ନଦୀ ଆଉ ବର୍ଷା
ନଦୀ ଆଉ ବର୍ଷା
ନଦୀ ଓ ବରଷା କଥା ହେଉଥିଲେ
ନିଜର ଗରବ କଥା
କେହି ଜଣେ ହେଲେ ଊଣା ହିଁ ନୁହଁନ୍ତି
ଶୁଣିଲେ ମୁଣ୍ଡଟା ବଥା।୧
ବରଷା କହିଲା ଜାଣିଛୁ ହେ ନଦୀ
ମୋହର ପାଇଁ ସଂସାର
ସବୁଜ ସୁନ୍ଦର ଦିଶେ ଚାରିଆଡେ଼
ମୋ' ବିନା ସବୁ ଅସାର।୨
ନଦୀ ଛାଡି଼ଲାନି ଶୁଣି ତାର କଥା
କହିଲା ମୋହରି ଯୋଗୁଁ
ସକଳ ପରାଣୀ ଏ ନଦୀ ଦେହରୁ
ପିଇକି ସନ୍ତୋଷ ଭୋଗୁଁ।୩
ତୋହର ଯୋଗୁଁ ମୁଁ ଧରିଥାଏ ଜଳ
ମାନୁଛି ବରଷା ରାଣୀ
କିନ୍ତୁ ତୁ ମରତେ ପଡି଼କି ଗଡୁଛୁ
ତଳକୁ ତଳକୁ ଜାଣି?୪
ବରଷା ଓ ନଦୀ ପରସ୍ପର ଦୁହେଁ
କଳି ତକରାଳ କଲେ
ଦୂରରୁ ଶୁଣିକି ଆଈ କହିଗଲେ
ଦୁହେଁ ସଂସାରେ ନ ଥିଲେ।୫
ସକଳ ପରାଣୀ ଆଉ ଉଦଭିଦ
ବଞ୍ଚିବା ହୁଅନ୍ତା କାହିଁ
ଉଭୟ ନିଶ୍ଚିତ ସହଯୋଗ ପାଇଁ
ଧରଣୀ ସୁନ୍ଦର ହୋଇ।୬
କଳି ତକରାଳ ବନ୍ଦ କରିବାକୁ
ଅନୁରୋଧ ମୋ' ରହିଲା
ଈଶ୍ବର ଆଦେଶ ପାଳନ କରନ୍ତୁ
ତୁମେ ତ ମଙ୍ଗଳ ବାଲା।୭
ଆଈ କହୁଥିଲେ ବୁଝାଇ ଦୁହିଁଙ୍କୁ
ଆକାଶରେ ବିଷ୍ଣୁଦେବ
ମୁରୁକି ହସିକି ଫୁଲ ବରଷିଲେ
ଶୁଣି ଆଈଙ୍କର ଭାବ।୮
ନଦୀ ଓ ବରଷା ଦେଖିଲେ ଆକାଶେ
ବିଷ୍ଣୁଦେବ ହୋଇ ଠିଆ
ଲଜ୍ଜା ଓ ଘୃଣାରେ ମୁହଁ ପୋତିଦେଲେ
ନୀଚ୍ଚତା ତାଙ୍କର ହିଆ।୯
ଆଈ ଯୋଡି଼ଦେଲେ ଦୁଇ ନିଜ ହାତ
ଆଶିଷ ଆନନ୍ଦ ପାଇ
ଯେମିତି ଜୀବନ ଧନ୍ଯ ହୋଇଗଲା
ଦୁଃଖକୁ ପାଶୋରି ଦେଇ।୧୦