ପ୍ରଭୁ, ଲେଖୁଛି ତୁମରି ପାଇଁ
ପ୍ରଭୁ, ଲେଖୁଛି ତୁମରି ପାଇଁ
ଲେଖୁଅଛି ଗପ ଲେଖେ ମୁଁ କବିତା
ତୁମରି ପ୍ରେରଣା ପାଇ
ଅଟକି ଗଲେ ମୋ ହାତ ଧରି ତୁମେ
ପଦ ଦେଉଅଛ କହି
ତୁମରି ଆଶିଷ ଲେଖିବାକୁ ମୋତେ
ସାହସ ଯାଉଛି ଦେଇ
ପ୍ରଭୁ , ଲେଖୁଛି ତୁମରି ପାଇଁ ।
ବେଳେବେଳେ ଭାବେ ହାରିଗଲି ବୋଲି
ମରିଚିକା ପଛେ ଧାଇଁ
ଆଶା ଭରିଦିଅ ଅସଜଡା ମନେ
ଅମୃତ ବରଷା ହୋଇ
ତୁମ ନାମ ଘୋଷେ ,ଖୁସିର ଲୁହରେ
ତୁମରି ଚରଣ ଧୋଇ
ପ୍ରଭୁ , ଲେଖୁଛି ତୁମରି ପାଇଁ ।
ମିଛମାୟା ଭରା ଦୁନିଆ ହାଟରେ
ପାଏ ନାହିଁ ହାତ କାତ
ବାଟ ଭୁଲିଗଲେ ଅବାଟରେ ଗଲେ
ତୁମେତ ଦେଖାଅ ବାଟ
ମହିମାମୟହେ ତୁମରି ଦୟାରେ
ଜୀବନ ପାରିଛି ଜୀଇ
ପ୍ରଭୁ , ଲେଖୁଛି ତୁମରି ପାଇଁ ।
ଯାହା ମୁଁ ପାଇଛି ସବୁ ତୁମ ପାଇଁ
ତୁମେତ ସବୁରି ମୂଳ
ସେଇ କଥା ସବୁ ଗୀତ ହୋଇଯାଏ
ଲେଖିବାକୁ ଦିଅ ବଳ
ଏତିକି ମିନତି ଲେଖୁଥାଏ ନିତି
ଥିବାଯାଏ ମୁଁ ତ ଜୀଇ
ପ୍ରଭୁ , ଲେଖୁଛି ତୁମରି ପାଇଁ ।