ନିତି ନୂଆ ନୂଆ ବେଶ
ନିତି ନୂଆ ନୂଆ ବେଶ
ଜୟଜୟ ଜଗନ୍ନାଥ ଜଗତ ସାଇଁ
ପତିତ ପାବନ ପ୍ରଭୁ କଳା ଗୋସାଇଁ।
ଚକାନୟନରେ ପ୍ରଭୁ ସବୁ ଦେଖୁଛ
ଦୁଃଖୀଜନ ମନକଥା ନିତି ବୁଝୁଛ ।
କଣାଏ କରୁଣା ତୁମ ପାଇବା ପାଇଁ
କାହିଁ କେତେ ଦୂରୁ ଭକ୍ତ ଆସନ୍ତି ଧାଇଁ ।
ଦୀପଟିଏ ଜାଳି ତୁମ ନାମ ଗାଆନ୍ତି
ବାହୁ ଟେକି ମହାନନ୍ଦେ ନାଚି ବୁଲନ୍ତି ।
ଭାବ ଭକ୍ତି ଉପାସନା ମଧୁର ପୂଜା
ରାଜା ତ ରାଜା ଆମ କାଳିଆ ରାଜା ।
ଚୁଆ ଚନ୍ଦନ ତୁଳସୀ ଦୟଣାମାଳ
ମହମହ ମହକଇ ସାରା ଦେଉଳ ।
ଲୀଳାମୟ ତୁମେ ତୁମ ଲୀଳା ଅପାର
ମାନବୀୟ ଲିଳା ତୁମ ଭାରି ସୁନ୍ଦର ।
ପ୍ରଭାତରୁ ଉଠ ପୁଣି ରାତିରେ ଶୁଅ
ଧୂପ ଅବକାଶ କେତେ ବେଶ ଯେ ହୁଅ ।
ନିତ୍ୟ ବେଶ ପୁଣି କେତେ ପାର୍ବଣ ବେଶ
ପାପ ଆଖି ଦେଖି ଆମ ହୁଅଇ ତୋଷ ।
ମହାଜନ ପୁଷ୍ପାଳକ ବେଶ କରନ୍ତି
ବସ୍ତ୍ର ଅଳଙ୍କାରେ ସଜ କରନ୍ତି.....
ରାତି ନପାହୁଣୁ ବଡ ଦେଉଳ ଖୋଲେ
ମଣିମା ମଣିମା ଡାକ ଦିଗ ଉଛୁଳେ ।
ମଙ୍ଗଳ ଆଳତୀ ଭକ୍ତ ଦେଖିବା ପାଇଁ
ଭାବ ଭକତିରେ ସବୁ ଥାଆନ୍ତି ଚାହିଁ ।
ଆଳତୀ ସରିଲେ ରାତି ପୁରୁଣା ବେଶ
ଉଲାଗି କରନ୍ତି ପୁଷ୍ପାଳକ ସେବକ ।
ତଡପ ଉତ୍ତରୀ ବେଶ ପ୍ରଭୁ ହୁଅନ୍ତି
ଧଳାରଙ୍ଗ ସୂତା ଲୁଗା ପ୍ରଭୁ ପିନ୍ଧନ୍ତି ।
ତଡପ ଉତ୍ତରୀ ବେଶ ହୋଇଲେ ଶେଷ
ଚତୁର୍ଦ୍ଧା ମୂରତିଙ୍କ ହୁଏ ଅବକାଶ ।
ମୁଖ ପ୍ରକ୍ଷାଳନ ନିତ୍ୟ ଦନ୍ତ ମଞ୍ଜନ
ଦରପଣ ସମ୍ମୁଖରେ ବିମ୍ବ ସ୍ନାହାନ ।
ଅବକାଶ ନିତିପରେ ହୁଏ ମଇଲମ
ପ୍ରଭୁ କରନ୍ତି ପାଟ ବସ୍ତ୍ର ପରିଧାନ ।
ଚକାବଇଠିରେ ଚକାପାରି ବସନ୍ତି
ଭକତଙ୍କ ଡାକ କାନଡେରି ଶୁଣନ୍ତି ।
ଫୁଲ ତୁଳସୀ ଦୟଣା ଗଳାରେ ଝୁଲେ
ଆଖି ଲାଖିଯାଏ ସେହି ରୂପ ଦେଖିଲେ ।
ଏମିତି ସକାଳେ ନିତି ବେଶ ହୁଅନ୍ତି
ଦୟାମୟ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ....
