ମୋ ପୂଣ୍ୟ ଦେବାଳୟ
ମୋ ପୂଣ୍ୟ ଦେବାଳୟ
ମୋ ପୂଣ୍ୟ ଦେବାଳୟ ତୁହି
ତୁ ସ୍ନେହର ଅଶୁଖା ନଈ
ତୋ ତୁଳନା ନାହିଁ ଲୋ କେହି
ତୋ ଶରଧାର ସୀମା ନାହିଁ
ଆକାଶ ଛାତିରୁ ବିଶାଳ ହୃଦୟ
ମାଆ ମୋ ମମତାମୟୀ
ମୋ ପୂଣ୍ୟ ଦେବାଳୟ ତୁହି -୧
ତୁ ଗରଭରେ ଧରି ମୋତେ
ତୁ ସହିଛୁ ଯାତନା କେତେ
ତୁ ଦଶମାସ ଦଶଦିନ
ତୁ ହୋଇ କେତେ ହୀନିମାନ
ଏଇ ଦୁନିଆକୁ ଆଣିଲୁ ମୋତେଲୋ
ରକତ ତୁ ଢାଳି ଦେଇ
ମୋ ପୂଣ୍ୟ ଦେବାଳୟ ତୁହି -୨
ମୁଁ ମାଟି ପିଣ୍ଡୁଳାଟି ଥିଲି
ତୋ ହାତରେ ମୁଁ ଗଢା ହେଲି
ମୁଁ ଦେଖିଲି ଦୁନିଆ ନୂଆ
ତୁ ବତାଇଲୁ ମୋତେ ରାହା
ଆଖିରେ ଭରିଲୁ ଆଖିଏ ସପନ
ଆଶିଷ ତୁ ଢାଳି ଦେଇ
ମୋ ପୂଣ୍ୟ ଦେବାଳୟ ତୁହି - ୩
ମା ମୁଁ ତ ତୋର ଗେହ୍ଲା ଭାରି
ତୁ ଗେଲ କରୁ କୋଳେ ଧରି
ମା ମୁଁ କାଳେ ତୋ କୋଟିନିଧି
ମୁଁ ତୋ କୋଳରେ ନାଚି କୁଦି
ଭୂଇଁରୁ ଆସି ମୁଁ ମେଘ ରାଇଜକୁ
ଆଜି ତ ପାରିଛି ଛୁଇଁ
ମୋ ପୂଣ୍ୟ ଦେବାଳୟ ତୁହି -୪
ତୋ କୋଳରେ ମୁଁ ଝୁଲି ଝୁଲି
ମୁଁ ଶିଖିଲି ଲୋ ବାଟ ଚାଲି
ତୋ ସ୍ନେହର ପରଶ ପାଇ
ମୁଁ ଶିଖିଲିଲୋ କଥା କହି
ଅଝଟ ହେଲେ ମୁଁ ବୁଝେଇ ଦେଉଲୋ
ପରୀ ରାଣୀ ଗପ କହି
ମୋ ପୂଣ୍ୟ ଦେବାଳୟ ତୁହି - ୫
ମୋ ମୁହଁକୁ ତୁ ଚାହୁଁ ଚାହୁଁ
ମୋ ମନ କଥା ବୁଝି ଯାଉ
ମୋ ଆଖିରୁ ଝରିଲେ ଲୁହ
ତୋ ବଳେଇ ପଡେ ଲୋ କୋହ
ମୋ ଶୁଖିଲା ମୁହଁ ମନ ଦରଜକୁ
ପାରୁ ନାହୁଁ ଜମା ସହି
ମୋ ପୂଣ୍ୟ ଦେବାଳୟ ତୁହି -୬
ତୁ ଧରି ମୋ କଅଁଳ ହାତ
ତୁ ଲେଖି ଶିଖାଇଲୁ ପାଠ
ମା ତୁ' ମୋ ପ୍ରଥମ ଗୁରୁ
ମୁଁ ଶିଖିଲି ସବୁ ତୋ ଠାରୁ
ପଡ଼ିଲି ଉଠିଲି ହାତ ଧରି ତୋର
ପାରିଲି ମୁଁ ଛିଡ଼ା ହୋଇ
