ସ୍ଳୋଗାନ
ସ୍ଳୋଗାନ
କବିତାଟେ ଲେଖି ବସି ମୁଣ୍ଡ ଏବେ ଭାରି ଜାମ୍
ରାସ୍ତାରେ ପ୍ରସେସନ୍ ଶୁଭୁଛି ସ୍ଲୋଗାନ
ଇନ୍ କିଲାବ୍ ଜିନ୍ଦାବାଦ
ଚକ ବନ୍ଦ ଅଖ ବନ୍ଦ
ବସ ବନ୍ଦଟ୍ରେନ ବନ୍ଦ
ବନ୍ଦ କଚେରୀ ବନ୍ଦ କର ଦୋକାନ ।
ରେଳରେ ଧର୍ଷଣ ଚାଲେ ମନ୍ଦିରେ ଚୋରି
ସତୁରୀ ବର୍ଷର ବୁଢ଼ାକୁ ସତର ବର୍ଷର ଗୋରୀ
ଆଜି ଦିନ ଦିପ୍ରହରେ , ଜନତାର ସାମନାରେ
ନିରୀହା ବାଳିକାର ଇଜ୍ଜତ ଲୁଟାହୁଏ
ମୋବାଇଲ କ୍ୟାମେରାରେ ଫଟୋସବୁ ଉଠାହୁଏ
ଖସିଯାଏ ଦୁଷ୍କୃତ
ଖୋଜାହୁଏ ଅବିରତ
ସବୁକିଛି ବ୍ୟର୍ଥ
ଚାବୁକ୍ ରେ ମାଡ଼ ଦିଅ
ପାପୁଲିଟା କାଟିଦିଅ
ଫାଶି ରଶି ବେକେ ଦିଅ
ଏସବୁ ସ୍ଲୋଗାନ କିବା ଅଛି ଅର୍ଥ ??
ଶାସନ ହୁଗୁଳା ଏବେ , ଚାରିଆଡ଼େ ସ୍କାମ୍
ଘରଜମି , ଚିଟଫଣ୍ଡ ,ଖଣି ଓ ଖାଦାନ
ଗଳିତ ସମାଜ ଏବେ ଅଶାନ୍ତ ପୃଥିବୀ
କି କବିତା ଲେଖିବି ?
ମଣିଷର ରକ୍ତରେ ରାସ୍ତା ହୁଏ ଲାଲ
ହାଟେ ଏବେ ନୋଟ୍ ମିଳେ, ଅଧା ଭଲ ଅଧା ଜାଲ୍
ଟୋକାଙ୍କ ମଗଜକୁ କରିବାକୁ ସରସ
ଛକେ ଛକେ ମିଳେ ଏବେ ମଦ ଓ ଚରସ ।
ଶବ୍ଦ ସବୁ ଫେରିଗଲେ , ଗଲାବେଳେ କହିଗଲେ
ଲେଖ ନାହିଁ ଏବେ ଆଉ, ବେଳ ଟିକେ ଗଡ଼ିଯାଉ
ପ୍ରେମ ପ୍ରୀତି ଫେରିଆସୁ ମଣିଷର ମନରେ
ଆମେ ସବୁ ଫେରିଆସି
କବିତାଟେ ଲେଖିଦେବୁ କଲମର ମୁନରେ ।
ଗଣତନ୍ତ୍ର ଧର୍ଷିତା ଏବେ ,
ଅଶାନ୍ତ ପୃଥିବୀ
କି କବିତା ଲେଖିବି ?
