ମମତାମୟୀ ମାଆ ଡମଡମଣୀ
ମମତାମୟୀ ମାଆ ଡମଡମଣୀ
ମମତା ମୋତି ମୁକୁତା ଫୁଲର ବେଣୀ
କାଇଁଚ ପତର ସରୁ ସୁନା ଛାଉଣୀ ।
ସିରିସିରି ପବନର ରାଗ ରାଗିଣୀ
ଝରଝର ଝରଣାଲୋ ବହେ ଉଜାଣି ।
ଚଉଦିଗେ ସବୁଜିମା ଗିରିକନ୍ଦର
ବନରାଜି ପରବତ ଭାରି ସୁନ୍ଦର ।
ଝଙ୍କାଳିଆ ଗଛ ଝୁଙ୍କି ଅଛନ୍ତି ଘେରି
ଦିନ ସାରା ଖରା ଲୁଚେ ଛାଇକୁ ଡରି ।
ଶୋଭା ସମ୍ପଦରେ ଭରା ଅପୂର୍ବ ସ୍ଥାନ
ସେ ପବିତ୍ର ସ୍ଥାନେ ମୋର ମାଆ ଆସ୍ଥାନ ।
ଡାଳିଯୋଡା ରାଜରାଣୀ ଡମଡମଣୀ
ପ୍ରଣତି ଘେନିବ ମାଆ ଦୁଃଖ ହାରିଣୀ ।
ରାଇଜର ପୂରାତନ ଶିଳ୍ପ ନଗରୀ
ଚଉଦ୍ୱାର ଅଟେ ଜାଣ ନାମ ତାହାରି ।
ସେ ସହର ଠାରୁ ମାତ୍ର ଅଳ୍ପ ଦୂରରେ
ଡାଳିଯୋଡା ଜଙ୍ଗଲତ ଅଛି ସେଠାରେ ।
ସେ ଜଙ୍ଗଲେ ବିରାଜିତା ମାଆ ଡମଣୀ
ଶରଧାରେ ଭକ୍ତ ଡାକେ ଡମ ଡମଣୀ ।
କରୁଣାମୟୀ ଗୋ ମମତାମୟୀ
ସନ୍ତାନ ବତ୍ସଳା ଭାରି ସିନେହୀ....
ପ୍ରାଚୀର ପରି ପର୍ବତ ଘେରି ରହିଛି
ଗମ୍ଭୀରାରେ ମା ମୋର ଗମ୍ଭୀରେ ବସିଛି ।
ଯେଉଠି ଯିଏ ଯେମିତି ତାଙ୍କୁ ଡକାଇ
କାନଡେରି ମାଆ ତାର ଡାକ ଶୁଣଇ ।
ସେଥିପାଇଁ ତା ପୀଠରେ ନିତି ଗହଳ
ମାଆ ମାଆ ବୋଲି ତହିଁ ପଡେ ଚହଳ ।
ଜଣାନାହିଁ କିଏ କେବେ ଘୋର ବନରେ
ପ୍ରତିଷ୍ଠା କରି ପୂଜିଲା ଭକତିଭରେ ।
କିମ୍ବଦନ୍ତୀ କହେ ତାଙ୍କୁ ଦ୍ୱାପର ଯୁଗେ
ବନବାସ କାଳେ ପୂଜୁଥିଲେ ପାଣ୍ଡବେ ।
ନିକଟେ ଚଉଦ୍ୱାର ବିରାଟ କଟକ
ରାଜଧାନୀ ଥିଲା ସେ ବିରାଟ ରାଜାଙ୍କ।
ପାଣ୍ଡବେ କାଟିଥିଲେ ଗୁପ୍ତ ବନବାସ
ବିରାଟ ରାଇଜରେ ହୋଇ ଛଦ୍ମବେଶ ।
ପାଣ୍ଡବ ମାନେତ ଥିଲେ ମାତୃ ଭକତ
ଡମଣୀଙ୍କୁ ପୂଜୁଥିଲେ ବରଷଯାକ ।
ସେହି ଦିନୁ ଘୋର ବନେ ମାଆଙ୍କ ପୂଜା
ଚଉଦିଗେ ଉଡୁଅଛି ତାଙ୍କରି ଧ୍ୱଜା ।
ଭକତେ ଆସନ୍ତି ନିଇତି ଧାଇଁ
ମାଆଙ୍କ କରୁଣା ପାଇବା ପାଇଁ ....
ଆଉ ଏକ ଲୋକ କଥା ଅଛି କାହାଣୀ
ଡମଣୀଙ୍କ ମହିମା ସେ ଯାଏ ବଖାଣି ।
ସେ ଜଙ୍ଗଲେ ଥିଲେ ଜଣେ ଶବର ରାଜା
ସୁଖରେ ସେ ପାଳୁଥିଲେ ତାଙ୍କ ପରଜା ।
ଡମଣୀ ତ ଥିଲେ ତାଙ୍କ କୂଳ ଦେବୀଟି
ମାଆଙ୍କ ଯୋଗୁ ନଥିଲା କାହାକୁ ଭୀତି ।
ଅଭାବ କଷଣ କିଛି ରାଜ୍ୟେ ନଥିଲା
ମାଆଙ୍କ କରୁଣା ଯହିଁ ଉଛୁଳୁଥିଲା ।
ସମୟ ଶୁଅରେ ସବୁ ହଜି ଯାଇଛି
ସେଦିନର ଭଙ୍ଗାରୁଜା ଚିହ୍ନ ରହିଛି ।
ଗଦାଗଦା ଭଙ୍ଗା ଇଟା ମାଟି ବାସନ
ଦେଖି ମନ ଖୋଜେ ସେହି ହଜିଲା ଦିନ ।
ସେହିଦିନୁ ଘୋର ବନେ ମାଆ ଅଛନ୍ତି
ନିଶା ଗରଜିଲେ ମାଆ ବନେ ବୁଲନ୍ତି ।
ନାନା ରୂପେ ଭକତଙ୍କୁ ଦେଖା ଦିଅନ୍ତି
ବିପଦେ ଆପଦେ ମାଆ ସାହା ହୁଅନ୍ତି।
ନାଲି ଶଙ୍ଖା ନାଲି ପାଟ ନାଲି ମନ୍ଦାର
ମାଆ ମୋ ଦିଶନ୍ତି ସତେ ଭାରି ସୁନ୍ଦର ।
ମାଆ ଙ୍କ ସେବକ ସେତ ଦେହୁରୀ
ବିଶ୍ୱ ଶାନ୍ତି ପାଇଁ କରେ ଗୁହାରୀ .....
