Prasant Kumar Nath

Others Tragedy

3  

Prasant Kumar Nath

Others Tragedy

ଅଳ୍ପ ଦିନର ଗଳ୍ପ

ଅଳ୍ପ ଦିନର ଗଳ୍ପ

4 mins
7.6K


ସେଦିନ ମୋର ଜଣେ ସାଙ୍ଗ ବାହାଘର ଯୋଗ ଦେବାକୁ ଯାଇଥିଲି । ସମସ୍ତେ ବାହାଘରରେ ମାତିଥାନ୍ତି । କ’ଣ ହେଲା କେଜାଣି ହଠାତ ଗୋଟେ ଝିଅଟେ ମୋ ପାଖକୁ ଧାଇଁ ଆସିଲା ।ମୋତେ କୁଣ୍ଢେଇ ପକେଇଲା । ମୋର ଛାତି ଉପରେ ମୁଣ୍ଡ ରଖି ବହେ କାନ୍ଦିଲା । ଆଉ କହିଲା ଏତେ ଦିନ ହେଲା ମୋତେ ଛାଡି କୁଆଡେ ଯାଇଥିଲ । ତୁମକୁ କେତେ ଖୋଜିଲିଣି । ତୁମ ପାଇଁ କେତେ କାନ୍ଦିଲିଣି । ତୁମର କ’ଣ ମୋ କଥା ମନେ ପଡୁନଥିଲା । ମୋତେ ଖୁବ ଜୋରରେ ଜାବୁଡି ଧରିଥିଲା ସିଏ । ଦେଖିବାକୁ ବହୁତ ସୁନ୍ଦର । ସତେ ଯେମିତି କଣ୍ଢେଇଟେ। ନୀଳ ନୀଳ ଆଖି,ଗୋରା ଗୋରା ଗାଲ, ନାଲି ଟହଟହ ଓଠେ ଆଉ ସେହି ଓଠରେ ଥିଲା ଗୋଟେ କଳାଜାଇ । ଯାହା ତାକୁ ଆହୁରି ସୁନ୍ଦର କରି ଗଢି ତୋଳୁଥିଲା । କିନ୍ତୁ ମୁଁ ତାକୁ ଚିହ୍ନିନି କି ଜାଣିନି । ତାପରେ ମୁଁ କେଉଁ ଝିଅକୁ ଭଲ ବି ପାଇନି। ଅଥଚ ସେ ମୋ ସହିତ ଏମିତି ବ୍ୟବହାର କରୁଛି କାହିଁକି । ନା ମୋ ପରି ଦେଖା ଯାଉଥିବା ଆଉ କେଉଁ ପୁଅକୁ ସେ ଭଲ ପାଉଛି । ତାପରେ ମୋ ପାଖକୁ ସମସ୍ତେ ଧାଇଁ ଆସିଲେ । ଆଉ ସମସ୍ତେ ଏମିତି ଚାହୁଁଥାନ୍ତି ଯେ ଯେମିତି ମୁଁ ଗୋଟେ ମସ୍ତ ବଡ ଭୁଲ୍ କରି ପକେଇଛି । ସବୁ ଲୋକଙ୍କ ଗହଳି ଆଡେଇ ମୋ ପାଖକୁ ଜଣେ ବୃଦ୍ଧା ମହିଳା ଆଉ ଜଣେ ପୁରୁଷ ଆସିଲେ । ଆଉ ଝିଅଟିକୁ ଛଡେଇ ନେଲେ ମୋ ପାଖରୁ। ସେମାନେ ତାର ବାପା-ମା ହେବେ ବୋଧେ । ସେ ଆହୁରି ଚିତ୍କାର କରିବାକୁ ଲାଗିଲା । ପପୁ ପ୍ଲିଜ ପପୁ ମୋତେ ଛାଡି ଯାଅନି । ମୁଁ ଆଉ ତୁମ ବିନା ବଞ୍ଚି ପାରିବିନି । ସେହି ବାପ ଜଣଙ୍କ ମୋତେ ହାତ ଯୋଡି କ୍ଷମା ମାଗିଲେ । ଆଉ କହିଲେ ପୁଅ ଖରାପ ଭାବିବନି । ଝିଅଟା ମୋର ପାଗିଳି ହେଇ ଯାଇଛି । ତାର ସେହି ଭୁଲ୍ ପାଇଁ ମୁଁ ତୁମକୁ କ୍ଷମା ପ୍ରାର୍ଥନା କରୁଛି ।

