ଫେରି ତ ଆସିଛି ବସନ୍ତ
ଫେରି ତ ଆସିଛି ବସନ୍ତ
ହାତେ ହାତ ଛନ୍ଦି
ମନେ ପ୍ରେମ ବନ୍ଦି
ଚାଲ ଯିବା ଦୂର ଦିଗନ୍ତ।
ପଳାଶ ମହକେ
ଫଗୁଣ ଚହକେ
ଦେଖି ମନ ହୁଏ ପ୍ରଶାନ୍ତ।
ତୁମରି ପଣତ
କରନ୍ତ ବିସ୍ତୃତ
ତା ତଳେ ହୁଅନ୍ତି ଘୁମନ୍ତ
ପରୀ ରାଜ୍ୟେ ମନ
ଦେଖନ୍ତି ସପନ
ତୁମେ ମନ ପରୀ ହୁଅନ୍ତ।
ସପନ ପଥରେ
ପକ୍ଷୀରାଜ ପରେ
ମୋ ସାଥେ କି ତୁମେ ଉଡନ୍ତ
ପଥ ହୁଡିଗଲେ
ମନ ଉଡିଗଲେ
ତମେ କି ଫେରାଇ ଆଣନ୍ତ।
କୋଇଲି କୂଜନେ
ତନ୍ଦ୍ରା ବିସର୍ଜନେ
ଶୀତଳ ପରଶ ଦିଅନ୍ତ।
ମଳୟ ପବନେ
ଆସି ଆନମନେ
ମୋତେ ଛୁଇଁ ଚାଲି ଯାଆନ୍ତ।
ନୟନର ଭାଷା
ହୃଦୟ ପରଷା
ମନେ ବହେ ସେ ଅସରନ୍ତ
ବିଗଳିତ ବାଣୀ
ବିଚଳିତ ଠାଣି
ସ୍ମୃତିର ପଟଳେ ଅଶାନ୍ତ।
ଆସ ପ୍ରିୟତମା
ଆଗୋ ରାଜଜେମା
ବାହୁ ପ୍ରସାରଣେ ତୁରନ୍ତ
ତୁମରି ପରଶ
ମନର ହରସ
ହୃଦୟରେ ସୁଖ ଅନନ୍ତ।
ତୁମ ବାଟ ଚାହିଁ
ରହେ ତୁମ ପାଇଁ
ତୁମେ କାଳେ ଏବେ ଆସନ୍ତ
ପ୍ରୀତି ମନୋରମା
ପ୍ରୀୟା ଅନୁପମା
ଫେରି ତ ଆସିଛି ବସନ୍ତ!
© ସୁଧିର କୁମାର ପଣ୍ଡା,
ବ୍ରହ୍ମପୁର 9337782912
