ଫୁଲର ଭାବନା---------------
ଫୁଲର ଭାବନା---------------
ଫୁଲଟିଏ ମୁହିଁ ନୁହେଁ ଖାଲି କିଛି
ପାଖୁଡ଼ାର ସମାହାର।
ପ୍ରକୃତିରାଣୀର ଅଙ୍ଗେ ଶୋଭାପାଏ
ଯେହ୍ନେ ଚାରୁ ଅଳଙ୍କାର।
ଭକତ ନିମନ୍ତେ ପ୍ରଭୁ ପାଦେ ମୁହିଁ
ଭକତିର ପୁଷ୍ପାଞ୍ଜଳି।
ମଧୁପର ମୁହିଁ ଅଟେ ପ୍ରିୟତମା
ସଦା ମୋ ପାଶେ ତା ଅଳି।
କବି ଲେଖନୀରୁ ଝରାଏ କବିତା
ହୋଇ ମୁଁ ଭାବ-ଝରଣା।
ପ୍ରିୟା ଗଭା ସାଜି ପ୍ରିୟତମ ହୃଦେ
ଜଗାଏ ପ୍ରୀତି ଭାବନା।
ପ୍ରେମିକର ହାତେ ପ୍ରେମିକା ପାଇଁକି
ମୁହିଁ ପ୍ରେମ ନିଦର୍ଶନ।
ବନ୍ଧୁ ହାତେ ରହି ବନ୍ଧୁଙ୍କୁ ସଙ୍ଖୋଳେ
କରି ସ୍ନେହ ସମ୍ଭାଷଣ।
ଯେତେ ଦୁଃଖ ଥାଉ ଯିଏ ଲାଭ କରେ
ମୋର ଆଦର ପରଶ।
ମୋ ହସ ତା ଦୁଃଖ ଲାଘବ କରିଣ
ମନ ତା କରେ ସରସ।
କ୍ଷଣସ୍ଥାୟୀ ଅଟେ ମୋହର ଜୀବନ
ସେପାଇଁ ନାହିଁ ମୋ ଦୁଃଖ।
ଜୀବନେ ମୁଁ ସବୁ ଝଡ଼ ଝଞ୍ଜା ସହି
ବାଣ୍ଟି ଚାଲିଥାଏ ସୁଖ।
ମୋ ପରି ଅନିତ୍ୟ ନର ଏ ଧରାରୁ
ନେବ ତ ଦିନେ ବିଦାୟ।
ଝଡ଼ ଝଞ୍ଜା ସତ୍ତ୍ଵେ ଖୁସି ସେ ବାଣ୍ଟିଲେ
ହେବ ସଭିଙ୍କର ପ୍ରିୟ।