ମହାନତା
ମହାନତା
ଆମେରିକା ଦେଶେ କ୍ଷୁଦ୍ର ଏକ ଶିଶୁ ଥିଲା ଦିନେ
ବଡ଼ ହୋଇ ସେତ ନାଆଁ ରଖିଗଲା ଏ'ଭୁବନେ।
ତାର ଯଶ ଗୁଣ ସେବା ତ୍ୟାଗ ବିଶ୍ୱେ ପରିଚିତ
କେଡେ ଦୁଃଖମୟ ଥିଲା ସତେ ଯାହାର ଅତୀତ।
ବାଳୁତ ଜୀବନ ବିତିଥିଲା ଯାର ଅତି ଦୁଃଖେ
ଦିନ ଦିନ ଧରି ରହୁଥିଲା ପୁଣି କେତେ ଭୋକେ।
ସେଭଳି ଦୁର୍ଦ୍ଦିନେ ବାହାରିଲା ଦିନେ ମାଛ ଧରି
ମାଛ ବିକି ହାଟେ ଚଳାଇବ ଘର ସେଠୁଁ ଫେରି।
ସକାଳୁ ଯାଇଣ ରହି ନଦୀ ଘାଟେ ସେଇ ଦିନ
ଗୋଟିଏ ମାତର ଧରିଥିଲା ମାଛ ଦେଇ ଧ୍ୟାନ।
ଫେରୁଥିଲା ଗୃହେ ଧରି ସେଇ ମାଛ ତାର ହାତେ
ଏକ ସଇନିକ ଭେଟ ହେଲେ ତାରେ ସେଇ ପଥେ।
ପ୍ରଣାମ କଲା ସେ ତାରେ ଦେଖି ସଇନିକ ବେଶ
ସେ'ପାଇଁ ସେଦିନ ହେଉଥିଲା ମନେ କେତେ ତୋଷ।
ପଚାରିଲେ ଯୋଦ୍ଧା କେଣେ ଘେନି ଯାଅ ମାଛ ଏକ
ଗୃହେ ନେଇ ତାରେ ଯାଏ ବୋଲି କହେ ସେ ବାଳକ।
ଆସିଥିଲି ମୁହିଁ ଧରିବାକୁ ମାଛ ନଦୀ ଘାଟେ
ବେଶୀ ପଡ଼ିଥିଲେ ବିକିଥାନ୍ତି ନେଇ ତାରେ ହାଟେ।
ଶୁଣି ସେ ବାଳକ କଥା କହେ ସଇନିକ ଏଠି
ମାଛ ସୁଆଦ ମୁଁ ବାରି ନାହିଁ ତିଳେ ରହି ସେଠି।
ଦିଅନ୍ତ ଯଦି ସେ ମାଛ ହୁଅନ୍ତି ମୁଁ ତୋଷ କେତେ
ଶୁଣି ସଇନିକ କଥା ସେ ଦେଲା ମାଛ ତା' ହାତେ।
କ୍ଷଣକେ କହିଲା "ମାଛ ନୁହେଁ ଖାଲି ତୁମ ପାଇଁ
ତବ ଲାଗି ମୋର ଜୀବନ ଦେବାରେ ଭୟ ନାହିଁ।"
ତବ ପରି ନର ପ୍ରିୟ ପରିଜନ କରି ଦୂର
ଦେଶ ରକ୍ଷା ପାଇଁ ଆସ ତୁମେ ଧାଇଁ ହୋଇ ବୀର।
କି ଖରା ବରଷା ବାଆ ବଢି ହିମ ଅବା ଶୀତେ
କେତେ କେତେ କ୍ଳେଶ ସହି ସେଠି ତବ ଦିନ ବିତେ।
ଆପଣା ଜୀବନ କରିଣ ବିପନ୍ନ ତୁମେ କ୍ଳେଶେ
ଜାଗି ଥାଅ ସଦା ଦେଶ ରକ୍ଷା ପାଇଁ ଯୋଦ୍ଧା ବେଶେ।
କହି ଏଇ କଥା ପିଲାଟି ଫେରିଲା ନିଜ ବାସେ
ଗୃହେ ଯାଇ ସବୁ କହିଲା ଘଟଣା ମାଆ ପାଶେ।
ଶୁଣି ପିଲାଟିର ମହାନତା କଥା ମାଆ ତାରେ
କୋଳାଇଲେ ଧରି ଖୁସି ହୋଇ କେଡେ ଶରଧାରେ।
କହିଲେ ଏଭଳି ସେବା ଆଉ ତ୍ୟାଗ ତୋ' ଜୀବନେ
ଭବିଷେ ନିମିଷେ ଭୁଲିବୁନି ଧନ କେବେ ମନେ।
ମାତା ଆଶୀର୍ବାଦ ପାଇ ସେଇ ପିଲା ଏ ଭୁବନେ
କାଳ କାଳ ଯଶ ରଖିଗଲା କେତେ ତା' ଜୀବନେ।
ବଡ଼ ହୋଇ ସେତ ହେଲା ଆମେରିକା ରାଷ୍ଟ୍ରପତି
ଆବ୍ରାହାମ୍ ଲିଙ୍କନ ନାମେ ସେ ଜଗତେ ହେଲା ଖ୍ୟାତି।
