ମାଆ ଏକ ବିସ୍ମୟ
ମାଆ ଏକ ବିସ୍ମୟ
ମୁଁ ସେଦିନ ସ୍କୁଲରେ ଥାଏ। ଅପରାହ୍ନ ବେଳକୁ ପ୍ରବଳ ଝଡ ତୋଫାନ ଆରମ୍ଭ ହୋଇଗଲା। ହଠାତ ଧଇଁସଇଁ ହୋଇ ଜଣେ ବୃଦ୍ଧା ନୂଆ ମାଟି ହାଣ୍ଡିଟିଏ ଧରି ପଶି ଆସିଲେ ସ୍କୁଲ ଭିତରକୁ।ମୁଁ ତାଙ୍କୁ ବସିବାକୁ କହିଲି । ତାଙ୍କୁ ପଚାରିଲି, "ମାଉସୀ, ତମେ କୁଆଡେ ଯାଇଥିଲ ଏ ଝଡବର୍ଷାରେ ?"
ମାଉସୀ କହିଲେ ସେଇ ନୂଆ ହାଣ୍ଡିଟି କିଣିବାକୁ ସେ ହାଟକୁ ଯାଇଥିଲେ । ତାଙ୍କ ଗାଆଁ କଥା ପଚାରି ମୁଁ ଏତିକି ଜାଣିଲିଯେ ଏ ବୟସରେ ବି ସେ ପନ୍ଦର କିଲୋମିଟର ରାସ୍ତା ଚାଲି ଚାଲି ହାଟକୁ ଯାଇଛନ୍ତି।ଫେରିବା ବେଳକୁ ଏ ଝଡ ତୋଫାନ ।
ମାଉସୀଙ୍କର ଆଉ କେହି ଅଛନ୍ତି କି ବୋଲି ମୁଁ ପଚାରିବାରୁ ସେ କହିଲେ, "ମୋର ପୁଅ ବୋହୂ ଅଛନ୍ତି, ହେଲେ ସେମାନେ ମୋତେ ଅଲଗା କରି ଦେଇଛନ୍ତି।ମୋ କଥା କିଛି ବୁଝନ୍ତିନି।ମୁଁ ନିଜ କଥା ନିଜେ ବୁଝେ ।ଭାରି କଷ୍ଟରେ ଚଳେ ।" ମାଉସୀଙ୍କ କଷ୍ଟ ମୋତେ ବ୍ୟଥିତ କରି ପକାଇଲା। ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କଲି ତାଙ୍କ କଷ୍ଟ ଲାଘବ ହେଉ ବୋଲି। ତାଙ୍କୁ କିଛି ଟଙ୍କା ଦେଇ ପାଖରେ ରଖିବାକୁ କହିଲି।
କଥା ହେଉ ହେଉ ମୁଁ ମାଉସୀଙ୍କୁ ପଚାରିଲି , "ମାଉସୀ, ଏ ନୂଆ ହାଣ୍ଡି ନେଇ କ'ଣ କରିବ ?"ଏଥର ମାଉସୀଙ୍କ ଉତ୍ତର ମୋତେ ଭାବ ବିହ୍ୱଳ କରିଦେଲା।ମାