STORYMIRROR

Kabiratna Nutan Kumar Behera

Others

3  

Kabiratna Nutan Kumar Behera

Others

ମଧୁ ମାଳତୀ

ମଧୁ ମାଳତୀ

1 min
183

ମଧୁ ମାଳତୀ ଲୋ ମଧୁ ମାଳତୀ

ତୁ ଏ ମହୀ ମଣ୍ଡଳେ ପୁଣ୍ୟବତୀ ସତୀ

ବସନ୍ତ ସାଥୀରେ ତୋର କି ମଧୁ ପ୍ରୀତି !

ସାରା ଜଗତକୁ ଦେଖାଇ ଦେଉ

ବୁଝାଇ ଦେଉ ତୁ ଏ ଜୀବନ ରୀତି।

ଶ୍ୟାମଳ ଲତାରେ ପେନ୍ଥା ପେନ୍ଥା ତୁ ଫୁଟି

ଶ୍ଵେତ ଗୋଲାପୀ ରଙ୍ଗେ ତୋ ତନୁ

ମହକ ଭରି ଯାଏ ଲୋ ଚହଟି

ପାଖୁଡା଼ ତୋର କି ମନଲୋଭା !

ଦେଖିଲେ ଥରେ ନଜର ଯାଏନା ହଟି।

ଟିକି ଫୁଲଟିଏ ହୋଇ ମଧୁ ମହକେ

ପାଗଳ କରୁ ତୋ ପ୍ରେମେ ଋତୁରାଜକୁ

ରସ ପାନେ ତୋର ମଧୁମକ୍ଷିକା

କେତେ ଦୂରୁ ଛୁଟି ଆସନ୍ତି ତୋ ପାଖକୁ !

ଫଗୁଣେ ତୋ ସଖୀ ସହଚରୀମାନେ

ବାସଙ୍ଗ କାଞ୍ଚନ ମାଧବୀ ଦେଖେ ଯାହାକୁ

ଆଉ ଯେତେ ସବୁ ଥାନ୍ତି ତୋ ପଛକୁ ?

ଶ୍ରୀରାଧାକୃଷ୍ଣଙ୍କ ହୋଇ ତୁ ଗଳା ହାର

ପ୍ରେମର ରାଗକୁ କରୁ ଗଭୀର

ରସେ ନିତ୍ୟ ରାସେ କରୁ ଆତ୍ମ ବିଭୋର 

ପ୍ରେୟସୀ ଗଭାର ଶୋଭା ବଢାଇ

ପ୍ରେମମୟ କରୁ ପ୍ରେମିକ ଜନେ ଅପାର

ମନୋହରି ନେଉ ବେଗେ ତାଙ୍କର।

ଆସିଲେ ନିଦାଘର ତେଜ ପ୍ରବଳ

ମଉଳି ଝାଉଁଳି ନ ଯାଇ ଦିଶୁ ଉଜ୍ଜ୍ଵଳ

ତନୁ ମନ ତୋର ହୁଏନା କେବେ ଦୁର୍ବଳ 

ମହକୁ ଥାଉ ମୃଦୁ ମଳୟରେ ସଞ୍ଜ ସକାଳ

ବିରହୀ ଜନ ମାନସ କରୁ ଶୀତଳ

ତୋ ପ୍ରେମ କି ନିଷ୍ପାପ ପବିତ୍ର ନିର୍ମଳ !

କ୍ଷୁଦ୍ର ତନୁଟିଏ ପାଇ ଜଗତେ ତୁ ନିଆରା

ସବୁ ଗୁଣେ ପରିପୂର୍ଣ୍ଣା ହୋଇ ହସାଉ ଧରା

ତୋର ଅବଦାନ ଲୋ ଅପାଶୋରା 

ପାରୁ ପର୍ଯ୍ୟନ୍ତେ ତୁ ଝରାଉ ପୀୟୂଷ ଧାରା

ମଧୁ ମାସର ସପନ କରୁ ତୁ ପୁରା

ସତରେ ଲୋ ମଧୁ ମାଳତୀ !

ଜମାରୁ ତ କେବେ ଭୁଲି ହୁଏନା 

ତୋ ସଜ ଫୁଟା ହସ ହସ ଚେହେରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