ମିଛ ଦୁନିଆ
ମିଛ ଦୁନିଆ
ମିଛ ଦୁନିଆରେ ସତ ଜୀବନରେ
ଚାଲେ ମିଛ ଅଭିନୟ
ସତ୍ୟ ଧର୍ମ ଏଠି ଲୋପ ପାଇଯାଏ
ଅଧର୍ମ ହୁଏ ବିଜୟ ।
ଗୋଟେ ମଣିଷର ଦୁଇଟି ଚେହେରା
ନା କେବେ ସିଏ ପଡି ଥାଏ ଧରା
ଜଳାଏ ଅଶାନ୍ତି ନିଆଁ ।
ଏଇତ ମିଛ ଦୁନିଆ ।
ଉପରେ ସେ ମିଛ ଭଲ ପାଇବାର
ସତ ଅଭିନୟ କରେ
ଭିତରେ ସର୍ବସ୍ଵ ଲୁଟି ସେ ନେଇଣ
ଭସାଏ ଲୁହ ସାଗରେ ।
ଛଳନା କପଟ ହୃଦୟରେ ଭରି
ଚକ୍ରାନ୍ତ ଜାଲ ବିଛାଏ
ମିଛର ସମ୍ପର୍କ ସତ ପରି ଗଢି
କ୍ଷଣିକେ ଫସେଇ ଦିଏ ।
ମିଛ କଥା ସବୁ କହେ ସତ ପରି
ସତ କଥା କେଣେ ଯାଏ ଅପସରି
ଲୋକେ ହୁଅନ୍ତି ଭୋକୁଆ ।
ଏଇତ ମିଛ ଦୁନିଆ ।
କାହାରି ପାଖରେ ସତ୍ୟତା ତ ନାହିଁ
ସମସ୍ତେ ମିଛର ଗୁରୁ
କହି କି ପାରିବେ ଜୀବନରେ କିଏ
ମିଛ କହିନି ଜମାରୁ ।
ନିଜ ସ୍ୱାର୍ଥ ସବୁ ହାସଲର ପାଇଁ
ଭଲ ମୁଖା ପିନ୍ଧି ଥାନ୍ତି
ଅନ୍ୟର ପିଠିରେ ପାଦ ଥାପି ସିଏ
ଉପରକୁ ଉଠି ଯାନ୍ତି ।
କାହାକୁ ଏଇଠି କରିବ ବିଶ୍ୱାସ
ସବୁ ହୃଦୟରେ ଭରି ଅଛି ବିଷ
ଜୀବନେ ଲଗାନ୍ତି ନିଆଁ ।
ଏଇତ ମିଛ ଦୁନିଆ ।
କିଏ ବା କାହାର ଏଠି ଆପଣଙ୍କର
ସ୍ୱାର୍ଥରେ ଯେ ଅନ୍ଧ ସବୁ
ଯଦି ଥରେ ତାଙ୍କ କାମେ ନ ଆସିଲ
ଚାହାଁନ୍ତିନି ସେ ମୁହଁକୁ ।
ଭିତରେ ଭିତରେ ଈର୍ଷା ସେ କରିଣ
କଣ୍ଟା ବିଛେଇ ଚାଲନ୍ତି
ମନ ହୃଦୟରେ ଘୃଣା ଭାବ ବହି
ଆଗ ରାସ୍ତାରୁ ହଟାନି ।
ଏମିତି ନୀରବ ଭାବେ ସେ ରହନ୍ତି
ସତେ କି ଯେମିତି କିଛି ନ ଜଣନ୍ତି
ଭିତରେ ଲଗାନ୍ତି ନିଆଁ ।
ଏଇତ ମିଛ ଦୁନିଆ ।
ସତ ଏଠି ଆଜି ବଳି ପଡି ଅଛି
ମିଛ ରାଜୁତି କରୁଛି
ସେ ମିଛ ଭିତରେ ମିଛର ଦୁନିଆ
ହାତ ଠାରି ହସୁ ଅଛି ।
ଛକି ଶୂନ ଖେଳେ ମିଛ ଦୁନିଆରେ
ସତ କପାଳର ଲେଖା
ଯେତେ ଭଲ ମିଛ ଅଭିନୟ କର
ଲିଭେ କି ସେ ଭାଗ୍ୟ ରେଖା ?
ସବୁ ମିଛ ହେଲେ ମୃତ୍ୟୁ ଅଟେ ସତ
ତାହାରି ପାଖରେ ସବୁ ପରାହତ
ଦେଖୁଛି ବସି କାଳିଆ ।
ଏଇତ ମିଛ ଦୁନିଆ ।
ସ୍ୱାର୍ଥର ଆଶାରେ ଭଲ ଏଠି ଚାଲେ
ମିଛ ପ୍ରେମ ଅଭିନୟ
ବାସ୍ତବ ଜୀବନ ଛଳନାର ଘର
କରେ ସୁଖ ଶାନ୍ତି କ୍ଷୟ ।
କିଏବା କାହାର କିଏବା ନିଜର
ବାଇ ମିଛ ସମ୍ପର୍କରେ
ସ୍ୱାର୍ଥ ସରିଗଲେ ବାହାନା କରିଣ
ବାଟ ଭାଙ୍ଗି ଯାନ୍ତି ଦୂରେ ।
ଏ ମଣିଷ ମିଛ ମିଛ ଏ ଦୁନିଆ
ସତ ଏଠି ଅଟେ ଦି ଦିନ କୁଣିଆ
ମଣିଷ ହୁଏ ବାଇଆ ।
ଏଇତ ମିଛ ଦୁନିଆ ।