ମାୟା
ମାୟା
ସତେକି ଏ ଦୁନିଆଟା
ମିଛ ଆଉ ମାୟା!
ମିଛ କିବା ପୁତ୍ରନାତି
ଜନନୀ ଓ ଜାୟା।
ମିଛ କି ଅଟଇ ସତେ
ମାଆର ପଣତ?
ମିଛ କିବା ଅଟେ
ଜାୟା ପ୍ରୀତିର ସଙ୍ଗୀତ?
ନାତିନାତୁଣୀଙ୍କ ହସ
ପୁଅଝିଅ ସେବା,
ଭାଇଭଉଣୀଙ୍କ ସ୍ନେହ
ଭଲ ଯେ ପାଇବା,
ବନ୍ଧୁଙ୍କର ଖୁଦଭଜା
ପ୍ରୀତି ସମ୍ଭାଷଣ,
ସତେ କି ଲାଗେ ଏସବୁ
ମିଥ୍ଯା ଆଚରଣ?
ଯେବେ ଯଶୋଦାପଣତ
ଲାଗିଥାନ୍ତା ସାନ,
ତେଜି ନଥାନ୍ତେ ଶ୍ରୀକୃଷ୍ଣ
ଅନନ୍ତଶୟନ।
ଯଦି ଜାୟାର ସମ୍ପର୍କ
ନଲାଗିଲା ସତ,
କିମ୍ପା ରାମଚନ୍ଦ୍ର ନେଲେ
ଏକପତ୍ନୀ ବ୍ରତ?
ମିଛ ଥିଲେ ସୁଦାମାଙ୍କ
ହାତର ତଣ୍ଡୁଳ,
ଦ୍ଵାରକାପତି କି ତାଙ୍କୁ
କରିଥାନ୍ତେ କୋଳ?
ସ୍ନେହ ଓ ପ୍ରେମରେ ସ୍ଵାର୍ଥ
ବିସ୍ତାରିଲେ କାୟା,
ସଂସାରଟା ସାରା ସବୁ
ଲାଗେ ମିଛମାୟା।
ପାନ କରିବାକୁ ସ୍ରଷ୍ଟା
ସ୍ନେହ ପ୍ରେମ ରସ,
ସମସ୍ତଙ୍କ ହୃଦୟରେ
କରିଛନ୍ତି ବାସ।
ସ୍ନେହରୂପେ ଜନନୀ ସେ
ପ୍ରେମରୂପେ ଜାୟା।
ସେ ଯେବେ ସତ
କିପରି ଦୁନିଆଟା ମାୟା!