ନିଷ୍କରୁଣ ଛବି
ନିଷ୍କରୁଣ ଛବି
ସମୟର ଦୋ'ଛକିରେ
ଅହରହ ଜଳୁଛି ଏ ସନ୍ତୁଳା ଜୀବନ
ବନ୍ଧୁର ଏ ଚଲାପଥେ
ସହିବାକୁ ହୁଏ କେତେ
ଅପ୍ରମିତ ଦୁର୍ବିସହ
ଅସହ୍ୟ କଷଣ ।
ଯାହା ଅବ୍ୟକ୍ତ ବେଦନାର
ଏକ ନିଷ୍କରୁଣ ଛବି
ଦୁସ୍ତର ଏ ତାଡନାର ଅନ୍ଧକାରେ
ଉଦିତ ହୁଏନା କେବେ
ଆକାଂକ୍ଷିତ ଭାଗ୍ୟରବି
କ୍ଷୁଧିତ ପ୍ରାଣର ଜ୍ବାଳା
ହୁତ୍-ହୁତ୍ ଜଳେ ଯେବେ
ଯନ୍ତ୍ରଣାର ଜତୁଘରେ କେବେ
ରହିରହି ଶୁଭେ ପୁଣି
ବୁକୁଫଟା ବିକଳ ଚିତ୍କାର
ପେଟ ପାଇଁ ଅନ୍ନ ଚିନ୍ତା
ଭୂମିଶୂନ୍ୟ ବାସଶୂନ୍ୟ
ନିସ୍ବ ଏଠି ମାଟିର ମଣିଷ
ଓଃ.....କି ଅସହାୟ ସତେ...?
ଅପହଞ୍ଚ ଲାଗେ ଅବଶ୍ୟ
ସ୍ବାଧୀନତାର ପରିପକ୍ବ ଫଳ
ଉଦ୍ଭ୍ରାନ୍ତ ତଥା ପରିପନ୍ଥୀ
ସାମାଜିକ ଇସ୍ତାହାର
ନିଷ୍ପେଷିତ ଜୀବନର ଛାୟାଚିତ୍ର
ଝାପସା-ଝାପସା ଦିଶେ
ଦିଗନ୍ତ ବିସ୍ତାରି ଦୂର ଦିଗବଳୟରେ
ଅବା ଧୂଆଁଟିଆ ଭସା ବଉଦରେ
ତଥାପି ବଞ୍ଚିବାର ରାହା ଖୋଜେ
ପୁନଶ୍ଚ ମାଟିରେ ମିଶି ମାଟି ହୁଏ
ଏ ମାଟିର ସନ୍ତାନ ।
ଶ୍ରୀ ବିଦ୍ୟାଧର ସେଠୀ
ବ୍ୟକ୍ତିଗତ ସହାୟକ
ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ବାଲେଶ୍ବର
ଓଡିଶା - ୭୫୬୦୦୧
