Sachidananda Kar

Others

3  

Sachidananda Kar

Others

ଆସିଲି : ମୋର ଆସିବାର ଥିଲା

ଆସିଲି : ମୋର ଆସିବାର ଥିଲା

2 mins
167


    କେହି ଜଣେ ଆସିବା ଆସିବା ପରି ଲାଗୁଥିଲା । ଦୂରରେ ଥାଇ ଶୁଭୁଥିଲା ତା'ର ସ୍ୱର,ଶଦ୍ଦ ।  

     ଆକାଶ ଯେମିତି ସେମିତି ନ ଥିଲା । ଢାଙ୍କି ହୋଇ ଯାଇଥିଲା କଳା ବାଦଲରେ । ମାଟି ଯେମିତି ସେମିତି ନ ଥିଲା । ବତୁରି ରହିଥିଲା ଖୁବ୍ । ବତୁରା ମାଟିରୁ ଗୋଟେ ଗନ୍ଧ ଖେଳେଇ ହୋଇ ଯାଉଥିଲା ।  

     ସଞ୍ଜ ହେଲେ ଥଣ୍ଡା ପଡି ଯାଉଥିଲା ପୃଥିବୀ । ପାହାନ୍ତା ପହରଯାଏ ଥଣ୍ଡାରେ ଥଣ୍ଡାରେ ଜଡସଡ ହୋଇ ରହୁଥିଲେ ଜୀବ ନିର୍ଜୀବ ସମସ୍ତେ । କାକର, କୁହୁଡିରେ ଆକ୍ତାମାକ୍ତା ହେଉଥିଲେ ।  

     ସେ କ'ଣ ଆସିବ ଏ ଅଦିନିଆ ବର୍ଷାରେ? ସେ କ'ଣ ଆସିବ ଏ ଶୀତରେ? ଏ କାକର, କୁହୁଡିରେ ବି କ'ଣ ଆସିବ ସିଏ? 

     କିଏ କିଏ ସବୁ ଏକାଠି ହୋଇ ଏମିତି ପ୍ରଶ୍ନ ସବୁକୁ ନେଇ ଆଲୋଚନାରେ ବ୍ୟସ୍ତ ଥିଲେ ।      ମହିଳା ଓ ରାଜନୈତିକ ଦଳମାନଙ୍କର ନାରାବାଜି ଓ ଆନ୍ଦୋଳନ ଚାଲିଥିଲା । ବନ୍ଦ, ରାସ୍ତାରୋକ କରୁଥିଲେ କେହି କେହି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦଳମାନଙ୍କ ଭିତରେ ବାଦବିବାଦ ଓ ପ୍ରଦର୍ଶନ ଚରମ ସୀମାରେ ପହଞ୍ଚିଥିଲା । କେହି ପଛକୁ ଘୁଞ୍ଚିବା ପରିସ୍ଥିତିରେ ନ ଥିଲେ ।  

     ଏପରି ସ୍ଥିତିରେ କାହିଁକି ଆସିବ ସେ?ଆସି କ'ଣ ଦେଖିବ? 

     କେହି କେହି ନିଜ ମନ ଭିତରକୁ ଆଣୁଥିଲେ ଏସବୁ ପ୍ରଶ୍ନ । ଭାରି କରୁଥିଲେ ହୃଦୟକୁ ।      ଏଠି ତ ଏବେ ଯୁଦ୍ଧ ସବୁବେଳେ । କେହି କେବେ ପରସ୍ପରଠୁ ହାରନ୍ତି ନାହିଁ ଏଠି । ଆଲୁଅ ଭାବି ଅନ୍ଧାରକୁ ନିମନ୍ତ୍ରଣ କରନ୍ତି । ଅର୍ଥ, କ୍ଷମତା, ନାରୀ ଦେହ - ଏସବୁରେ ଏବେ କାହାର ଲୋଭ ଅଛି କାହାର ନାହିଁ କହିବା କଷ୍ଟକର ହେଲାଣି । ସେ ନୂଆ ଅତିଥି । ଏପରି ସ୍ଥିତିରେ କିଏ ତାଙ୍କୁ ଆସିବାକୁ କହିଲା? 