କେଜାଣି କାହିଁକି ମୋର ସେ ବିଷୟରେ ଜାଣିବାକୁ ଇଚ୍ଛା ହେଲା। ପଚାରିଲି ଯଦି କିଛି ଖରାପ ନଭାବନ୍ତି ଆପଣ କହିବେ କି ଆପଣଙ୍କ ଝିଅ ପାଗିଳି କେମିତି ହେଲା। ଦେଖିଲି ସେ କାନ୍ଦି ପକେଇଲେ ଆଉ କାନ୍ଦି କାନ୍ଦି କହିଲେ ସେ ବହୁତ ବଡ଼ କାହାଣୀ ପୁଅ। ମୋ ଝିଅ ନାଁ ହେଉଛି ସୋନାଲି । ପପୁ ବୋଲି ଗୋଟେ ପିଲାଟିଏ ଭଲ ପାଉଥିଲା ତାକୁ । ମୋ ଝିଅ ମଧ୍ୟ ତାକୁ ବହୁତ ଭଲ ପାଉଥିଲା । କିନ୍ତୁ ତାକୁ ଠାକୁର ସହିଲେନି । ହଠାତ ଦିନେ ମୋ ଝିଅର ବାନ୍ତି ହେବାର ମୁଁ ଦେଖିଲି । କେଜାଣି କାହିଁକି ମୋ ମନକୁ ପାପ ଛୁଇଁଲା ଭାବିଲି ପପୁ ମୋ ଝିଅ ସହ ଖରାପ କାମ କରିନିତ । ମୁଁ କେମିତି ସେକଥା ଝିଅଟିକୁ ପଚାରିଥାନ୍ତି । ତା ମା’କୁ କହିଲି ପଚାରିବାକୁ । ମା’ ମନ କେମିତି କଥାଟାକୁ ବିଶ୍ଵାସ କରିଥାନ୍ତା । ମୋଟର କହିଲା ନାହିଁ ସେଇଟା ଅସମ୍ଭବ । ମୋ ଝିଅ କେବେବି ସେମିତି ଭୁଲ୍ କରି ପାରିବନି । ମୁଁ ଲକ୍ଷ କରୁଛି ତାର ବହୁତ କାଶ ହେଉଛି କାଶି କାଶି ବୋଧେ ବାନ୍ତି କରି ପକେଇଥିବ । ତୁମେ ତାକୁ ଟିକେ ଡାକ୍ତରଙ୍କ ପାଖକୁ ନେଇ କି ଯାଉନା। ମୋତେ ଡର ଲାଗୁଥାଏ । ଯଦି ମୋର ଭାବନା ସତ ହୋଇଥାଏ । ଗୋଟେ ଅବିବାହିତ ଝିଅଟିକୁ ନେଇ ଡାକ୍ତର ପାଖକୁ ଗଲେ କଥାଟା ଯଦି ସତ ହୋଇଥାଏ ମୁଁ ଆଉ ସହି ପାରିବି ତ ? ତଥାପି ତାକୁ ନେଇ କି ଗଲି ଆଉ ଏ ଖବର ପାଇ ପପୁ ମଧ୍ୟ ମୋ ପଛେ ପଛେ ଯାଇ ଡାକ୍ତର ଖାନାରେ ପହଁଚିଲା । ବହୁତ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର କହିଲେ ଯେ ତାକୁ ଟିବି ହୋଇ ଯାଇଛି। ସିଏ ଆଉ ବେଶି ଦିନ ନୁହେଁ ବର୍ଷେ କି ଦୁଇ ବର୍ଷ ବଞ୍ଚିବ। ମୋ ସହିତ ପପୁ ମଧ୍ୟ ଥିଲା । ଡାକ୍ତରଙ୍କ ପାଖରୁ ଏକଥା ଶୁଣି ସାରିବା ପରେ ସେଦିନ ପପୁ ଘରକୁ ଚାଲି ଯାଇଥିଲେ । ଆଉ କେବେ ଆସିନି କି ଦେଖା ମଧ୍ୟ କରିନି। ମୋ ଝିଅ ତାକୁ ଝୁରି ଝୁରି ପାଗିଳି ହୋଇଗଲାଣି । ଥରେ ମୁଁ ପପୁକୁ ଫୋନ କଲି ଆଉ କହିଲି , ପପୁ ବର୍ଷେ କି ଦୁଇ ବର୍ଷର କଥା ତୁ ଟିକେ ତା ସହିତ ମିଳାମିଶା କର । ସେତିକି ଦିନ ଅନ୍ତତଃ ସିଏ ଟିକେ ଖୁସିରେ ରହୁ। କିନ୍ତୁ ପପୁ କହିଲା ମୁଁ ଜାଣି ଜାଣି ମୋ ଜୀବନଟାକୁ ନଷ୍ଟ କରି ପାରିବିନି । ତୁମ ଝିଅ ତୁମେ ତା କଥା ବୁଝ । ଆ ଭିତରେ ଛ’ ମାସ ବିତି ଗଲାଣି । ଏବେ ସିଏ ଯାହାକୁ ଦେଖୁଛି ଏମିତି ପାଗିଳିଙ୍କ ପରି ହେଉଛି । ସମସ୍ତେ ତାକୁ ପପୁ ପରି ଦେଖା ଯାଉଛନ୍ତି । ଡାକ୍ତର ଦେଖେଇଲି । ସେ କହୁଛନ୍ତି ଯଦି ସେ ତାର ପ୍ରେମକୁ ଫେରି ପାଏ ତାହେଲେ ଯେତେଦିନ ବଞ୍ଚିବ ହସ ଖୁସିରେ ବଞ୍ଚିବ ନହେଲେ ସେହି ଦୁଇ ବର୍ଷ ସମୟ ତା ପାଇଁ ୨/୪ ମାସରେ ଶେଷ ହୋଇଯାଇପାରେ । କିଛି ଭାବି ପାରିଲିନି । ଭାବୁଥିଲି ସେହି ପପୁ କଥା କେମିତି ସେ ଏତେ ସ୍ଵାର୍ଥପର ହୋଇଗଲା । ତାକୁ ଭଲ ପାଉଥିଲା ଅଥଚ ତାକୁ ବର୍ଷେ କି ଦୁଇ ବର୍ଷ ସମୟ ଦେଇ ପାରିଲାନି । ସେହି ସମୟରେ ସୋନାଲି ପୁଣି ମୋ ପାଖକୁ ଦୌଡ଼ି ଆସିଲା । ଆଉ କୁଣ୍ଢେଇ ପକେଇଲା ମୋତେ । ତା ଛୁଆଁରେ ଯେମିତି ମୁଁ ପାଉଥିଲି ଏକ ଅନାବିଡ଼ ପ୍ରେମର ଛୁଆଁ, ଏକ ପବିତ୍ର ପ୍ରେମର ବାସ୍ନା । ଏକ ନିରୀହ ଝିଅର ନିର୍ମଳ ପ୍ରେମକୁ । ପୁଣି ସେମିତି କାନ୍ଦି କାନ୍ଦି କହୁଥିଲା । ତୁମେ ମୋତେ ଆଉ ଛାଡି କି ଯିବନି ତ। ସତ କହୁଛି ଏଥର ଯଦି ମୋତେ ଛାଡ଼ି ଚାଲିଯିବ ମୁଁ ବିଷ ପିଇଦେବି। କେମିତି ଚାହୁଁ ଚାହୁଁ ଗୋଟେ ନିରୀହ ଝିଅକୁ ଛାଡି ଦେଇଥାନ୍ତି ବିଷ ଖାଇ ମାରିବାକୁ । ମୋର ହାତ ମଧ୍ୟ ଚାଲିଗଲ ତା ପିଠି ଉପରକୁ । ଆଉ ଜାବୁଡି ଧରି କହିଲି ନାଁ ଆଉ କେବେବି ତୋତେ ଛାଡି କି ଯିବିନି । ସବୁବେଳେ ତୋ ସାଥିରେ ରହିବି। କାନ୍ଦୁ କାନ୍ଦୁ ହସି ପକେଇଲା ସେ । ଆଉ ମୋ ଗାଲରେ ଆଙ୍କି ଦେଲା ଅନେକ ଗୁଡିଏ ଚୁମ୍ବନ ।

