ସର୍ତ୍ତ
ସର୍ତ୍ତ
ଥକିଗଲେ ଶିଳ୍ପୀକୂଳ
ପାରିଲେନି ଛୁଇଁ କେହି
ଦାରୁର ବଳ୍କଳ ।
ଜୀର୍ଣ୍ଣଶୀର୍ଣ୍ଣ ବୃଦ୍ଧ ଜଣେ ପହଞ୍ଚିଲେ
ଗଢିବାକୁ ପ୍ରଭୂଙ୍କ ମୂରତି
ଏକବିଂଶ ଦିବସ ଲାଗିବ ତାଙ୍କୁ,
କଣ୍ଠରେ ଦମ୍ଭୋକ୍ତି ।
ସର୍ତ୍ତ ତାଙ୍କ ନିବୁଜ କୋଠରୀ ମଧ୍ୟେ
ମୂର୍ତ୍ତି ଗଢା ହେବ
ଏକବିଂଶ ଦିନଯାଏ ଦ୍ୱାର ନଖୋଲିବ ।
ସର୍ତ୍ତ ମାନି ରାଜା ଦେଲେ
ଶିଳ୍ପୀଙ୍କୁ ଆଦେଶ
ଯଥାଶୀଘ୍ର କରିବାକୁ
ମୂର୍ତ୍ତି ଗଢା ଶେଷ ।
ନିବୁଜ କୋଠରୀରେ ରହି
ନିର୍ଜଳା ଉପାସ
ଶିଳ୍ପୀ ଗଢିଲେ ମୂରତି
ପ୍ରଭୁ ଜଗଦୀଶ ।
ନିହାଣ ମୁଗୁରର
ଠୁକୁଠୁକୁ ଶବ୍ଦ ନିତି
ରାଣୀ ଗୁଣ୍ଡିଚା କାନ ଡେରି
କବାଟରେ ଶୁଣୁଥାନ୍ତି ।
କିନ୍ତୁ ଏ କଣ ହେଲା !
ଏକବିଂଶ ଦିବସ ଆଗରୁ
ଶବ୍ଦ ସବୁ ନିଃଶବ୍ଦ ହୋଇଲା ।
ଆକୁଳ ବିକଳ ରାଣୀ
ଘଟିଲାକି ଅଘଟଣ !
ସତେ କି ସେ ବୃଦ୍ଧ ଶିଳ୍ପୀ
ଗଢୁଗଢୁ ମୂର୍ତ୍ତି ହରାଇଲେ ପ୍ରାଣ !
ସର୍ତ୍ତ ଭୁଲିଯାଇ ରାଣୀ
ରାଜାଙ୍କୁ ତ ମିନତୀ କରିଲେ
ଖୋଲିବାକୁ ଗୃହ ସେତ
ଆକୁଳ ହୋଇଲେ ।
ବିଚାରା ରାଜା !
ଅନ୍ୟନୋପାୟ ହୋଇ
ସର୍ତ୍ତ ଭାଙ୍ଗି ଖୋଲିଦେଲେ ଦ୍ଵାର
ହେଲେ କାହାନ୍ତି ସେ ଶିଳ୍ପୀ
ଅଧାଗଢା ଜଗତ ଠାକୁର ।
ରାଣୀଙ୍କ ଆଖିରେ ଲୁହ
ରାଜାଙ୍କ ବୁକୁରେ କୋହ ।
ଶୂନ୍ୟଵାଣୀ ହେଲା
ରାଜା କର ନାହିଁ ଉଣାମନ
ସେହି ତୁମ ଅଧାଗଢା ଦିଅଁ
କାଳିଆ ଠାକୁର ପ୍ରଭୁ
ଜଗତ ଜୀବନ ।
ନିଜେ ନିଜକୁ ଗଢି
ଗଲେ ସେ ଉଭେଇ
ଅସୀମର ଚଉପାଶେ
ସୀମା ରଚିଦେଇ ।
ରାଜା ଗଲେ ଭୁଲି ସର୍ତ୍ତ
ଅଧାଗଢା ହେଲେ ଜଗତରନାଥ ।
ଅଧାଗଢା ଦିଅଁ ସିନା, ସେତ ପୂର୍ଣ୍ଣବ୍ରହ୍ମ
ମହାପ୍ରଭୁ ବ୍ରହ୍ମଦାରୁ
ମହିମା ଅସୀମ ।