ଶ୍ରୀନୃସିଂହ ଜୟନ୍ତୀ
ଶ୍ରୀନୃସିଂହ ଜୟନ୍ତୀ
ଶ୍ରୀନୃସିଂହଙ୍କ ଜନ୍ମନୀତି ପାଳନ
ବିଧି ବଡଦେଉଳ ରେ
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ
ପୂର୍ଣ୍ଣ ବିଧି ବିଧାନ ରେ
ଶ୍ରୀଜଗନ୍ନାଥ ଅବତାରୀ ଠାକୁର
ତାଙ୍କ ଠାରୁ ଅବତାର
ଆବିର୍ଭୁତ ପରେ ଲୀଳା ବିସ୍ତାରିତ
ପୁନଶ୍ଚ ଲୀନ ତହିଁର
ଚତୁର୍ଥ ଅବତାର ଭାବେ ମାନ୍ୟତା
ନୃସିଂହଙ୍କ ଅବତାର
ଅବତାର ଆଢ଼ୁଆଳେ ଭକ୍ତ ରକ୍ଷା
ପୁଣି ରାକ୍ଷସ ସଂହାର
ଭକ୍ତ ପ୍ରହଲ୍ଲାଦ କଥାର ବର୍ଣ୍ଣନା
ଅଛି ପୁରାଣ ପୃଷ୍ଠାରେ
ଭକ୍ତ ନିର୍ଯାତନା ଜାଣି ଆବିର୍ଭାବ
ପ୍ରଭୁ ନୃସିଂହ ରୂପରେ
ହିରଣ୍ୟ କଶ୍ୟପ ରାକ୍ଷସର ଉକ୍ତି
ଥିଲା ପ୍ରହଲ୍ଲାଦ ପ୍ରତି
ହରି ଯଦି ସର୍ବବ୍ୟାପୀ ଖମ୍ବ ମଧ୍ୟେ
ଉଭା ହୁଅନ୍ତୁ ସମ୍ପ୍ରତି
ସର୍ବବ୍ୟାପୀ ପରଂବ୍ରହ୍ମ ହେଲେ ଉଭା
ସେଇ ନିର୍ଦ୍ଦିଷ୍ଟ ଖମ୍ବ ରେ
ଅଧା ନର ଅଧା ସିଂହ ଉଗ୍ର ରୂପେ
ପୁଣି ସର୍ବ ସମ୍ମୁଖରେ
ନଖ ଦ୍ଵାରା ଚିରି ରାକ୍ଷସ ଶରୀର
ବଧ ହେଲା ସେହି ଠାରେ
ଅଜ୍ଞତା ବିନାଶ ପରେ ଆତ୍ମ ଜ୍ଞାନ
ପ୍ରକାଶ ହେଲା ଧରାରେ
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ
ଯେଣୁ ନୃସିଂହ ସମ୍ଭୂତ
ସେହି ତିଥି ନୃସିଂହ ଜୟନ୍ତୀ ରୂପେ
ଶ୍ରୀମନ୍ଦିରେ ବି ପାଳିତ
ଉଗ୍ର ନୃସିଂହ କ୍ରମେ ଶାନ୍ତ ନୃସିଂହ
ଦୁଇ ରୂପରେ ପୂଜନ
ନର-ସିଂହ ମିଶ୍ରଣରେ ନରସିଂହ
କ୍ଷର ଅକ୍ଷର ମିଳନ
ଶ୍ରୀନୃସିଂହ ପୁରୁଷୋତ୍ତମ କ୍ଷେତ୍ରରେ
ଆଦ୍ୟ ପ୍ରତିଷ୍ଠିତ ମୂର୍ତ୍ତି
ଶ୍ରୀମନ୍ଦିରେ ବିଜେ ଭିନ୍ନ ଭିନ୍ନ ସ୍ଥଳେ
ଭିନ୍ନ ନାମରେ ସମ୍ପ୍ରତି
ଶ୍ରୀମନ୍ଦିରେ ପ୍ରତି ହୋମାଦି କର୍ମରେ
ମୁଖ୍ୟ ଦେବ ହିଁ ନୃସିଂହ
ନୃସିଂହ ମନ୍ତ୍ରରେ ନ୍ୟାସ ସହ ଦାରୁ
ପ୍ରତିଷ୍ଠା ଦାରୁ ବିଗ୍ରହ
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ
ଯାତ ଭୋଗ ଶେଷ ପରେ
ଚନ୍ଦନ କୁ ବିଜେ କରନ୍ତି ବିଗ୍ରହ
ମଧ୍ୟାହ୍ନ ଧୂପ ତା' ପରେ
ଶ୍ରୀଅଙ୍ଗରୁ ଆଜ୍ଞାମାଳ ଯାଇଥାଏ
ନୃସିଂହ ଠାକୁର ପ୍ରତି
ଘଣ୍ଟ ଛତା କାହାଳୀ ର ଧାରେ ଧାରେ
ପାଳିଆ ପଣ୍ଡା ଗମନ୍ତି
ସିଂହଦ୍ୱାର ଓ ଦୋଳ ମଣ୍ଡପ ସାହି
ଅତିକ୍ରମ ହେଲା ପରେ
ଚକ୍ର ନାରାୟଣ ମନ୍ଦିରକୁ ଯାତ୍ରା
ହୁଏ ବିଧି ସଙ୍ଗତରେ
ଆଜ୍ଞାମାଳ ଲାଗି ହୁଏ ବିଧାନ ରେ
ଚକ୍ର ନାରାୟଣ ଅଙ୍ଗେ
ପରେ ମଇଲମ ସହିତ ଆଳତି
ମହାପ୍ରଭୁଙ୍କୁ ସରାଗେ
ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ
ବିଧି ବି ତିନି-ବାଡ଼ ରେ
ଏହି ପରି ନୃସିଂହଙ୍କ ଜନ୍ମ ନୀତି
ପାଳନ ହୁଏ ଶ୍ରୀମନ୍ଦିରେ
ଶ୍ରୀଜଗନ୍ନାଥ ହିଁ ସାକ୍ଷାତ୍ ନୃସିଂହ
ପୁରାଣ ପୋଥି ପୃଷ୍ଠାରେ
ନମଇ ନୃସିଂହ ଚରଣ ବନ୍ଦନା
ଭାଗବତ ଆରମ୍ଭରେ ।।