ଅନ୍ଧାର ଭଲ
ଅନ୍ଧାର ଭଲ
ଖୁବ୍ ଡେରିରେ ଅନ୍ଧାରକୁ ଭଲପାଇଲି।ଅନ୍ଧାରରେ ରହିବାକୁ ନିଷ୍ପତ୍ତି ନେଲି।
ଡେରି ହେଲା ଏଇଥିପାଇଁ ଯେ ଆଲୋକ ଉପରୁ ମୋର ଆସ୍ଥା, ବିଶ୍ୱାସ ତୁଟି ନ ଥିଲା।
ବାପା କହିଥିଲେ, ଜୀବନରେ ସବୁବେଳେ ଆଲୋକର ଅନ୍ୱେଷଣ କରିବୁ।ଆଲୋକକୁ ଭଲପାଇବୁ।ଗୁରୁତ୍ୱ ଦେବୁ।ଆଲୋକିତ ଜୀବନ ହିଁ ଦିବ୍ୟ ଜୀବନ।
ଗୁରୁ କହିଥିଲେ, ଜୀବନକୁ ଆଲୋକିତ କରିବାକୁ ହେଲେ ନିଷ୍ଠା, ସାଧନା ଓ ଅଧ୍ୟବସାୟର ଆବଶ୍ୟକତା ଥାଏ।ଆଲୋକ ଜୀବନକୁ ଆଗକୁ ନିଏ।ଲକ୍ଷ୍ୟ ପୂରଣ ଦିଗରେ ସାହାଯ୍ୟ କରେ।ଜୀବନରେ ନୂଆ ସ୍ୱାଦ ଭରେ।ଜ୍ଞାନର ଭଣ୍ଡାର ଦେଖାଏ।
ଏଠି ତ ଏବେ ସ୍ୱପ୍ନର କେତେ ଭାଗ ପୂରଣ ହେଲା ସେଇଟା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ସ୍ୱପ୍ନ ଦେଖିବା,ସ୍ୱପ୍ନରେ ଜୀଇଁବା।ଗୋଟିଏ ମୁହୂର୍ତ୍ତ ହେଉ ବା ଗୋଟିଏ ଦିନ ସ୍ୱପ୍ନ ହିଁ ବଞ୍ଚିବାର ଖୋରାକ୍ ଯୋଗାଏ।ଆଲୋକ ବିନା ସ୍ୱପ୍ନ ଦେଖିହେବ କେମିତି?ତେଣୁ ମୋର ଆଲୋକ ଲୋଡ଼ା ଥିଲା।ସବୁବେଳେ ଆଲୋକକୁ ଖୋଜୁଥିଲି ମୁଁ।ଆଲୋକକୁ ଭଲପାଇ ଜୀବନ ବଞ୍ଚୁଥିଲି।
ଜାଣିଥିଲି ଅନ୍ଧାରରେ ସ୍ୱପ୍ନର ଆୟୁଷ ନ ଥାଏ।ଅନ୍ଧାରରେ ଯେଉଁ ସ୍ୱପ୍ନ ଦେଖାଯାଏ କ୍ଵଚିତ ତାହା ପୂରଣ ହେବା ଦେଖାଯାଏ।ତେଣୁ ଅନ୍ଧାରକୁ ଖୋଜୁ ନ ଥିଲି ମୁଁ।ଆଦୌ ଅନ୍ଧାର ପଛରେ ନ ଥିଲି।ମୋ ଭିତରେ ଅନ୍ଧାର ପାଇଁ ଟିକେ ବି ଆଗ୍ରହ ନ ଥିଲା।
ସକାଳ ଆରମ୍ଭ ହେଲେ ମୋର ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇ ଯାଉଥିଲା।ଦୃଢ଼ ଚିତ୍ତ ଓ ସମସ୍ତ ଅନ୍ତର୍ନିହିତ ଶକ୍ତି ଖଟେଇ ମୁଁ ସେହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ଯାଉଥିଲି।ଜାଣିଥିଲି ସିଦ୍ଧିର ରାସ୍ତା ସବୁବେଳେ ଅଙ୍କାବଙ୍କା।ସେଥିପାଇଁ ଏକ ପ୍ରତିଶ୍ରୁତିବଦ୍ଧ ଶରୀର ଓ ମନ ନେଇ ମୁଁ ଆଗକୁ ଆଗକୁ ଯିବାରେ ଲାଗିଥିଲି।
ଭଲ ମଣିଷମାନେ ଆଲୋକରେ ବଞ୍ଚନ୍ତି।ଆଲୋକରେ ବଞ୍ଚିବାରେ ଆଫୁରନ୍ତ ଆନନ୍ଦ ଥାଏ।ଏକ ଉଦଭାସିତ ଆଲୋକର ବଳୟ ଭିତରେ ନୀରବରେ ହଜିବାକୁ କିଏ ବା ଭଲ ନ ପାଏ ଯେ!ଏଠି ତ ସମୟ ଓ ଜୀବନର ପ୍ରତି ମୁହୂର୍ତ୍ତରେ ସଂଘର୍ଷ।ପ୍ରାଣ ସବୁବେଳେ ଉଦ୍ଦୀପନାରେ ଜଡ଼ିତ।ତେଣୁ ଆଲୋକର ସନ୍ଧାନରେ ମଣିଷ ରହିବାକୁ ବାଧ୍ୟ।ମୁଁ ବାଦ୍ ପଡ଼ିଥାନ୍ତି କେମିତି?ସବୁ ସମୟରେ ଆଲୋକର ସନ୍ଧାନ ହିଁ କରୁଥିଲି।
କିନ୍ତୁ ଦିନେ ହାରିଗଲି ମୁଁ।ଦେଖିଲାବେଳକୁ ମୋ ମନ ଓ ଦେହସାରା ଖାଲି ଦାଗ ଓ ଆଘାତ।ଯେଉଁ ଆଲୋକ ଆଡ଼କୁ ଶ୍ରଦ୍ଧାରେ ହାତ ଲମ୍ବେଇଥିଲି ସେ ଖଣ୍ଡେ ଜଳନ୍ତା ଅଙ୍ଗାର ହୋଇ ମୋର ହାତ ଜାଳିଦେଲା।ମୁଁ ନିର୍ବାକ୍ ଠିଆ ହୋଇ ରହିଲି।ଆଖିରୁ ଲୁହ ପୋଛିଲି।
ଏଠି ଆଲୋକର ସନ୍ଧାନ କଲେ ମିଳେ ଆଘାତ ଓ ନିର୍ଯ୍ୟାତନା।ଯେଉଁମାନେ ଆଘାତ ଓ ନିର୍ଯ୍ୟାତନା ଦିଅନ୍ତି ସେଇମାନେ ହିଁ ଆହା ପଦ କୁହନ୍ତି।ଅଶୁଭ ଆତ୍ମା ପରି ସେମାନେ ଆଲୋକର ସନ୍ଧାନୀକୁ ଘେରି ରହିଥାନ୍ତି ସବୁବେଳେ।ବିଳମ୍ବରେ ହେଲେ ମଧ୍ୟ ମୁଁ ଏସବୁ ବୁଝିଗଲି।ଆଲୋକ ମୋତେ ଆଉ ଭଲଲାଗିଲା ନାହିଁ।ଆଲୋକ ଉପରୁ ଥିବା ମୋର ଆସ୍ଥା ଓ ବିଶ୍ୱାସ ତୁଟିଗଲା।
ଏବେ ଯେମିତି ଅନ୍ଧାରକୁ ଭଲପାଇବାକୁ ମୁଁ ବାଧ୍ୟ ଥିଲି।ମୋତେ ଭଲଲାଗିଲା ଅନ୍ଧାର।ଭଲଲାଗିଲା ତା'ର ନିରୀହ ନିର୍ଜନତା।ଭଲଲାଗିଲା ତା'ର ମୌନ ଅଭିସାର।ମୁଁ ତା' ଆଡ଼କୁ ହାତ ବଢ଼ାଇବାକ୍ଷଣି ସେ ମୋତେ କୋଳେଇ ନେଲା।ମୋ ଆଖିରୁ ଲୁହ ପୋଛି ମୋତେ ଆଶ୍ବାସନା ଦେଲା।ମୋ ଛାତିରେ ସୁଖରେ,ଶାନ୍ତିରେ ବଞ୍ଚିବାର ବିଶ୍ୱାସ ଭରିଲା।କୋଳରେ ଭିଡ଼ି ଧରି ମୋ ଅସହାୟତାକୁ ଦୂର କଲା।ମୋ ମନ ଓ ଦେହର ଦାଗ ଓ ଆଘାତକୁ ଶୁଖାଇଲା।
ଅଣନିଃଶ୍ୱାସ ହୋଇ ଥକି ଯାଇଥିବା ଜୀବନକୁ ମୁଁ ଏବେ ଅନ୍ଧାରରେ ଖୋଜିବାକୁ ଲାଗିଲି।ଖୋଜିଲି ଜୀବନର ଅପହୃତ ଐଶ୍ୱର୍ଯ୍ୟ।ନା ଥିଲା ଭୟ, ନା ଥିଲା ଚାପ, ନା ଥିଲା ଅନୁଶୋଚନା,ନା ଥିଲା ଅନୁତାପ।ବେଶ୍ ଖୁସି ଥିଲି ମୁଁ।ଗୋଟେ ଏକଦମ ନୂଆ ସୁନ୍ଦର ଜୀବନ ବଞ୍ଚିବାକୁ ଲାଗିଲି।
ଏବେ ନୂଆ ବିଶ୍ୱାସ ଥିଲା ମୋ ମନରେ।ମୋ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ମୁଁ ଅନାୟାସରେ ଅତିକ୍ରମ କରିପାରିବି ଭାବୁଥିଲି।ସତରେ ଅନ୍ଧାର ନ ଥିଲେ ମୁଁ କ'ଣ ସାଉଁଟି ପାରିଥାନ୍ତି ଏଇ ଆତ୍ମପ୍ରତ୍ୟୟ!ଶିଖି ପାରିଥାନ୍ତି ଜୀବନ ଜୀଇଁବାର ଗୁରୁମନ୍ତ୍ର!ଅନ୍ଧାର ଭଲ।
