ଶୟନ ଏକାଦଶୀ
ଶୟନ ଏକାଦଶୀ
ଜଗନ୍ନାଥ ଜଗଦୀଶ ପ୍ରଭୁ ଜନାର୍ଦ୍ଦନ
ଜଗତ ଈଶ୍ୱର ହେ ଜଗତ ଜୀବନ।
ପୂଜା ଉପାସନା ବ୍ରତ ପାର୍ବଣ ମେଳା
ବିଚିତ୍ର ପ୍ରଭୁ ହେ ସବୁ ତୁମରି ଲୀଳା ।
ଲୀଳାକର ଲୀଳାମୟ ସାରା ବରଷ
ଲୀଳାରେ ଲୀଳାରେ ଦିଅ ନୂଆ ସନ୍ଦେଶ ।
ଖାଲ ଢିପ ଭରା ଆମ ଜୀବନ ପଥ
ଲୀଳା ତୁମ ଢାଳି ଦିଏ ଅମୃତ ସ୍ରୋତ ।
ଅପାର ଆନନ୍ଦ ଦିଏ ତୁମର ଲୀଳା
ଉଣା ହୋଇଥାଏ ଆମ ଜୀବନ ଜ୍ୱାଳା ।
ଶୟନ ଉତ୍ଥାନ ତୁମ ମାୟା ଅପୂର୍ବ
ମାଟିରେ ମହକ ଢାଳେ ଉଛୁଳେ ସ୍ୱର୍ଗ ।
ଚାରିମାସ ହୁଏ ବୋଲି ବର୍ଷା ନିଇତି
ଉତ୍ସବ ହୁଏନି ତୁମ କାହିଁ କେଉଁଠି ।
ସେଥିପାଇଁ ତୁମେ ବୋଧେ ବିଶ୍ରାମ ନିଅ
ଶୟନ ଲୀଳା ତୁମେ ଭିଆଇ ତ ଥାଅ।
ଶୟନ କରିବା ତୁମ ଛଳନା ଯାହା
ତୁମ ବିନା ଚାଲିବନି ସଂସାର ନାଆ ।
ବ୍ରହ୍ମ ବିନା ବ୍ରହ୍ମାଣ୍ଡର ଅସ୍ତିତ୍ୱ ବା କାହିଁ
ଶୟନ ଲୀଳା ତୁମ ଲୋକାଚାର ପାଇଁ ।
ବିଷ୍ଣୁ ପୁରାଣରେ ଅଛି କଥା ବର୍ଣ୍ଣନ
ବଳି କୁ ପାଦେ ଚପିଲ ହୋଇ ବାମନ ।
ଶେଷ ବେଳେ ବଳି ରାଜା କଲେ ମିନତି
ଦୟା ରଖିଥିବ ସଦା ଜଗତ ପତି ।
ବରଷକେ ଚାରିମାସ ପାତାଳେ ଆସି
ଦୟା ବାରିଧି ଯିବ ଦୟା ପରଷି ।
ସେଲାଗି ଶୟନ କାଳେ ପ୍ରଭୁଙ୍କ ଅଂଶ
ବଳି ରାଜା ପାଶେ ତ ହୁଅନ୍ତି ପ୍ରବେଶ ।
ଦ୍ୱିତୀୟ ଅଂଶେ ପ୍ରଭୁ ଅନନ୍ତ ଶୟନ
ତୃତୀୟରେ ତପ ଯେ କରନ୍ତି ସାଧନ ।
ଏଣେ ନୀଳାଚଳ ଧାମେ ଜଗତନାଥ
ଶୟନ ଠାକୁର ଭାବେ ନିଦ୍ରାଯାନ୍ତି ସେତ ।
ମହାପ୍ରଭୁଙ୍କ ଶୟନ ଲୀଳା ମହାନ
ଶୋଇବା ଉଠିବା ପାର୍ଶ୍ଵ ପରିବର୍ତ୍ତନ ।
ବର୍ଷରେ ପ୍ରମୁଖ ଯେଉଁ ତେର ଯାତରା
ଏହି ତିନି ଯାତ୍ରା ଛନ୍ତି ତହିଁରେ ପରା ।
ଆଷାଢ଼ ମାସ ଶୁକ୍ଳ ଏକାଦଶୀ ସେତ
ଶୟନ ଏକାଦଶୀ ଭାବରେ ସେ କ୍ଷାତ ।
ବାହୁଡ଼ା ରଥରେ ହୁଏ ଶୟନ ନୀତି
ସୁନାବେଶ ରଥରେ ପ୍ରଭୁ ହୋଇଥାନ୍ତି ।
ମହଣ ମହଣ ସୁନା ବେଶରେ ଲାଗଇ
ଦିଗ ଚଉଦିଗ ଆହା ଝଟକି ଉଠଇ ।
ଦାରୁବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ଅପୂର୍ବ ରୂପରେ
ଦର୍ଶନ ଦିଅନ୍ତି ପ୍ରଭୁ ବାହୁଡ଼ା ରଥରେ ।
ସାରା ଜଗତର ଭକ୍ତ ଗହଳି ଦାଣ୍ଡେ
ପୂର୍ଣ୍ଣ ବ୍ରହ୍ମ ଦରଶନ ମିଳଇ ଦଣ୍ଡେ ।
ପିମ୍ପୁଡ଼ି ପରାଏ ଭକ୍ତ ଧାଡି ଲାଗଇ
ଜୟ ଜଗନ୍ନାଥ ଚଉଦିଗ କମ୍ପଇ ।
ନିଶାର୍ଦ୍ଧ ଯାଏ ଲାଗେ ବଡ଼ଦାଣ୍ଡେ ଲୀଳା
ଅଳଙ୍କାର ତାପରେତ ହୁଅଇ ଖୋଲା ।
