STORYMIRROR

Bikesh Sahu

Others

3  

Bikesh Sahu

Others

ରାତି, ନିଦ ଆଉ ବୋଉ

ରାତି, ନିଦ ଆଉ ବୋଉ

1 min
125

ରାତି ଅନେକ ହେଲାଣି

ହେଲେ ବୋଉ ତ ଶୋଇନି ଏ ଯାଏଁ


ଏବେ ବି ଶୁଭୁଛି ତା' ଖର ନିଃଶ୍ୱାସ

ବାପାଙ୍କ ଶୋଇବା ଘରୁ

ଯାଇ ଦେଖେ ତ ବାପାଙ୍କ ଗୋଡ଼ ପାଖେ ବସି

ବାପାଙ୍କ ଗୋଡ଼ ମଳି ଦଉଛି ସେ

ପୁଣି କେତେବେଳେ କେମିତି କାନିରେ ମୁହଁ ପୋଛେ

ରାତିଟାକୁ ଖୋଲା ଛାଡି ଦେଇ

ନିଜକୁ ବୁଝେଇ ନିଏ

ନିଦ ସବୁକୁ ଲୁଚେଇବାକୁ ଚେଷ୍ଟା କରେ

ହେଲେ କ'ଣ ସେ ଲୁଚେଇ ପାରେ

ତା' ସତେଜ ଆଖିରେ କ୍ଲାନ୍ତିର ଚିହ୍ନ ସବୁ

ବାରି ହେଇ ପଡେ ଭାରି ସ୍ପଷ୍ଟ ଭାବରେ । 


ହେଲେ ନିଦର ତ କାହିଁ ଦେଖା ନାହିଁ ?

କୋଉଠି ଲୁଚେଇ ଦେଇଛି ବୋଉ ନିଦକୁ ?

କୋଉଠି କି ପଠେଇ ଦେଇଛି ବୋଉ 

ତା ମନର ତମାମ ଚିନ୍ତା ଆଉ ଦୁଃଚିନ୍ତା ସବୁକୁ

ଦେହର ତମାମ କ୍ଲାନ୍ତି ଆଉ ଅବସତା ସବୁକୁ 

ସତରେ ସେସବୁ ତ ମୋ ପାଇଁ 

ଆଜି ବି ରହସ୍ୟ ଘେରରେ ।


ହେଲେ ବାପା

ସେ ତ ଶୋଇ ଗଲେଣି ଅନେକ ଆଗରୁ

ଦିନକର ତମାମ କ୍ଲାନ୍ତି ଆଉ ଅବସକୁ

ସାଥିରେ ନେଇ

ଘୁଙ୍ଗୁଡ଼ି ମାରି ନିଘୋଡ଼ ନିଦରେ ।


ତାଙ୍କର କ'ଣ ଚିନ୍ତା ବୋଲି କିଛି ନାଇଁ

ପ୍ରସ୍ତୁତି ବୋଲି କିଛି ନାଇଁ

ଆସନ୍ତା କାଲିକୁ ସାମ୍ନା କରିବା ପାଇଁ ?


ଏମିତି ଅନେକ ପ୍ରଶ୍ନ ମନକୁ ଆସେ

ଆଉ ସେଇ ସବୁକୁ ଭାବୁ ଭାବୁ ମାଡି ଆସେ

ଆଖି କି ମୋ ଅନାୟତ୍ତ ନିଦ 

ଆଉ ମୁଁ ଶୋଇଯାଏ।


ପୁଣି ଯେବେ ସକାଳ ହୁଏ

ଢେର ସକାଳୁ ଶୁଭେ ବୋଉର ସ୍ୱର

ନିଦ ଭାଙ୍ଗି ଯେବେ ଆଖି ଖୋଲେ 

ବୋଉ ବ୍ୟସ୍ତ ଥାଏ ରୋଷେଇ ଘରେ

ମୋ ମନ ପସନ୍ଦର ଜଳଖିଆ ତିଆରିରେ ।


ହେଲେ ମୁଁ ଜାଣି ପାରେ ନି

ବୋଉ ଆଖି କି ନିଦ କେବେ ଆସେ ?

ପୁଣି କେତେବେଳେ ଚାଲି ଯାଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