ଶବରୀ
ଶବରୀ
ଶବରୀ ଲୋ ଶବରୀ
ଭକତ କେ ଅଛି ଆଉ କହ ତୋ ପରି !
ଖୋଇଦେଲୁ ତୁ ଅଇଁଠା
ଫଳ ଚାଖି ମିଠାମିଠା
ତୋଷ ହେଲେ ପ୍ରଭୁ ରାମ କୋଦଣ୍ଡଧାରୀ
ଶବରୀ ଲୋ ଶବରୀ...
ଘୋରବନ ଗହନରେ ଜନମ ତୋର
ମନକଲୁ ଛୁଇଁବାକୁ ରାମ ପୟର
ମାତଙ୍ଗ ଋଷିଙ୍କ ଗଲୁ ଶରଣ ତୁହି
ସେବାକରି ନେଲୁ ତାଙ୍କ ପରାଣ ମୋହି
ସ୍ୱର୍ଗବାସ କାଳେ ଗୁରୁ ଦେଲେ ଆଶିଷ
" ଧନ୍ୟ ହେବୁ ଶ୍ରୀରାମଙ୍କ ପାଇ ପରଷ "
ଗୁରୁଙ୍କ ଆଶିଷ ପାଇ
ରହିଲୁ ତୁ ବାଟ ଚାହିଁ
ପ୍ରଭୁଙ୍କୁ ଦେଖିବା ପାଇଁ ନୟନ ଭରି
ଶବରୀ ଲୋ ଶବରୀ...
ସୁଆଦିଆ ଫଳ ନିତି ତୁ ତୋଳୁଥିଲୁ
ଆଶ୍ରମକୁ ଫୁଲରେ ତୁ ସଜାଉ ଥିଲୁ
ସୟନେ ସପନେ ରାମ ତୁ ଘୋଷୁଥିଲୁ
ଚାତକ ପରି ତୁ ତାଙ୍କୁ ଚାହିଁ ତ ଥିଲୁ
ଆସିବେ ନିଶ୍ଚୟ ଦିନେ ରଘୁ ନନ୍ଦନ
ଜନମ ସାର୍ଥକ ହେବ,ଗୁରୁ ବଚନ
ବିତିଗଲା ମାସ ବର୍ଷ
ବଳେଇ ଗଲା ବୟସ
ତଥାପି ତୁ ଥିଲୁ ଚାହିଁ ବାଟ ତାଙ୍କରି
ଶବରୀ ଲୋ ଶବରୀ...
ପିତୃ ସତ୍ୟ ପାଳି ରାମ ଆସିଲେ ବନ
ପଞ୍ଚବଟି ଅରଣ୍ୟରେ କାଟିଲେ ଦିନ
କପଟି ରାବଣ କଲା ସୀତା ହରଣ
ବିଚଳିତ ହେଲେ ରାମ ଜାନକୀ ପ୍ରାଣ
ସୀତାଙ୍କୁ ତ ଖୋଜୁଥିଲେ ପ୍ରଭୁ ବନରେ
ଖୋଜୁଖୋଜୁ ଘୋରବନେ ତୋତେ ମିଳଲେ
ଆଶା ତୋ ହୋଇଲା ପୂର୍ଣ୍ଣ
ପାଇଲୁ ପ୍ରଭୁ ଦର୍ଶନ
ଅଇଁଠା ଖୋଇ ଲଭିଲୁ ସରଗପୁରୀ
ଶବରୀ ଲୋ ଶବରୀ...
