'ବାପା '
'ବାପା '
ସାମାଜିକ ବହିର ଚିତ୍ରକୁ ଦେଖି
ଝିଅ ପଚାରିଲା ବାପାଙ୍କୁ
"ଏଇ ଦେଖ ବାପା,
କେଡେ ସୁନ୍ଦର ଏ ଗାଁ ।
ଚାରିପଟେ ତୋଟା ମାଳ,
ଗାଁ ପଛପଟେ ଧାଡ଼ି ଧାଡ଼ି ପାହାଡ଼
ପାହାଡ଼ ପଛରେ ଲୁଚି ଯାଉଥିବା ସୂର୍ଯ୍ୟ,
ସୁନାର ସୋରିଷ କ୍ଷେତ,
ଗାଁ ଦାଣ୍ଡର ଦି'ପଟେ ଘର
କେଉଁଠି କେମିତି କୂଅ,ତୁଳସୀ ଚଉରା
ଦି ପଟେ ପହରାଦାର ପରି
ଠିଆ ହୋଇଛନ୍ତି ନଡ଼ିଆ ଗଛ ।
କି ପରିଷ୍କାର ଏ ରାସ୍ତା ସବୁ !
ଆଉ ଏପଟେ ଅନା !
ପାହାଡରୁ ବାହାରି,ଗାଁ ପାଖ ଦେଇ
ବହି ଯାଉଛି ନଈ,
ନଈରେ ଭାସୁଛି କେତେ ସୁନ୍ଦର ଡଙ୍ଗା,
ଦୂର ଆକାଶରେ ଉଡ଼ି ଯାଉଛନ୍ତି ପକ୍ଷୀ ।
ଏମିତି ଏକ ଗାଁରେ
ଆମେ ରହନ୍ତେନି ବାପା ?
ଆମ ଗାଁରେ ତ ଏ ସବୁ କିଛି ନାହିଁ
ନା' ନଈ, ନା' ପାହାଡ଼, ନା' ଝରଣା
ନା' ଗୋଟାଏ ତୋଟା ?
ଚାଲନା,ଏମିତି ଗୋଟାଏ ଗାଁକୁ ଆମେ ଯିବ ।"
ମୋଟା ଚଷମାର କାଚ ତଳୁ
ଆଖି ଉଠାଇ ବାପା, ଝିଅକୁ ଚାହିଁଲେ
ଚାହିଁଲେ ଥରେ ଚିତ୍ରକୁ
ଭାରି ସୁନ୍ଦର ।
ଅଝଟ ପ୍ରତିମାର ଅଭିଯୋଗ ଠାରୁ
ଆହୁରି ଚମତ୍କାର ।
ଓଠରେ ପହଁରିଲା ହସ -
" କିନ୍ତୁ ଏଠି ଲୋକ କହାନ୍ତି ମା' ?
ସବୁଆଡ଼େ ଭାରି ଶୁନଶାନ୍
କାହା ସାଙ୍ଗରେ ତୁ ଖେଳିବୁ ?
କାହାର ହାତଧରି
ତୁ ନଈକୂଳ କୁ ଯିବୁ ?
ଜହ୍ନ ଆଲୁଅରେ ଘୁରି ବୁଲିବୁ ?
ଝୁଣ୍ଟିପଡିଲେ , ତୋତେ ଉଠାଇ ନେବା ପାଇଁ
ହାତ ଟିଏ କାହିଁରେ ମା' ?
କାହିଁ , ସେଠି ସ୍ନେହ ଛଳ ଛଳ ମୁହଁଟିଏ ?
କିଏ ତୋତେ ଦେଖେଇ ଦେବ ସେଠି
ଉଦୟ ସୂର୍ଯ୍ୟର ଆଭା
ଆଉ ଅସ୍ତ ସୂର୍ଯ୍ୟର ଲାଲିମା ?
ନିର୍ବାକ ହୋଇ ଚାହିଁଲା ଝିଅ ।
ଅନୁଭବ କଲା ବାପାଙ୍କ ଶୀତଳ ହାତର ସ୍ପର୍ଶକୁ
ଆବେଗ ମିଶ୍ରିତ ସ୍ୱରକୁ ।
' ବହିର ଚିତ୍ର ଭିତର
ସବୁ ସୁନ୍ଦର ଦିଶେ ମା'
ସବୁଜ , ଶ୍ୟାମଳ , ସମତଳ,
ଠିକ୍ ଦୂର ଦିଗନ୍ତର ପାହାଡ଼ ପରି ।
କିନ୍ତୁ ସତ ଜୀବନର ଚିତ୍ରିତ ଅଲଗା
ପାହାଡ଼ , ଖାଲ , ଖମା,କଣ୍ଟା, ଝଣ୍ଟା ଭରା
ବନ୍ଧୁର ଶିଳାର ଆଘାତ ପରି ।
ବହିର ଚିତ୍ର , ସ୍ଵପ୍ନ, କଳ୍ପନା
ଏସବୁ ଦେଖି ହୁଏ ମା '
କିନ୍ତୁ ଏଥିରେ ଜିଇଁବାକୁ ପଡ଼େ
ତାକୁ ଦେଖି ହୁଏନା
ବହି କାଗଜରେ ଆଙ୍କି ହୁଏନା ।'
