ଅସରା ଗପ
ଅସରା ଗପ
ବାପା ବିଦେଶରେ ରହନ୍ତି ।
ଘରେ ମାଆ ଝିଅ ଦୁଇ ଜଣ ।
ସବୁଦିନେ ରାତି ହେଲେ ବାପା କଥା ପଚାରେ ଝିଅ । ପଚାରେ - ବାପା କେବେ ଆସିବେ ?
- "କମ୍ପାନୀ ଚାକିରି । ଛୁଟି କାହିଁ ଯେ ଘରକୁ ଆସିବେ ସେ । ତା' ଛଡା ଯେତେ ବେଶୀ ଆସିବେ,ସେତେ ବେଶୀ ପଇସା ଗାଡିଭଡାରେ ଯିବ । ସ୍ୱଳ୍ପ ଦରମା । ତୋ ଭବିଷ୍ୟତ ପାଇଁ ତ କିଛି ରଖିବାକୁ ହେବ ।”ମାଆ କହେ ।
ହେଲେ ସବୁବେଳେ ଏଇ କଥାକୁ କେତେ କହିବ ମାଆ ! ତେଣୁ ବାହାନା କରେ । ରଜାଘର ଗପ ଶୁଣାଏ । ଶୁଣି ଶୁଣି ଝିଅର ଆଖିକୁ ନିଦ ଆସିଯାଏ । ସେ ଶୋଇ ପଡେ । ତା' ପାଖରେ ଶୋଇ ପଡେ ମାଆ ।
ବୟସ ତ ଅଟକି ଯାଏ ନାହିଁ । ପ୍ରବହମାନ ନଦୀ ପରି ସବୁବେଳେ ଧାଉଁଥାଏ ଆଗକୁ ଆଗକୁ ।
ଧୀରେ ଧୀରେ ଝିଅ ବଡ ହେଲା । ତା'ର କୋମଳ ତନୁରେ ରୂପର ରୋଷଣୀ ଜଳିଲା । ତାକୁ ଦେଖି ଲାଜେଇଲା ସରସୀର କଇଁ । ଚଗଲା ବାଦଲ ସାଙ୍ଗରେ ଚୁପି ଚୁପି କଥା ହେବାକୁ ଚାହିଁଲା ସେ । ସଜେଇ ହେଲା । କଥା କହିଲା ତା'ର ଢଳ ଢଳ ଆଖି । ମନରେ ପ୍ରେମର ନିଆଁ ଲାଗିଲା ।
ଆଉ ବାପାଙ୍କ କଥା ନୁହେଁ, ଝିଅ ଏବେ ଅନ୍ୟ କିଛି କଥା ମାଆଙ୍କୁ ପଚାରି ବୁଝିବାକୁ ଚାହିଁଲା ।
ପ୍ରେମର ପ୍ରଥମ ପାହାଚରେ ପାଦ ଦେଇଥିଲା ଝିଅ । ଦିନ କେତେଟା ଗୁମସୁମରେ ବିତାଇଲା ।
ପ୍ରେମ ପାଇଁ ମନ ଅସ୍ଥିର ହେଲାଣି । ମନେମନେ ପୁରୁଷର ସଙ୍ଗ ଲୋଡିଲାଣି ଝିଅ । ବୟସର କଥା ଇଏ । ବୁଝି ପାରିଲା ମାଆ । ଚୁପ୍ ରହିଲା ।
ଦିନେ ରାତିରେ ଶୋଇବାକୁ ଯାଉଥିଲା ମାଆ । - “ମାଆ ! ଶୋଇପଡିଲ କି ? “ହଠାତ୍ ପଚାରିଲା ଝିଅ ।
- “ଶୋଇନାହିଁ,ଝିଅ । ତତେ ଯଦି ନିଦ ମାଡୁଛି ତେବେ ଶୋଇପଡ ।”କହିଲା ମାଆ ।
- "ମୋର କାହିଁକି ଆଜି ପୁଣି ତୁମ ସହିତ ବେଶୀ ବେଶୀ କଥାବାର୍ତ୍ତା ହେବାକୁ ମନ ହେଉଛି ।”ଝିଅ କହିଲା ।
- "ହଁ ଯେ ! କିନ୍ତୁ କ'ଣ କହିବି ? କିଛି ପଚାରିଲେ ସିନା କହିବି ।”ମାଆ କହିଲା ।
- "ମାଆ ତୁମେ ଯେତେବେଳେ ବାହା ହେଲ ସେତେବେଳେ କେତେ ବଡ ହୋଇଥିଲ ?”ଝିଅ ପଚାରିଲା ।
