ରାତିରେ ହେଉନି ନିଦ
ରାତିରେ ହେଉନି ନିଦ
ରାତିରେ ଏବେ ତ ଚାହିଁଲେ ଯେତେବି
ଆଖିରେ ଆସୁନି ନିଦ
ଷାଠିଏ ଯେବେଠୁ ପସିଲା ସେବେଠୁ
ବୟସ କରୁଛି ବାଦ
ଆଖିରେ ଆସୁନି ନିଦ ।
ନିଦ ନହୋଇଲେ ଆଖିକୋଣେ ମୋର
ଅତୀତ ଗୁମରି ହୁଏ
କେତେ ପାପ କେତେ ପୂଣ୍ୟ ମୁଁ କରିଛି
ମନେମନେ ଭାବୁଥାଏ
ନିଜକୁ ନିଜେ ମୁଁ ପରଖୁ ଥାଏତ
କେତେ ସୁନା କେତେ ଖାଦ
ଆଖିରେ ଆସୁନି ନିଦ ।
ବୟସ ଯେତିକି ବଢୁଛି ସେତିକି
ଲାଗୁଅଛି ମୋତେ ଡର
ଧୀରେଧୀରେ ଏବେ ଦେହସାରା ମୋର
ବେମାରୀ କଲେଣି ଘର
ପାଦେପାଦେ ମୋତେ ଆଖି ତରାଟନ୍ତି
ଚିନ୍ତା ଆଉ ଅବସାଦ
ଆଖିରେ ଆସୁନି ନିଦ ।
ବାପା ମାଆଙ୍କର ସୁକୃତରୁ ମୋର
ଜୀବନ ହୋଇଛି ସୁଖୀ
ମୋ କଲା କରମ ଭୋଗିବି ଏବେ ମୁଁ
ଅଛି ଯେତେଦିନ ବାକି
"ଟୋକେଇ" ଗପ ତ ମନେପଡିଗଲେ
ଟଳମଳ ହୁଏ ପାଦ
ଆଖିରେ ଆସୁନି ନିଦ ।
ଅନିଦ୍ରା ରହିବା ନିଦ ନଆସିବା
ଦେହ ପାଇଁ ନୁହେଁ ଭଲ
ନିଦ ନହୋଇଲେ ସକାଳକୁ ଚାହିଁ
ହୁଏ ଖାଲି କଲବଲ
ସମୟ କହୁଛି ସୁଖ ସରିଗଲା
ଆସୁଛି ସମୟ ମନ୍ଦ
ଆଖିରେ ଆସୁନି ନିଦ ।
ନିର୍ଜନ ରାତିରେ ପ୍ରତିଧ୍ବନି ତୋଳେ
"ମନବୋଧ ଚଉତିଶା"
ସବୁ ପାଇ ପୁଣି କାହିଁକି ମନରେ
ସାଉତୁ ହଜାରେ ଆଶା
ବେଳରେ ଭଜିନି ଅବେଳେ ଖୋଜୁଛି
କଳା ସାଆନ୍ତଙ୍କ ପାଦ
ଆଖିରେ ଆସୁନି ନିଦ ।
