ପୀରତି ପଥ
ପୀରତି ପଥ
ପୀରତିର ପଥ ଭାରି ଖସଡା ଲୋ'
ଦେଖି ଚାହିଁ ଚାଲୁଥିବୁ
ନିଘା ନକରିଲେ ଗୋଡ ଖସିଯିବ
ଏକଥା ମନେ ରଖିବୁ ।
ପ୍ରୀତି ମଧୁରସ ଯେ' ଥରେ ପିଇଛି
ପାଇଛି ସେ ତା'ର ସ୍ବାଦ
ପ୍ରୀତି ବର୍ଣ୍ଣବୋଧ ବ୍ୟତିକ୍ରମ ହେଲେ
ମନେ ଭରେ ଅବସାଦ ।
ଫଗୁଣର ଫଗୁ ରଙ୍ଗ ବୋଳି ଦେହେ
ପ୍ରୀତିଭାଷା କହିଯାଏ
ମଳୟ ପବନେ ସୁରଭିତ ମନେ
ପ୍ରୀତିର ସଙ୍ଗୀତ ଗାଏ ।
ଚୋରା ପୀରତିର ମଧୁମଧୁ ବାସ୍ନା
ମହମହ ପୁଣି ବାସେ
ପୀରତି ନଈରେ ସ୍ନାନ ଯେ' କରିଛି
ପ୍ରୀତି ରସରଙ୍ଗେ ରସେ ।
ପହିଲି ଶ୍ରାବଣ ବାରିଧାରା ସମ
ବରଷେ ପ୍ରୀତିର ବର୍ଷା
ଯେ' ଭିଜିଛି କେବେ ପ୍ରୀତି ବରଷାରେ
ଭିଜାଏ ପ୍ରୀତିର ନିଶା ।
ପ୍ରୀତି ପରିଭାଷା ସହଜ ନୁହଁ ଲୋ'
ଏକଥା ମନେ ରଖିଥା
ବାସ୍ତବତା ଯଦି ନଥାଏ ପ୍ରୀତିରେ
ତନୁମନେ ଭରେ ବ୍ୟଥା ।
ଶ୍ରୀ ବିଦ୍ୟାଧର ସେଠୀ
ବ୍ୟକ୍ତିଗତ ସହାୟକ
ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ବାଲେଶ୍ବର
ଓଡିଶା - ୭୫୬୦୦୧
