ସ୍ଵପ୍ନ ____
ସ୍ଵପ୍ନ ____
ରଜନୀଗନ୍ଧାର ବାସ୍ନାରେ ବିଭୋର
ଆଗୋ ରୂପସୀ ରଜନୀ।
ନିଦ୍ରା ସହଚରୀ ହାତ ଧରି ଧିରେ
ହେଲା ତୁମ ଆଗମନୀ।
ନିଦ୍ରା ଭରି ମୋର ନୟନରେ ମୋତେ
ସପନେ ଦେଲ ହଜାଇ।
ସପନେ ଦେଖିଲି ଭ୍ରମୁଛି ମୁଁ ଏକ
ମନୋରମ ଦିବ୍ୟ ଭୂଇଁ।
ସେ ସ୍ଥାନରେ ପ୍ରତି ପରିବାରେ ପୂର୍ଣ୍ଣ
ଥିଲା ସ୍ନେହ ଆଉ ପ୍ରେମ।
ପିତାମାତା ଥିଲେ ସନ୍ତାନଙ୍କ ପାଇଁ
ଚଳନ୍ତି ଦେବତା ସମ।
ପତି ପତ୍ନୀଙ୍କର ସମ୍ପର୍କ ସେସ୍ଥାନେ
ଥିଲା ରାମ ସୀତା ପରି।
ଭାଇ ଭାଇ ମଧ୍ୟେ ସମ୍ପର୍କ ସତେ କି
ରାମ ଓ ଲକ୍ଷ୍ମଣ ସରି।
ନଥିଲା ସେଠାରେ ହିଂସା ଅହଙ୍କାର
ଭେଦଭାବ ତୋର ମୋର।
କାହା ମନେ କଷ୍ଟ ଦେବାପାଇଁ ଲୋକେ
ମଣୁଥିଲେ ପାପ ଘୋର।
ସତ୍ୟ ଓ ଧର୍ମକୁ ଆଧାର କରିଣ
ଲୋକେ ଚାଲୁଥିଲେ ବାଟ।
ସଭିଏଁ ସଭିଙ୍କୁ ସାହା ହେଉଥିଲେ
ଆସିଲା ବେଳେ ସଙ୍କଟ।
ମାତୃଭୂମି ପ୍ରତି ସମସ୍ତଙ୍କ ହୃଦେ
ଥିଲା ଆଦର ମମତା।
ସମାଜ ପାଇଁକି ପ୍ରଗତିର ମନ୍ତ୍ର
ଥିଲା ସେଠାରେ ଏକତା।
ଅଳପକେ ସର୍ବେ ହେଉଥିଲେ ଖୁସି
ନଥିଲା ଅଶାନ୍ତି ଭାବ।
ସରଳ ଜୀବନ ଉଚ୍ଚ ଚିନ୍ତାଧାରା
ଥିଲା ସବୁରି ସ୍ଵଭାବ।
କର୍ମ ଓ ସାଧନା ବ୍ୟକ୍ତି ପାଇଁ ଥିଲା
ମାନଦଣ୍ଡ ଜୀବନର।
ସ୍ଵାଭିମାନ ସହ ବଞ୍ଚିବା ପାଇଁକି
ସରବେ ଥିଲେ ତତ୍ପର।
ସମ୍ମାନର ସହ ନିର୍ଭୟେ ପଥରେ
ଗମୁଥିଲେ ନାରୀଗଣ।
ସୁଖ ଓ ଶାନ୍ତିରେ ଲୋକେ କରୁଥିଲେ
ସେଠି ଜୀବନ ଧାରଣ।
ଆତ୍ମା ଏକ ଭାବି ସମସ୍ତଙ୍କୁ ଲୋକେ
ମଣୁଥିଲେ ନିଜ ପରି।
ସେମାନଙ୍କ ପାଇଁ ସାରା ବିଶ୍ବ ଥିଲା
ଏକ ପରିବାର ସରି।
ସେ ସ୍ଵପ୍ନ ରାଇଜେ ଭ୍ରମୁଥିଲି ଯେବେ
ନିଦ୍ରା ମୋର ଭାଙ୍ଗିଗଲା।
ଆଖି ଖୋଲି ଦେଇ ଚକିତେ ଭାବିଲି
' ରାମରାଜ୍ୟ ' କି ସେ ଥିଲା !