ସେହି ଦିନ ଠାରୁ ମୁଁ ତାପାଇଁ ପପୁ ପାଲଟିଗଲି । ତାର ପ୍ରେମ ଥିଲା ଶାଶ୍ଵତ ଆଉ ମୁଁ ଭାବୁଥିଲେ କୌଣସି ଝିଅ କାହାକୁ ଏବେ ଭଲ ପାଉନଥିବେ ଯେତିକି ଭଲ ପାଉଥିଲା ସେ। ଭଗବାନ ଯେ କାହିଁକି ତା ପ୍ରତି ଏତେ ନିଷ୍ଠୁର ହେଲେ କେଜାଣି । ଏକ ନିଶ୍ଚଳ ନିଷ୍ପାପ ହୃଦୟର ପ୍ରେମକୁ କେମିତି ମାରିଦେଲେ କେଜାଣି ।

ସବୁବେଳେ ମୋତେ କୁହେ ପପୁ ମୁଁ ଯଦି ମରିଯିବି ତୁମେ ମୋତେ ମନେ ରଖିବନା । ଯଦି ବିବାହ ପୂର୍ବରୁ ମୁଁ ମରିଯାଏ ତୁମେ ଆଉ ଜଣଙ୍କୁ ବାହ ହେଇଯିବ । ମୋ କଥା ବେଶି ଭାବିବନି ତାରି ଭିତରେ ତୁମେ ମୋତେ ଖୋଜିବ। ମୁଁ ସବୁବେଳେ ତୁମ ପାଖେ ପାଖେ ଥିବି । ମୁଁ ଜାଣିନି ଆମ ପ୍ରେମ କେତେଦିନ ଵଂଚିବ । ମୋତେ ଲାଗୁଛି ଯେମିତି ମୁଁ ଆଉ ବେଶି ଦିନ ବଞ୍ଚିବିନି ।

ମୋ ଆଖିରେ ସେତେବେଳେ ବୋହି ଆସେ କେଇ ବୁନ୍ଦା ଲୁହ.....ଆ ଭିତରେ ସୋନାଲି ଯିବାର ଦଶ ବର୍ଷ ବିତିଗଲାଣି । ହେଲେ ଆଜିବି ସେମିତି ସେ ମୋର ମନ ଭିତରେ ରହିଛି ଆଉ ଯେମିତି ମୋ ପାଖରେ ବସି ମୋର ମଥାକୁ ଆଉଁଷି ଦେଉଛି । ଆମର ଅଳ୍ପ ଦିନର ସେହି ପ୍ରେମ ଯେମିତି ମୋ ଜୀବନ ର ଏକ ବଡ଼ ଗଳ୍ପ ପାଲଟି ଯାଇଛି ।


Rate this content
Log in