     ସମୟ ଗଡୁଥିଲା । ଏବେ ଏସବୁକୁ ନେଇ ବଢୁଥିଲା ଲୋକମାନଙ୍କର ଉଦବେଗ ।  

     କେହି ଜଣେ ଆସିବା ଆସିବା ପରି ଲାଗୁଥିଲା । ଧୀରେ ଧୀରେ ସ୍ପଷ୍ଟ ହେଉଥିଲା ତା'ର ପାଦ ଶଦ୍ଦ ।  

     ଆରେ କିଏ କେଉଁଠି ଅଛ,ଏସବୁକୁ ଲୁଚେଇ ରଖ । ବୁଝାଇଦିଅ ମନକୁ । ବୁଝିଯାଅ । ସୃଷ୍ଟି କରିଦିଅ ଗୋଟେ ସୁନ୍ଦର ପରିବେଶ । ମାନବବାଦର ଜୟ ଜୟ କର । ସମସ୍ତେ ଭାଇ ଭାଇ ହୋଇଯାଅ । ନାରୀକୁ ସମ୍ମାନ ଦିଅ । ନୂଆ ଦୁନିଆ ଗଢିବାକୁ ଶପଥ ନିଅ । ଏଠି ସବୁଦିନେ ରାତି ପାହିଲେ ନୂଆ ସୂର୍ଯ୍ୟ ଉଇଁ ଆସୁ ।  

     ଏମିତି କଥା ସବୁ କହି କହି ମାନବବାଦୀ, ସମାଜସେବୀ ଓ ଶାନ୍ତିପ୍ରେମୀମାନେ ପାଟି କରି କମ୍ପାଉଥିଲେ ।  

      ହେଲେ ହାୟ ! କିଏ ଶୁଣୁଥିଲା କାହିଁ ସେମାନଙ୍କ କଥା ? ବାସ୍ତବରେ ଏତେ ସବୁ ଅଳିଆକୁ ଲୁଚେଇ ରଖିବା କ'ଣ ସହଜ ବ୍ୟାପାର? 

      ସମୟ ଗଡୁଥିଲା । ବଢୁଥିଲା ଉଦବେଗ । କେହିଜଣେ ଆସିବା ଆସିବା ପରି ଲାଗୁଥିଲା । ଧୀରେଧୀରେ ଆହୁରି ସ୍ପଷ୍ଟ ହେଉଥିଲା ତା'ର ପାଦ ଶଦ୍ଦ ।  

      ଆସୁ । ସେ କ'ଣ ଦେଖିପାରିବ ? କିଛି ଦେଖିପାରିବନି । ବରଂ ଆମେ ତାକୁ ଦେଖିନେବା । ତା' ହାତରେ ଫୁଲତୋଡା ଧରେଇ, ତା' ବେକରେ ଫୁଲମାଳ ପକେଇ ତାକୁ ମନେଇନେବା । - କେହି କେହି ବାହାପିଆ ଏମିତି କହୁଥିଲେ ।  

      - " ଦେଖ,ମୁଁ ଆସିଗଲି । ମୁଁ ଦୁଇ ହଜାର ବାଇଶି । " 

      ସମୟ ହେଲା । ଆସି ପହଞ୍ଚି ମୁକ୍ତ କଣ୍ଠରେ କହିଲା ସେ । ପୁଣି ଯୋଗ କଲା - " ଆସିଲି । ମୋର ଆସିବାର ଥିଲା । " 

      - " କେମିତି ସ୍ୱାଗତ କରିବା? " ଏବେ ଏଇ ପ୍ରଶ୍ନ ଥିଲା ସମସ୍ତଙ୍କ ମୁହଁରେ । କେହି କାହାକୁ ଚାହିଁ ପାରୁ ନ ଥିଲେ । ଲଜ୍ଜାରେ ମୁହଁ ଲୁଚାଉଥିଲେ ସମସ୍ତେ ।  

      ସାମ୍ନାରେ ସ୍ତବ୍ଧ ଚେହେରାଟିଏ ଧରି ଠିଆ ହୋଇ ରହିଥିଲା 'ଦୁଇ ହଜାର ବାଇଶି' ।  



Rate this content
Log in