ସମ୍ପର୍କ
ସମ୍ପର୍କ
ମୁଁ ଏକ ପାନ୍ଥଶାଳା।
ରହିବାକୁ ଆଶ୍ରା ଖୋଜୁଥିବା,
ବାଟୋଇଙ୍କ ପାଇଁ,
ସବୁବେଳେ ମୋ ଦୁଆର ଖୋଲା।
ହସି ହସି ମୁଁ ତାଙ୍କୁ ସ୍ଵାଗତ ଜଣାଏ।
ଅଙ୍ଗାରରେ ଲେଖନ୍ତି ସେମାନେ,
ମୋ କାନ୍ଥରେ ସେମାନଙ୍କ ନାଆଁ।
ରାତିକ ପାଇଁ ହେଲେବି,
ମୁଁ ବାନ୍ଧେ ତାଙ୍କ ସହ ସମ୍ପର୍କର ଡୋର।
ତାଙ୍କ ସହ ବସେ ଆଉ ହସେ।
ସେମାନଙ୍କ ଦୁଖସୁଖ ବୁଝେ।
କଥା ହୁଏ ସେମାନଙ୍କ ସଙ୍ଗେ।
ଅନେକ ଅକୁହା କଥା,
ମୋ କାନରେ କହନ୍ତି ସେମାନେ।
ବେଳେବେଳେ ସେମାନଙ୍କ ଆଖିଲୁହ,
ମୋ ଚଟାଣ ଆପଣେଇ ନିଏ।
ସେମାନଙ୍କ ଭାବନାକୁ,
ମୋ ଭିତରେ ରଖେ ମୁଁ ସାଇତି।
ସମୟ ମାପକାଠି ରେ ତଉଲେନା,
ସମ୍ପର୍କର ପରିଭାଷା,
ଆଦର ଓ ଶରଧା ର ମୂଲ।
ଦିଏ ତାଙ୍କୁ ଆମନ୍ତ୍ରଣ ,ପ୍ରତିଶ୍ରୁତି,
ଆଉ ଏକ ଅନାଗତ ଭବିଷ୍ୟତ ପାଇଁ।
ସବୁବେଳେ ମୁଁ ତାଙ୍କ ବାଟ ଚାହିଁଥିବି,
ମୋ କାନ୍ଥରେ ଲେଖାଥିବା,
ତାଙ୍କର ସେ ସେନେହର ସନ୍ତକକୁ ,
କେବେହେଲେ ଭୁଲିବିନି।
ପାନ୍ଥଶାଳାର ଆଦର୍ଶ,
ସବୁବେଳେ ମନେରଖିଥିବି।
କାଉ କରେ କା ,କା,ରାତି ପାହିଯାଏ।
ସେମାନେ ଚାଲି ଯାଆନ୍ତି,
ସେମାନଙ୍କ ଗନ୍ତବ୍ୟ ପଥରେ।
ଭୁଲିଯାଆନ୍ତି ସେମାନେ ଗତ ରାତି କଥା।
ମୋ ଏରୁଣ୍ଡି ଡେଇଁ ଗଲାପରେ,
ମୁଁ ହୋଇଯାଏ ଅଲୋଡ଼ା ସେମାନଙ୍କ ପାଇଁ।
ବୁଝନ୍ତି ନାହିଁ ସେମାନେ,
ରାତିକର ସମ୍ପର୍କର ମୂଲ୍ୟ,
ମୋ ପାଇଁ ସେ ସ୍ମୃତିର କେତେ ଗଭୀରତା!
ଅଙ୍ଗାରରେ ଲେଖାଥିବା ସେମାନଙ୍କ ନାଆଁ,
ମୋ ପାଇଁ କେତେ ଆପଣାର!
ତାକୁ ନେଇ ମୁଁ ବଞ୍ଚେ,
ତାହାହିଁ ମୋ ଜୀବନ ଆଧାର।
ତାଙ୍କ ପାଇଁ ହୋଇପାରେ,
ତାହା ଏକ ରାତିର ସମ୍ପର୍କ।
ମାପନ୍ତି ସେମାନେ ତାକୁ,
ସମୟର ମାପକାଠି ନେଇ।
କିନ୍ତୁ? ମୋ ପାଇଁ?
ସମ୍ପର୍କଟା ନୁହେଁ ଏକ ବିନ୍ଦୁ,
ଯାହାର କି ଦୈର୍ଘ୍ୟ, ପ୍ରସ୍ଥ ନାହିଁ।
ମୋ ପାଇଁ ତାହା ଏକ ସିନ୍ଧୁ,
ଯାହାର କି ଅଛି ଗଭୀରତା।
ଏହି ଏକ ରାତିର ସମ୍ପର୍କ,
ବଦଳାଇ ଦେଇପାରେ,
ଜୀବନର ଚଲାପଥ,
ଲେଖିପାରେ ନୂଆ ଇତିହାସ।
ସମୟ ମାପକାଠି ରେ,ତାକୁ ତଉଲିବା,
ନୁହେଁ କଣ ତାର ଅପମାନ?
ମାପି ହୋଇପାରେ ଯାହା,
ତାକୁ କଣ ସମ୍ପର୍କ କହନ୍ତି?
ଭୁଲିହୋଇ ଯାଏ ଯାହା,
ତାକୁ କଣ ଆଦର୍ଶ କହନ୍ତି?