STORYMIRROR

Dibya Ranjan Sahoo

Children Stories Children

3  

Dibya Ranjan Sahoo

Children Stories Children

ମନର ଭାବନା

ମନର ଭାବନା

1 min
176

ମନ ତ ପକ୍ଷୀରାଜ ଘୋଡା 

ସ୍ୱପ୍ନ କାନନେ ଦିଏ ଉଡ଼ା 

ଲଗା ନାହିଁ କି ପଘା ନାହିଁ 

ସତ୍ୟର ଦଉଡ଼ା ଛିଡ଼ାଇ ll


ଆହା ସେ କଳ୍ପନା ରାଇଜ 

ପଡିଛି କେତେ ଫୁଲ ଶେଯ 

ସୁଗନ୍ଧ ଅତର ମହକ 

ଆଘ୍ରାଣେ ମଧୁର ପୁଲକ ll


ବେଢ଼ି ଅଛନ୍ତି ଅପସରା 

ରୂପ ତାଙ୍କର ଅପାସୋରା 

ହସରୁ ଝରେ ଲକ୍ଷହୀରା 

ଅବା ଝଲସେ ଚନ୍ଦ୍ର ତାରା ll


ଆହା ସେ ହଂସ ବକ୍ର ଗତି 

ମୁନି ଋଷିଙ୍କ ଭ୍ରମ ମତି 

ସବୁ ତ ନୃତ୍ୟରେ ନିପୁଣା 

ସୁର ଝଙ୍କାର ତୋଳେ ବୀଣା ll


ସବୁ ତ ଅପୂର୍ବ ସୁନ୍ଦରୀ 

ଲାସ୍ୟ ଲାବଣ୍ୟ ମନୋହାରୀ 

କିଏ ସେ ସେହି ବିଶ୍ୱକର୍ମା 

ଗଢିଛି ନିଖୁଣ ପ୍ରତିମା ll


ନୃତ୍ୟର ଅପୂର୍ବ ଭଙ୍ଗିମା 

ଛନ୍ଦ ତାଳର ମଧୁରିମା 

ଗୁଞ୍ଜରି ଯାଏ ସଭା ସ୍ଥଳ 

ଫୁଟୁଛି ଯେହ୍ନେ ଶତଦଳ ll


ରାଗର ନାମ 'ମାଲକୌନ୍ୟ' 

ଯୁଗଳ ବନ୍ଦୀ 'ଚନ୍ଦ୍ରକୌନ୍ୟ'

ବିଚିତ୍ର ବୀଣାର କୁହୁକ 

ସୁକ୍ଷ୍ମ ଚେତନା ଉଦ୍ଦୀପକ ll


ମନ ହେଉଛି ମତୁଆଲା 

ପିଇବ ସୌନ୍ଦର୍ଯ୍ୟ ପିଆଲା 

ସ୍ପର୍ଶ କରିବ ଅପସରା 

ମେଲିବ ପୀରତି ପସରା ll


ମଜ୍ଜିବ ଝୁମିବ ନାଚିବ 

ରାତି ତ କେବେ ନପାହିବ 

ସତ ରାଜ୍ୟରେ ଆସେ ରାତି 

ସପନ ଭାଙ୍ଗି, ଦିଏ ଭୀତି ll


କଳ୍ପନା ରାଇଜ ସୁନ୍ଦର 

ଅଖଣ୍ଡ ଆନନ୍ଦ ଭଣ୍ଡାର 

ଅଦ୍ଭୁତ ନନ୍ଦନ କାନନ 

ଲୋଡ଼ା ନାହିଁ ତ କିଛି ଧନ ll


ମନ ଏଠୁ ନ ଛାଡ଼ିଯିବ 

ପକ୍ଷୀରାଜକୁ ବାନ୍ଧିଦେବ 

ରହିବ ଏଠି ଘର କରି 

ଘରଣୀ ହୋଇବ ସୁନ୍ଦରୀ ll


ମେଲିବ ପ୍ରେମର ପସରା 

ଜାତି କି ଜାତି କାନ୍ତି ପରା 

ପ୍ରେମରେ କେବେ କ୍ଲାନ୍ତି ନାହିଁ 

ମନରେ ଲବେ ଭ୍ରାନ୍ତି ନାହିଁ ll


ଡାକୁଛି କିଏ 'ପ୍ରିୟ' ବୋଲି 

ବାହୁକୁ ଦେଇଅଛି ମେଲି 

ଯିବି ମୁଁ ତକ୍ଷଣ ନିଶ୍ଚୟ 

କହିଲି ଗଳା ଫାଡ଼ି: 'ହଁ' 'ହଁ' ll 


ଉଠି ତ ବସିଲା ଘରଣୀ 

ଚିତ୍କାର କର କାହିଁ ପୁଣି 

ଦେଖିଲ ଅଶୁଭ ସପନ 

କର ଏଥର ଜଳପାନ ll


ସତ ଏ ଘରଣୀ ବଦନ 

ଅରୁଚିକର ଜଳପାନ 

ମଧୁର ସପନ ଭାଙ୍ଗିଲା 

ମନ ପବନ ଶାନ୍ତ ହେଲା ll



Rate this content
Log in