STORYMIRROR

Bikesh Sahu

Others

4  

Bikesh Sahu

Others

ରାତି, ନିଦ ଆଉ ବୋଉ

ରାତି, ନିଦ ଆଉ ବୋଉ

1 min
182

ରାତି ଅନେକ ହେଲାଣି

ହେଲେ ବୋଉ ତ ଶୋଇନି ଏ ଯାଏଁ ।

ଏବେ ବି ଶୁଭୁଛି ତା' ଖର ନିଶ୍ୱାସ

ବାପାଙ୍କ ଶୋଇବା ଘରୁ

ଯାଇ ଦେଖେ ତ ବାପାଙ୍କ ଗୋଡ଼ ପାଖେ ବସି

ବାପାଙ୍କ ଗୋଡ଼ ଘଷି ଦଉଛି ସେ

ପୁଣି କେତେବେଳେ କେମିତି କାନିରେ ମୁହଁ ପୋଛେ

ରାତିଟାକୁ ଖୋଲା ଛାଡି ଦିଏ

ନିଜକୁ ସେ ବୁଝେଇ ନିଏ

ନିଦ ସବୁକୁ ଲୁଚେଇବାକୁ ଚେଷ୍ଟା କରେ

ହେଲେ କ'ଣ ସେ ଲୁଚେଇ ପାରେ

ତା' ସତେଜ ଆଖିରେ କ୍ଲାନ୍ତିର ଚିହ୍ନ ସବୁ

ବାରି ହେଇ ପଡେ ଭାରି ସ୍ପଷ୍ଟ ଭାବରେ ।

ହେଲେ ସତେତ 

ନିଦର ତ କାହିଁ ଦେଖା ନାହିଁ ?

କୋଉଠି ଲୁଚେଇ ଦେଇଛି ବୋଉ 

ନିଦକୁ କେଜାଣି ?

କୋଉଠି କି ପଠେଇ ଦେଇଛି ବୋଉ 

ତା ମନର ତମାମ ଚିନ୍ତା ଆଉ ଦୁଃଚିନ୍ତା ସବୁକୁ

ଦେହର ତମାମ କ୍ଲାନ୍ତି ଆଉ ଅବସ ସବୁକୁ 

ସତରେ ସେସବୁ ତ ମୋ ପାଇଁ 

ଆଜି ବି ଅନାବିଷ୍କୃତ ରହସ୍ୟ ଘେରରେ ।

ହେଲେ ବାପା

ସେ ତ ଶୋଇ ଗଲେଣି ଅନେକ ଆଗରୁ

ଦିନ ଯାକର ତମାମ କ୍ଲାନ୍ତି ଆଉ ଅବସକୁ

ସାଥିରେ ନେଇ

ଘୁଙ୍ଗୁଡ଼ି ମାରି ନିଘୋଡ଼ ନିଦରେ ।

ତାଙ୍କର କ'ଣ ଚିନ୍ତା ବୋଲି କିଛି ନାଇଁ

ପ୍ରସ୍ତୁତି ବୋଲି କିଛି ନାଇଁ

ଆସନ୍ତା କାଲିକୁ ସାମ୍ନା କରିବାକୁ ?

ଭାରି ଅଭିମାନ ଆସେ ଏ ସବୁ ଭାବି

ବାପାଙ୍କ ଉପରେ

ସାମାନ୍ୟ ରାଗି ଯାଏ ମୁଁ 

ଆଉ ଏମିତିରେ 

ଆଖି କି ମୋ ଅନାୟତ୍ତ ନିଦ 

କବଜା କରିନିଏ 

ଆଉ ମୁଁ ଶୋଇ ଯାଏ ନୀରବରେ ।

ପୁଣି ଯେବେ ସକାଳ ହୁଏ

ଢେର ସକାଳୁ ଶୁଭେ ମୋ ବୋଉର ସ୍ୱର

ଆଉ ମୋ ନିଦ ଭାଙ୍ଗେ ତା' ପହେଲି ଡାକରେ

ଯେବେ ମୁଁ ଆଖି ଖୋଲି ଦେଖେ ତ

ବୋଉ ବ୍ୟସ୍ତ ଥାଏ ରୋଷେଇ ଘରେ

ମୋ ମନ ପସନ୍ଦର ଜଳଖିଆ ତିଆରିରେ ।

ହେଲେ ମୁଁ ଜାଣି ପାରେ ନି

ବୋଉ ଆଖି କି ନିଦ କେବେ ଆସେ ?

ପୁଣି କେତେବେଳେ ଚାଲି ଯାଏ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