ସୁବର୍ଣ୍ଣର ବେଶ ଯେବେ ଉଲାଗି ସରେ
ଶୟନର ନୀତି କାନ୍ତି ହୁଏ ରଥରେ ।
ମଇଲମ ହୁଏ ହୁଏ ବଡ଼ସିଂହାର
ଭୋଗ ଲାଗି ହୁଏ ପୁଣି ରଥ ଉପର ।
ତାପରେ ପ୍ରଭୁଙ୍କ ହୁଏ ମହା ସ୍ନାହାନ
ହୁଏ ପୂଜାଅରଚନା ଭକ୍ତି ଅର୍ପଣ ।
ହେବା ପରେ ପୂଜା ଠା ପୂଜାପଣ୍ଡାଟି
ଶୟନ ଠାକୁରଙ୍କୁ ରଥକୁ ଆଣନ୍ତି ।
ଭଣ୍ଡାର ଘରୁ ଶୟନ ବିଗ୍ରହ ଆସନ୍ତି
ତିନି ରଥେ ତିନି ମୂର୍ତ୍ତି ବିଜୟ କରନ୍ତି ।
ତାଳ ଧ୍ୱଜେ ବାସୁଦେବ ବିଜେ ହୁଅନ୍ତି
ଭୁବନେଶ୍ୱରୀ ଦେବୀ ରଥକୁ ଯାଆନ୍ତି।
ନନ୍ଦିଘୋଷେ ବିଜେ ପ୍ରଭୁ ଶ୍ରୀନାରାୟଣ
ମହାପ୍ରଭୁଙ୍କ ପ୍ରତିନିଧି ଅଟନ୍ତି ସେ ଜାଣ ।
ଶୟନ ଠାକୁର ମାନଙ୍କୁ ଦାରୁବ୍ରହ୍ମ
ଆଖିରୁ ନିଦକୁ ସେ କରିଥାନ୍ତି ଦାନ ।
କର୍ପୂର ଆଳତି ହୁଏ ଦିଅଁ ଙ୍କୁ ଅର୍ପଣ
ଶୟନ ଠାକୁରେ ତହୁଁ ଫେରିଥାନ୍ତି ଜାଣ ।
ଭଣ୍ଡାର ଘରକୁ ଯେବେ ଦିଅଁ ବାହୁଡନ୍ତି
ଶୟନ ଉପଚାର ଆରମ୍ଭ ହୁଏଟି ।
ଭଣ୍ଡାର ଘର ଆଗେ ଖଟଶେଜ ଘର
ଅପୂର୍ବ ଘରଟି ସେତ ସୁନ୍ଦର ମନ୍ଦିର।
ଖଟଶେଜ ଘର ପରେ ସମୁଦ୍ର ଘରଟି
ସମୁଦ୍ର ଗର୍ଜନ ପରି ଶବ୍ଦ ଶୁଭେ ସେଠି।
ସହି ଘରେ ରହିଅଛି ପେଡ଼ି ଯେ ତିନୋଟି
ସେ ପେଡ଼ି ମଧ୍ୟରେ ଦିଅଁ ଶୟନ କରନ୍ତି ।
ଗଭୀର ନିଦରେ ସବୁ ଶୟନ କରନ୍ତି
ଚାରିମାସ କାଳ ସେ ନିଦ୍ରା ଯାଇଥାନ୍ତି ।
ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ ଦିଅଁ
ଶୟନ ଯାଆନ୍ତି ଯେ ପ୍ରଭୁ ଦୟାମୟ।
ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ
ଦିଅଁ ଙ୍କର ହୁଏ ପାର୍ଶ୍ଵ ପରିବର୍ତ୍ତନ।
କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠନ୍ତି
ବିଚିତ୍ର ପ୍ରଭୁ ଙ୍କ ଏହି ଶୟନ ନୀତି ।
ଶୟନ କରନ୍ତି ସିନା ସବୁ ଦେଖନ୍ତି
ଦୀନଦୁଃଖୀଙ୍କର ଦୁଃଖ ବୁଝି ସେ ଥାନ୍ତି।
କଠୋପନିଶଦେ ଏହା ଅଛି ବର୍ଣ୍ଣିତ
ସେ ବ୍ରହ୍ମ ନିଶ୍ଚଳ ହୋଇ ଦୂରକୁ ପ୍ରାପ୍ତ ।
ଶାୟିତ ହୋଇ ସୁଦ୍ଧା ସର୍ବତ୍ର ଗମନ
ତାଙ୍କରି ଇଙ୍ଗିତେ ଧରା ଗତିଶୀଳ ଜାଣ ।
ନୀଳାଦ୍ରି ମହୋଦୟରେ ଏହା ବର୍ଣ୍ଣନ
ଭକତ ହିତରେ ସଦା ଚକାନୟନ ।
ସାଧୁଙ୍କ ପରିତ୍ରାଣ ଦୁର୍ଜନ ବିନାଶ
କଡ଼ ଲେଉଟାଇଥାନ୍ତି ଜଗତ ଈଶ ।
ଜାଗ୍ରତେ ହେଉ ଅବା ଶୟନ ସ୍ୱପ୍ନ
ଜଗତ ରକ୍ଷା କାରଣେ ସର୍ବଦା ଧ୍ୟାନ।
ଏମିତି ବିଚିତ୍ର ଏହି ଶୟନର ବିଧି
ଜଗତ ହିତରେ ସଦା କୃପା ବାରିଧି ।