ରହିଛି ତୁମ ଭାବରେ ତଲ୍ଲୀନ
ରହିଛି ତୁମ ଭାବରେ ତଲ୍ଲୀନ
ଅସ୍ତାଚଳ ଶିଖେ ଢଳିଲେ ଅରୁଣ
ଶୋଭା ବଢେ ଧରଣୀର
ଗୋଗୋଷ୍ଠ ଫେରନ୍ତା ଗୋଧୂଳି ଲଗନେ
ମନେ ସୃଷ୍ଟି ହୁଏ ଭାବାନ୍ତର ।
ହଜିଯାଏ ମନ କଳ୍ପନା ରାଜ୍ୟରେ
ରକ୍ତିମ ଆଭାରେ ଭିଜି
ଦୂର ଦିଗବଳୟେ ଦିଶେ ତୁମ ରୂପ
ହେଲେ ତୁମକୁ ପାଏନା ଖୋଜି ।
ଇନ୍ଦ୍ରଧନୁର ସାତରଙ୍ଗ ପରି
ତୁମ ରୂପ ଶୋଭାପାଏ
ସେ ରୂପ ମାଧୁରୀରେ ତ୍ରିକାଳର ଦୃଶ୍ୟ
ସେଥିରେ ମୁଁ ହଜି ଯାଏ ।
ରାଧା ପାଇଁ ତୁମେ ମୋହନ ମୁରାରୀ
ମୀରା ପାଇଁ ତୁମେ କୃଷ୍ଣ
ମୋ ପାଇଁକି ତୁମେ ଭାବର ଦେବତା
ମୁଁ ଭିଜେ ତୁମ ନାମ ରସେ ।
ତୁମେତ ସ୍ପନ୍ଦନ ଏ ମାଟି ଘଟର
ତୁମ ନାମ ପ୍ରାଣ କରଇ ସଞ୍ଚାର
ଖୋଜିବି କାହିଁକି କେଉଁଠି ତୁମକୁ
ତୁମ ସତ୍ତା ସବୁଠାରେ ପୂର୍ଣ୍ଣ
ସେଥିପାଇଁ ଏ ଆଖି ହଳକ
ସବୁବେଳେ ଦିଗବଳୟ ମୁହାଁ
ରହିଛି ତୁମ ଭାବରେ ତଲ୍ଲୀନ ।