ନିତ୍ୟବେଶ ମଧ୍ୟେ ସାର ବଡସି°ହାର
ବାରଲାଗି ପାଟ ସାଥେ ଫୁଲ ସମ୍ଭାର।
ରଜନୀଗନ୍ଧା ରଙ୍ଗଣୀ ସେବତୀ ଯୁଇ
ଗୋଲାପ ଅଶୋକ ଚମ୍ପା କେତକୀ ଜାଇ।
କଦମ୍ବ ବଉଳ କୁନ୍ଦ ଗେଣ୍ଡୁ ନିଆଳି
ସୁଗନ୍ଧରାଜ ମାଳତୀ ଗଙ୍ଗଶିଉଳି ।
ତୁଳସୀ ଦୟଣା ମାଳ ମରୁଆ ଫୁଲ
ଫୁଲେ ଫୁଲେ ଫୁଲରଙ୍କା କି ଝଲମଲ ।
ସନ୍ଧ୍ୟା ଧୂପ ପ୍ରଭୁଙ୍କର ହୋଇଲେ ଶେଷ
ଆରମ୍ଭ ହୁଅଇ ବଡସି°ହାର ବେଶ ।
ମଠ ମନ୍ଦିର ରୁ ସବୁ ଫୁଲ ଆସନ୍ତି
ପୁଷ୍ପାଳକମାନେ ମିଶି ବେଶ କରନ୍ତି ।
ଫୁଲର କରପଲ୍ଲବ କର୍ଣ୍ଣ କୁଣ୍ଡଳ
ଫୁଲର ଚନ୍ଦ୍ରିକା ପୁଣି ଅଧର ମାଳ ।
ବକ୍ଷରେ ପଦକ ନାକୁଆସି ନାକରେ
ନାକରେ ନାକ ଗୁଣା ଅଳକା ମଥାରେ ।
ବଡସି°ହାର ବେଶରେ ଚତୁର୍ଦ୍ଧା ମୂର୍ତ୍ତି
ରତ୍ନ ପଲଙ୍କରେ ନିତି ପହୁଡି ଥାନ୍ତି ।
ଏମିତି ପ୍ରଭୁଙ୍କର ନିତିଦିନ ବେଶ
ପାର୍ବଣ ବେଶ ଲିଳା ଅଶେଷ ....
ସ୍ନାନ ପୂର୍ଣ୍ଣିମା ପ୍ରଭୁଙ୍କ ଜନମ ଦିନ
ସେଦିନ ପ୍ରଭୁ କରନ୍ତି ପ୍ରତ୍ୟକ୍ଷ ସ୍ନାନ ।
ସ୍ନାହାନ ବେଦୀରେ ପ୍ରଭୁ ବିଜେ କରନ୍ତି
ସୁନାକୂଅ ପାଣିରେ ତ ସ୍ନାନ କରନ୍ତି ।
ସ୍ନାନ ପରେ ପ୍ରଭୁଙ୍କ ଗଣପତି ବେଶ
ସତେକି ହାତୀ ରୂପେ ପ୍ରଭୁ ପରକାଶ ।
ସୁନାବେଶ ପ୍ରଭୁଙ୍କ ବାହୁଡା ରଥରେ
ତାଳୁରୁ ତଳିପା ଶୋଭେ ସୁନାଳଙ୍କାରେ।
ଅଧାଗଢା ଦିଅଁଙ୍କର ପୂର୍ଣ୍ଣ ସ୍ୱରୂପ
ମନ ମୋହି ନିଅଇ ପୂର୍ଣ୍ଣବ୍ରହ୍ମ ରୂପ ।
ପବିତ୍ର ଦଶରା ବିଜୟା ଦଶମୀ
କାର୍ତ୍ତିକ ପୌଷ ପୁଣି ଦୋଳ ପୂର୍ଣ୍ଣମୀ
ପାଞ୍ଚଥର ପ୍ରଭୁ ସୁନା ବେଶ ହୁଅନ୍ତି
ରାଜାଧିରାଜ ରୂପେ ଦର୍ଶନ ଦିଅନ୍ତି ।
ଭାଦ୍ରବର କୃଷ୍ଣ ପକ୍ଷ ଦଶମୀ ଦିନ
ପ୍ରଭୁଙ୍କର ବଣଭୋଜି ବେଶ ସେଦିନ ।
ରୁପା ପିଙ୍ଗଣରେ ଶର ହାତେ ଧରନ୍ତି
ଆନ ହସ୍ତେ ଲଉଡି ବାଡି ଧରିଥାନ୍ତି ।
ଲାଗନ୍ତି ଯେମିତି ସେ ବଳରାମ କୃଷ୍ଣ
ବଣଭୋଜି ପାଇଁ କରନ୍ତି ଗମନ...