ମୋ ପୂଣ୍ୟ ଦେବାଳୟ ତୁହି -୭
ମୁଁ ହେବାକୁ ଜଗତ ଜିତା
ତୁ ସବୁବେଳେ କରୁ ଚିନ୍ତା
ମା ସଫଳତା ମୋର ଯହିଁ
ସବୁ ମୂଳରେ ତୁ ଅଛୁ ରହି
ମୋ ଶୁଭ ମନାସି ଦେଉଳରେ ନିତି
ଘିଅ ଦୀପ ଜାଳୁ ତୁହି
ମୋ ପୂଣ୍ୟ ଦେବାଳୟ ତୁହି - ୮
ମୁଁ ରୋଗରେ ପଡଇ ଯଦି
ତୋ ବେଳ ସରେ କାନ୍ଦିକାନ୍ଦି
ମୋ ପାଖେ ପାଖେ ବସି ଥାଉ
ମୋ ମଥାକୁ ଆଉଁସୁ ଥାଉ
ଦିଅଁ ଦେବତାଙ୍କୁ ମାନସିକ କରୁ
ଦେହ ଭଲ ହେବା ପାଇଁ
ମୋ ପୂଣ୍ୟ ଦେବାଳୟ ତୁହି -୯
ତୁ ପାଖେ ପାଖେ ଥିଲେ ମୋର
ମା ନଥାଏ କାହାକୁ ଡର
ହଁ ଆସୁ ଦାଉ ଧକ୍କା ଯେତେ
ତୋ ଆଶିଷ ସାହସ ମୋତେ
ତୋ ପଣତେ ମୁହଁ ପୋଛି ଦେଲେ ଯାଏ
ଦୁଃଖ ସବୁ ଦୂର ହୋଇ
ମୋ ପୂଣ୍ୟ ଦେବାଳୟ ତୁହି - ୧୦
ମୋ ଅଳି ଅରଦଳି ସହି
ମୋତେ ମଣିଷ କରିଛୁ ତୁହି
ମୁଁ ନିଜ ଗୋଡେ ଆଜି ଠିଆ
ସବୁ ତୋ ସ୍ନେହ ଶରଧା ମାୟା
ମୋ ସୁଖରେ ତୋର ପେଟ ପୂରିଯାଏ
ଖୁସିର ଉଛୁଳା ନଈ
ମୋ ପୂଣ୍ୟ ଦେବାଳୟ ତୁହି -୧୧
ତୁ କହୁ ଯାହା କାନେକାନେ
ମୁଁ ଏ ଯାଏ ରଖିଛି ମନେ
ହଁ ଦୟା କ୍ଷମା ସତ୍ୟ ଶାନ୍ତି
ହଁ ଈଶ୍ୱରଙ୍କ ଠାରେ ଭକ୍ତି
ଭଲ କଥା କହି ଭଲ କାମ କରି
ସବୁ ମନ ନିଏ ମୋହି
ମୋ ପୂଣ୍ୟ ଦେବାଳୟ ତୁହି - ୧୨
ମା ତୋ ସ୍ନେହ ମମତା ଡୋର
ମା ନାହଁ ଆଦି ଅନ୍ତ ତାର
ତୁ ମାୟାରେ ମୋ ପାଇଁ ଅନ୍ଧ
କିଏ ଆଉ ତୋର ତୁଲ ହେବ
ତୁ ମୋ ନିଜର ସବୁଠୁ ନିଜର
ଆଦ୍ୟପୂଜ୍ୟା ମୋର ତୁହି
ମୋ ପୂଣ୍ୟ ଦେବାଳୟ ତୁହି - ୧୩
ତୁ ମାନବୀ ନୁହଁ ମୋ ପାଇଁ
ମା ମହାଦେବୀ ପରା ତୁହି
ତୁ ମୋତେ ତ ଜନମ ଦେଇ
ମୋତେ ଧନ୍ୟ କରିଛୁ ତୁହି
ତୋର ପାଦ ଧୂଳି ଚନ୍ଦନ ମୁଁ ବୋଳି
ତୋ ବନ୍ଦନା ଯାଏ ଗାଇ
ମୋ ପୂଣ୍ୟ ଦେବାଳୟ ତୁହି - ୧୪