ନାସ୍ତିକ
ନାସ୍ତିକ
ଆମରି ଗାଆଁର କରୁଣା ଶବର
ସଭିଙ୍କର ଆପଣାର
ଧରମର ନୁହେଁ କରମର ସଦା
କରନ୍ତି ସେ ଜୟକାର ।
ଦେଉଳକୁ ସିଏ ଯାଆନ୍ତିନି କେବେ
ଜାଳନ୍ତିନି ସଞ୍ଜ ଦୀପ
ଦିଅଁ ଦେବତାଙ୍କ ମହିମା ଲାଗଇ
ତାଙ୍କୁ ମନଗଢା ଗପ ।
ଅଳପ ଅଳପ କଥା କହନ୍ତି ସେ
ହସହସ ତାଙ୍କ ମୁହଁ
ଦୀନ ଦୁଃଖୀଙ୍କର ଦୁଃଖରେ ତାଙ୍କର
ବଳେଇ ପଡଇ କୋହ ।
ନରଙ୍କୁ ଭାବନ୍ତି ନାରାୟଣ ସିଏ
ସେବାରେ ଜୀବନ ବ୍ରତୀ
କଅଁଳ କଥାରେ ବଇରୀ ମନକୁ
ସହଜେ ପାରନ୍ତି ଜିତି ।
ସଭିଙ୍କୁ କୁହନ୍ତି ସେବା ଠାରୁ ନାହିଁ
ଦୁନିଆରେ ବଡ ଧର୍ମ
ଠାକୁର ପୂଜିଲେ କିଛି ଲାଭ ନାହିଁ
ନକରିଲେ ଭଲ କାମ ।
ଯାଗଯଜ୍ଞ ଠାରୁ କର୍ମ ଯଜ୍ଞେ ତାଙ୍କୁ
ମିଳଇ ଅଧିକ ଶାନ୍ତି
ନାସ୍ତିକ ପରିକା ଲାଗନ୍ତି ସିନା ସେ
କର୍ମ ତାଙ୍କ ଭକ୍ତି ଶକ୍ତି ।
