ ଜୀବଜନ୍ତୁଙ୍କ ପ୍ରତି ଥିବା ଦୟା ଦେଖି ସେ ଅଭିଭୁତ ହେଲେ । ସେ କହିଲେ” ଚିଡିଆଖାନାରେ ଥିବା ଜୀବଜନ୍ତୁଙ୍କୁ ଆମେ ସିଧା କୌଣସି ଖାଦ୍ୟ ପଦାର୍ଥ ଦେଇ ପାରିବା ନାହିଁ ବାବୁ ! ସେଇଟା ଆଇନ ବିରୁଦ୍ଧ । କିନ୍ତୁ ଆମେ ଯଦି ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ କିଛି ଅର୍ଥ ସାହାଯ୍ୟ ଆକାରରେ ଦେବା ତେବେ ସେମାନେ ନେବେ ଏବଂ ଆମକୁ ରସିଦ୍ ମଧ୍ୟ ଦେବେ । ତାଙ୍କର ହିସାବ ଖାତାରେ ସେଇ ଅର୍ଥକୁ ଜମା ରଖି ସେମାନେ ଜୀବଜନ୍ତୁଙ୍କ ଖାଦ୍ୟ ପେୟ ବାବଦରେ ଖର୍ଚ୍ଚ କରି ପାରିବେ” । 

ବାପାଙ୍କ କଥା ଶୁଣି ଚିନ୍ମୟ ଖୁସି ହୋଇଗଲା । ସେ ବାପାଙ୍କୁ ଅନୁରୋଧ କଲା”ବାପା, ତୁମେ ଏ ବର୍ଷ ମୋ’ର ଜନ୍ମଦିନ ପାଳନ ପାଇଁ ଯେଉଁ ଟଙ୍କା ଭୋଜିଭାତରେ ଖର୍ଚ୍ଚ କରିଥାଆନ୍ତ, ଚାଲ ସେଇ ଟଙ୍କାକୁ ଆମେ ନେଇ ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ ଦେଇଦେବା ଏବଂ ସେମାନଙ୍କୁ ଅନୁରୋଧ କରିବା ସେଥିରେ ସେମାନେ ସେହି ଜୀବଜନ୍ତୁଙ୍କୁ ଖାଦ୍ୟ ପେୟ ଯୋଗାଇ ଦେବେ” । ପୁଅର ମଣିଷ ପଣିଆ ଦେଖି ଖୁବ୍ ଆନନ୍ଦ ହେଲେ ବାପା ମାଆ । ଆଜିକାଲି ପିଲାଏ ଯେତେବେଳେ ନିଜ ସୁଖକୁ ସର୍ବୋପରି ଭାବୁଛନ୍ତି, ସେଇ ସମୟରେ ତାଙ୍କ ପୁଅ ଅନ୍ୟମାନଙ୍କର ଦୁଃଖ ସୁଖ କଥା ଚିନ୍ତା କରୁଛି ଏବଂ ନିଜର ସୁଖକୁ ତ୍ୟାଗ କରି ସେମାନଙ୍କୁ ସୁଖ ଦେବାକୁ ଚାହୁଁଛି ସେଇଟା ସବୁଠାରୁ ବଡ ଖୁସି ଥିଲା ସେମାନଙ୍କ ପାଇଁ । ଦୁଇ ଦିନ ମଧ୍ୟରେ ଶ୍ରୀ ସିଦ୍ଧାର୍ଥ କାନ୍ତିଲାଲ୍ ଶାହା ତେଲେଙ୍ଗାନାର ନେହେରୁ ପ୍ରାଣୀ ଉଦ୍ୟାନ ( ଚିଡିଆଖାନା) କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ । ସେଠାକୁ ସପରିବାର ଯାଇ ସେଠାରେ ଥିବା ଗୋଟିଏ ବାଘକୁ ପୋଷ୍ୟ ଭାବରେ ଗ୍ରହଣ କରି ତା’ର ତିନି ମାସର ଖର୍ଚ୍ଚ ବାବଦକୁ ଚିନ୍ମୟର ଛନ୍ଦି ନ ପାଇଁ ରଖିଥିବା ପଚିଶି ହଜାର ଟଙ୍କା ଦାନ କରିଦେଲେ । ଯେତେବେଳେ ଚିଡିଆଖାନା କର୍ତ୍ତୃପକ୍ଷ ଜାଣିଲେ ଯେ ଏହା ଚିନ୍ମୟର ବିଶେଷ ଆଗ୍ରହ ଥିଲା ବୋଲି, ସେମାନେ ଖୁବ୍ ଖୁସି ହେଲେ । ଚିନ୍ମୟକୁ ବହୁତ ପ୍ରଶଂସା କରିବା ସହ ଆଶୀର୍ବାଦ ମଧ୍ୟ କରିଥିଲେ । ସେମାନେ ସମସ୍ତେ ଏକ ସ୍ୱରରେ କହିଲେ”ବାଃ, ବାଃରେ ଚିନ୍ମୟ ! ଯଦି ତୁମ ଭଳି ଏମିତି ଆଉ କିଛି ପିଲା ଚିନ୍ତା କରନ୍ତେ କେତେ ଭଲ ହୁଅନ୍ତା, କେତେ ପ୍ରାଣୀମାନଙ୍କର ଜୀବନ ରକ୍ଷା ହୋଇ ପାରନ୍ତା ସତେ !” । ପିଲାମାନେ ! ”ଜୀବେ ଦୟା” ପରମଧର୍ମ ବୋଲି ଶାସ୍ତ୍ରରେ ଲେଖା ଅଛି । କାଳେ କାଳେ ମହତ ଜନ ମାନେ ମାନେ ମଧ୍ୟ ସେହି ଉପଦେଶ ଦେଇଛନ୍ତି ମଣିଷ ସମାଜକୁ । 



Rate this content
Log in

More oriya story from sushama Parija

Similar oriya story from Children Stories