ଭାଦ୍ର କୃଷ୍ଣ ଏକାଦଶୀ ରେ ନାରାୟଣ
କାଳନ୍ଦୀରେ କରନ୍ତି କାଳୀୟ ଦଳନ ।
ପରଦିନ ଦ୍ୱାଦଶୀ ବଳଭଦ୍ର ଯତି
ପ୍ରଳମ୍ବାଶୁର ବଧ ବେଶ ସେ ହୁଅନ୍ତି ।
ଭାଦ୍ର କୃଷ୍ଣ ତ୍ରୟୋଦଶୀ ପବିତ୍ର ତିଥି
ଦୁଇଭାଇ ରାମକୃଷ୍ଣ ବେଶ ହୁଅନ୍ତି ।
ଭାଦ୍ରବ ଶୁକ୍ଳପକ୍ଷ ଦ୍ବାଦଶୀ ଯେ ଦିନ
ପ୍ରଭୁ ବାମନଙ୍କର ଜନମ ସେଦିନ ।
ସେହି ପବିତ୍ର ତିଥିରେ କଳା ଠାକୁର
ବାମନ ବେଶ ହୋଇ ଦିଶନ୍ତି ସୁନ୍ଦର ।
ଆଶ୍ବିନ ମାସ ଶେଷରୁ କାର୍ତ୍ତିକ ଶେଷ
ମହାପ୍ରଭୁଙ୍କ ରାଈ ଦାମୋଦର ବେଶ ।
ନିତି ଆଳତୀ ଅବକାଶ ହେଲେ ଶେଷ
ପ୍ରଭୁ ହୋଇଥାନ୍ତି ଏହି ଅପୂର୍ବ ବେଶ ।
କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ
ମହାପ୍ରଭୁଙ୍କ ବେଶ ଲକ୍ଷ୍ମୀ ନାରାୟଣ ।
ଦ୍ବାଦଶୀ ରେ ପ୍ରଭୁଙ୍କ ବାଙ୍କଚୂଡ ବେଶ
ତ୍ରୟୋଦଶୀ ରେ ତ୍ରିବିକ୍ରମ ଜଗଦୀଶ ।
ଚତୁର୍ଦ୍ଦଶୀ ରେ ଲକ୍ଷ୍ମୀ ନୃସିଂହ ବେଶ
ମହକେ ଚଉଦିଗ ଫୁଲ ବାସ ...