ଝିଅର ଏ ପ୍ରଶ୍ନରେ ମାଆ ଆଶ୍ଚର୍ଯ୍ୟ ହେଲେ ବି କହିଲା - “ଚଉଦ ବର୍ଷର ହୋଇଥିଲି । ବାହା ହୋଇ ଶାଶୁଘରକୁ ଆସିଲି । ବାହାଘର ପରେ ବି ମତେ କଣ୍ଢେଇ ଖେଳ ଭଲ ଲାଗୁଥିଲା । ବାପଘରକୁ ଗଲେ କଣ୍ଢେଇ ନେଇ ବହୁତ ଖେଳୁଥିଲି । ତୋ ଚାହିଁ ବହୁତ ସାନ ଥିଲି ସେତେବେଳେ ।”
- “ସେତେବେଳେ ଆଉ କ'ଣ କ'ଣ ସବୁ କରିବାକୁ ଇଚ୍ଛା ହେଉଥିଲା ତୁମର,ମାଆ ? “ଝିଅ ପୁଣି ପଚାରିଲା ।
- “ଶାଶୁଘରେ ମାଆ ବାପାଙ୍କ କଥା ମୋର ଖୁବ୍ ମନେ ପଡୁଥିଲା ଆଉ କାନ୍ଦୁଥିଲି । ତୋ ବାପା ମତେ ତୁନି କରାଇ ଦେଉଥିଲେ । ତୁନି କରାଉ କରାଉ ସେ' ବି କାନ୍ଦି ପକାଉଥିଲେ ।” ମାଆ କହିଲା ।
- “ମାଆ ,ତୁମେ କଲେଜ ମାଟି ମାଡିନ ତେବେ ?“ ଝିଅ ପୁଣି ପଚାରିଲା ।
- “କଲେଜ କ'ଣ ମୁଁ ତ ଗାଆଁ ସ୍କୁଲକୁ ବି ଯାଇନି । ତେବେ ଘରେ ରହି ଦ୍ୱିତୀୟ ଶ୍ରେଣୀ ପାଠ ଶେଷ କରିଥିଲି । ରନ୍ଧା ବଢା ଶିଖିନଥିଲି । ଶାଶୁଘରେ ଶିଖିଲି । ଶାଶୁ ମରିଯିବା ପରେ ସବୁ କାମ କଲି । ଧୀରେ ଧୀରେ ଘର ସଂସାର ଭିତରେ ପଶିଗଲି ।” ମାଆ କହିଲା ।
- “ତୁମ ଶାଶୁ କେମିତି ମଲେ,ମାଆ ?“ ଝିଅ ପୁଣି ପଚାରିଲା ।
- “ସକାଳେ ପଦା ଆଡୁ ନିତ୍ୟକର୍ମ ସାରି ଫେରିଲେ । କେଉଁଠୁ ବାଟରେ ଡରି କରି ଆସିଥିଲେ କେଜାଣି, ଘରେ ପହଞ୍ଚିଲା ବେଳକୁ ଦେହରେ ଜର । ତା' ପରେ ଆଉ ଉଠି ନାହାନ୍ତି ।” ମାଆ କହିଲା ।
ଝିଅ ପୁଣି ପଚାରିଲା ତା'ର ପ୍ରଶ୍ନ । କେତେ କଥା ପଚାରି ପାରିଲା । କେତେ କଥା ଇଚ୍ଛା କରି ମଧ୍ୟ ପଚାରି ପାରିଲା ନାହିଁ । ପ୍ରଶ୍ନ ଛିଡୁ ନ ଥିଲା । ଉତ୍ତର ବି ସରୁ ନ ଥିଲା ।
କାଉର କାଆରେ ରାତି ପାହିବାର ସୂଚନା ମିଳିଲା । ମାଆ କହିଲା - “ଝିଅ ! ରାତି ପାହିଗଲା ବୋଧହୁଏ ।”
- “ରାତି ପାହିଗଲା କେତେବେଳେ ! ଆଦୌ ଜଣା ବି ପଡିଲାନି । ଗପ ତ ସରିନି ଏଯାଏ ।” ଝିଅ ଉଠି ବସି କହିଲା ।
ମାଆ କହିଲା - “ଇଏ ପରା ଅସରା ଗପ । କେବେ ସରେ କ'ଣ ? “
ମାଆର କଥା ଶେଷରେ ଝିଅ ଖୁବ୍ ଅନ୍ୟମନସ୍କ ହୋଇଗଲା । ବାହାରୁ ଶୁଭୁଥିଲା କୁନି କୁନି ଚଢେଇ ମାନଙ୍କର କିଚିରି ମିଚିରି ଗୀତ ।