STORYMIRROR

Pt.Abhaya Kumar Tripathy Sharma

Others

4  

Pt.Abhaya Kumar Tripathy Sharma

Others

ସ୍ବର୍ଣ୍ଣଭୂମି

ସ୍ବର୍ଣ୍ଣଭୂମି

1 min
355


ପୁଣ୍ୟଭୂମି ଧର୍ମଭୂମି ମୋ ଉତ୍କଳ ଧରା l

ସ୍ବର୍ଣ୍ଣଭୂମି କର୍ମଭୂମି ଏ ଓଡିଶା ପରା ll

ଏ ମାଟିର ଜଳବାୟୁ ଅମୃତର ଧାରା l

ସମତାରେ ଶୀତଳତା ବର୍ଷା ଆଉ ଖରା ll

ବିଲମାଳ ବନଗିରି ସୌନ୍ଦର୍ଯ୍ୟପସରା l

ଖଣି ପାଣି ବନସ୍ପତି ଶସ୍ଯକ୍ଷେତେ ଭରା ll

ଶିଳ୍ପ-କଳା-ବାଣିଜ୍ୟରେ ବିଜ୍ଞାନକ୍ଷେତ୍ରରେ l

ମନ୍ଦିରମାଳିନୀ ଭୂମି କେତେ ଶୋଭା ଧରେ ll

ଗୌରବର ଇତିହାସ ବୀରତ୍ୱର ଗାଥା l

ସର୍ବଦା ଉଚ୍ଚା କରିଛି ଓଡ଼ିଆଙ୍କ ମଥା ll

କଥାକୁହା କଳା ଅଛି ମନ୍ଦିରଗାତ୍ରରେ l

ଶ୍ରୀମନ୍ଦିର କୋଣାରକ ଲିଙ୍ଗରାଜଠାରେ ll

ଖଣ୍ଡଗିରି ଉଦୟରେ ରତ୍ନଗିରି ଠାରେ l

ବୌଦ୍ଧକୀର୍ତ୍ତି ପ୍ରସ୍ଫୁଟିତ ତ୍ରିଭୁଜ କ୍ଷେତ୍ରରେ ll

ଶାନ୍ତିବାର୍ତ୍ତା ବିତରୁଛି ଧଉଳି ପାହାଡ଼ l

ଧର୍ମାଽଶୋକ ପାଲଟିଲା ଚଣ୍ଡାଽଶୋକ ବୀର ll

ଖାରବେଳ ମହାରାଜା କୃଷ୍ଣଚନ୍ଦ୍ର ଆଦି l

କୀର୍ତ୍ତିମନ୍ତ ସୁପୁରୁଷ ଅବନୀ ବାରିଧି ll

ଚନ୍ଦ୍ରଭାଗା ଚିଲିକାଯେ ଭିତରକନିକା l

ସୌନ୍ଦର୍ଯ୍ୟରେ ଭରପୁର ଅଭୟାରଣ୍ୟେକା ll

ମୋ ଓଡିଶା "ସ୍ବର୍ଣ୍ଣଭୂମି" କହିଥିଲେ ବିଜୁ l

ଅନେକ ଶିଳ୍ପ ବନ୍ଦର ସ୍ଥାପିଥିଲେ ରାଜ୍ୟୁ ll

ଏସିଆ ମହାଦେଶର ଇସ୍ପାତ ନଗର l

କଳିଙ୍ଗ ନଗର ନାମେ ଖ୍ୟାତ ପୃଥିବୀର ll

ଅନେକ ଜଳପ୍ରପାତ ବହୁ ନଦନଦୀ l

ପୂର୍ବପଟେ ବେଢିଅଛି ପ୍ରଶସ୍ଥ ଜଳଧି ll

ଯେ ମାଟିର ମଙ୍ଗୁଆଳ ସ୍ୱୟଂ ଜଗନ୍ନାଥ l

ସେ ଦେଶର ଲୋକଙ୍କୁ କି' ନମିଳଇ ଭାତ !!

ତଥାପି ଆମେ ଗରିବ ବୋଲନ୍ତି ଜଗତ l

ଏ କଥାକୁ ଆମେ କି' ନକରୁ ହୃଦଗତ !!

ନିଜକୁ ଚିହ୍ନରେ ଭାଇ ଗୌରଵକୁ ଦେଖ l

ଅନ୍ୟମାନଙ୍କର ଠାରୁ ଏକଥାକୁ ଶିଖ ll

ସବୁଥାଇ କିଛିନାହିଁ ଓଡିଶା ମାଟିରେ l

ଏ କଥା ଚିନ୍ତାକରିଲେ ଲଜ୍ଜାବୋଧକରେ ll



Rate this content
Log in