ଡାଳିଯୋଡା ଜଙ୍ଗଲେ ଭରା ହି°ସ୍ର ଜନ୍ତୁ
ମାଆଙ୍କ ପୀଠେ କେହି ପଶନ୍ତିନି କିନ୍ତୁ ।
ସେହିବାଟଦେଇ ନିତି ହାତୀ ଯାଆନ୍ତି
ମୁଣ୍ଡ ନୁଆଁଇ ହାତୀ ପ୍ରଣତି ଜଣାନ୍ତି ।
ଡମଣୀ ଙ୍କ ପୀଠେ ଯେ ଭକ୍ତ ରୁହନ୍ତି
ହି°ସ୍ରଜନ୍ତୁ ତାଙ୍କର କରନ୍ତିନି କ୍ଷତି ।
ନିରିଜନ ରାତିର ବହଳ ଅନ୍ଧାର
ମାଆ ଙ୍କ ପୀଠେ ନଥାଏ କାହାକୁ ଡର ।
ଜଙ୍ଗଲ ଭିତରେ ବାଟ ଭୁଲିଲେ କେହି
ମାଆ ଙ୍କୁ ଡାକିଲେ ବାଟ ଯାଏ ସେ ପାଇ ।
ମାଆଙ୍କୁ ଯିଏ ଯାହା ମାନସିକ କରେ
ଫଳପ୍ରାପ୍ତି ହୁଆଇ ତାରଯେ ଅଚିରେ ।
ପୂର୍ଣ୍ଣ ହେଲାବୋଲି ତାଙ୍କ ମନ କାମନା
ଭକ୍ତ ଜଣେ ବନ ଦୁର୍ଗା କଲେ ସ୍ଥାପନା ।
ଗମ୍ଭାରାରେ ଡମଣୀ ଦୁର୍ଗା ତ ମନ୍ଦିରେ
ସିନ୍ଦୂର ଶେଭିତା ମା ଭକ୍ତଙ୍କ ହୃଦରେ ।
ମାଆଙ୍କର ଛଡାଫୁଲ ମାଆଙ୍କ ସିନ୍ଦୂର
ପାଖେଥିଲେ ଦେହମନ ଲାଗଇ ସୁନ୍ଦର ।
ସୁଖ ଶାନ୍ତି ଭରିଯାଏ ପ୍ରାଣରେ
ମାଆ ଚାହିଁଲେ କୃପା ନୟନରେ ...
ବାରମାସେ ତେର ପର୍ବ ଉଛୁଳେ ପୀଠ
ଭକ୍ତମାନେ ରଖିଥାନ୍ତି ମାଆଙ୍କ ବ୍ରତ ।
ସବୁ ମାସ ପୂର୍ଣ୍ଣିମା ସବୁ ସଙ୍କରାନ୍ତି
ଶ୍ରଦ୍ଧାରେ ଭକତେ ହୋମ ଯଜ୍ଞ କରନ୍ତି ।
ମକର ସଙ୍କ୍ରାନ୍ତିରେ ହୁଏ ବଡ ଯାତ
ମାଆ ନାମେ ଚଉଦିଗ ହୁଏ ମୁଖରିତ ।
ଯାଗ ଯଜ୍ଞେ ଦିନସାରା ପୀଠ ଉଛୁଳଇ
ଲକ୍ଷଲକ୍ଷ ଭକ୍ତଙ୍କର ଗହଳି ଲାଗଇ ।
ଭଜନ କିର୍ତ୍ତନେ କମ୍ପେ ଗିରି କନ୍ଦର
ଫୁଲେ ଫୁଲେ ମାଆ ବେଶ ଭାରି ସୁନ୍ଦର ।
ସବୁରି ଓଠେ ଜୟ ଜୟ ମା ଡମଣୀ
ସୁଖଶାନ୍ତି ପାଇଁ କରିଥାନ୍ତି ମାଗୁଣି ।
ଜଗତ ଜନନୀ ତୁମ ପାଦେ ପ୍ରଣତି
ଦାଉଧକ୍କା ସହିବାକୁ ଦିଅ ଶକତି ।
ଭବ ଜଳଧି ରେ ତୁମେ ଦିଗ ବାରିଣୀ
ଗତି ମୁକ୍ତି ତୁମେ ମୋର ମାଆ ଡମଣୀ ।
ଶରଣ ଦିଅ ବାରେ ବିଶ୍ୱ ଜନନୀ
ଏତିକି ତୁମରି ପାଦେ କରେ ଦଇନି....
