STORYMIRROR

Bikesh Sahu

Others

3  

Bikesh Sahu

Others

ଯୁଦ୍ଧ

ଯୁଦ୍ଧ

1 min
267

ଯେବେ ଅଦିନିଆ ବର୍ଷା ହୁଏ 

ବାହାରେ ବିଜୁଳି ଆଉ ଘଡଘଡିର 

ବେଲଗାମ ରାଜୁତି ଚାଲେ 

ବୋଉ ମୋର ଚଳଚଞ୍ଚଳ ହେଇ ଉଠେ 

ବାପାଙ୍କ ସାହସୀ ଛାତିଟା ଶଙ୍କି ଉଠେ ।

ବେଗି ବେଗି ବୋଉ ଧାଏଁ 

ରୋଷେଇ ଘରକୁ 

ବାଲଟି, ଡେକଚି, ଥାଳିଆ ଯାହା ପାଏ 

ଧରି ଆସେ 

ଆଉ ପତେଇ ଦିଏ 

କଣା ଛପରୁ ପାଣି ଗଳି 

ବୋଉର ଗୋବର ଘଷା, ହାତ ଲିପା 

ମାଟି ଚଟାଣଟାକୁ ବତୁରେଇ ଦଉଥିବା 

ସ୍ଥାନ ଗୁଡିକରେ ।

ସେପଟେ ବାପା 

କେମିତି ଚୁପ୍ ହେଇ ବସି ପାରନ୍ତେ ଯେ

ଅଣ୍ଟାରେ ଗାମୁଛା ଭିଡି 

ଛିଣ୍ଡା ଖଟ ଉପରେ ଛିଡା ହେଇ 

ଲାଗି ପଡନ୍ତି ପାଣି ଗଲୁଥିବା 

ଦରଭଙ୍ଗା ଛପରଟାକୁ ସଜାଡିବାରେ ।

ହେଲେ ଏତିକି ବେଳେ 

ବୋଉର ଡେକଚି, ଥାଳିଆ, ବାଲଟି ସବୁ 

ଭରି ସାରିଥାଏ ପାଣିରେ

ଆଉ ବୋଉ ଲାଗିପଡେ

ପୁଣି ଥରେ

ସେସବୁକୁ ଖାଲି କରି ପତେଇବାରେ ।

ମୋ ଆଖି ସାମ୍ନାରେ 

ଏମିତି ବରାବର ଚାଲେ 

ସମୟ ସହ 

ମୋ ବାପା ଆଉ ବୋଉଙ୍କର ଯୁଦ୍ଧ

ସୀମିତ ସେଇ ମାଟି ଘରର ପରିଧି ଭିତରେ 

ଯେବେ ଆମ ଗାଁରେ 

ଅଦିନିଆ ବର୍ଷା ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