ମାର୍ଗଶିରେ ପ୍ରଭୁ ଶ୍ରାଦ୍ଧ ବେଶ ହୁଅନ୍ତି
ପିତୃପୁରୁଷଙ୍କୁ ତାଙ୍କ ଶ୍ରାଦ୍ଧ ଦିଅନ୍ତି ।
ପଞ୍ଚୁକ ପଡଇ ଯେବେ ଛଅ ଦିନଟି
ନାଗାର୍ଜୁନ ବେଶେ ପ୍ରଭୁ ସଜ ହୁଅନ୍ତି ।
ମାର୍ଗଶିର ଠାରୁ ଶୀତ ଆରମ୍ଭ ହୁଏ
ଓଢଣ ଷଷ୍ଠୀ ରୁ ଘୋଡ ଲାଗିଯେ ହୁଏ ।
ସାତଦିନ ସାତରଙ୍ଗ ଶୀତ ବସ୍ତ୍ର ରେ
ଘୋଡ ଲାଗିହୁଏ ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ।
ରବିବାର ନାଲି ରଙ୍ଗ ବସ୍ତ୍ର ଚହଟ
ସୋମବାରରେ ଘୋଡ ଧଳା କଳା ଛିଟ।
ମଙ୍ଗଳବାର ଦିନ ପାଞ୍ଚ ରଙ୍ଗ ମିଶା
ବୁଧବାର ନୀଳ ଗୁରୁ ସବୁଜ ଘଷା ।
ଶୁକ୍ରବାର ଧଳାରଙ୍ଗ ଘୋଡ ଲାଗଇ
ଶନିବାର ଦିନ କଳା ରଙ୍ଗେ ରଙ୍ଗେଇ ।
ଓଢଣ ଷଷ୍ଠୀ ରୁ ଯେ ସରସ୍ୱତୀ ପୂଜା
ଘୋଡଲାଗି ହୋଇ ପ୍ରଭୁ ପାଆନ୍ତି ପୂଜା ।
ଫଗୁ ଦଶମୀ ରୁ ଦୋଳ ପୂର୍ଣ୍ଣିମା ଯାଏ
ପ୍ରଭୁଙ୍କ ନିଇତି ଚାଚେରୀ ବେଶ ହୁଏ ।
ଦୋଳ ବିମାନ ରେ ବସି ଦୋଳ ଗୋବିନ୍ଦ
ଯାତ୍ରା କରିଥାନ୍ତି ହୋଇ ଆନନ୍ଦ....
ସନ୍ଥ ମନୋହର ଦାସ ଭକ୍ତିରେ ତୋଷ
ମାଘମାସେ ପ୍ରଭୁଙ୍କର ଏ ପଦ୍ମ ବେଶ।
ଶୀତଦିନେ ମିଳେନାହିଁ ପଦ୍ମ ଫୁଲଟି
ସୋଲ ପଦ୍ମ ଫୁଲେ ପ୍ରଭୁ ବେଶ ହୁଅନ୍ତି ।
ବଡଛତା ମଠରୁ ସୋଲ ଫୁଲ ଆସେ
ବେଶ ପରେ କ୍ଷୀରି ଭୋଗ ମହମହ ବାସେ।
ଗଜ ଉଦ୍ଧାରଣ ବେଶ ମାଘ ପୂର୍ଣ୍ଣିମା ରେ
ଏ ବେଶ ହୁଅନ୍ତି ମଧ୍ୟାହ୍ନ ଧୂପ ପରେ ।
ସରିଲେ ସନ୍ଧ୍ୟା ଆଳତୀ ସାହାଣ ମେଲା
ଦେଖିବାକୁ ଏହି ବେଶ ଭକତ ମେଳା ।
ଚନ୍ଦନ ଯାତ୍ରା ହୁଏ ବୟାଳିଶ ଦିନ
ପ୍ରତିଦିନ ଫୁଲେବେଶ ଚକାନୟନ ।
ଚନ୍ଦନ ବେଶ ନାମରେ ସେ ବେଶ କ୍ଷାତ
ଶଖି ଶଖା ମେଳେ ପ୍ରଭୁ ଖେଳନ୍ତି ଚାପ ।
ମକର ସଙ୍କ୍ରାନ୍ତି ଯାତ୍ରା ଉତ୍ତରାୟଣ
ମକର ଚୌରାଶି ବେଶେ ମନମୋହନ ।
ମଥାରେ ମକରଚୂଳ ଅପୂର୍ବ ଶୋଭା
ପ୍ରଭୁଙ୍କର ସବୁ ବେଶ କି ମନଲୋଭା ।
ସବୁ ବେଶ ତୁମ ପ୍ରଭୁ ଶରଧା ବୋଳା
ଶ୍ରଦ୍ଧା ରଖିଥିବ ହେ ଚକାଡୋଳା ...
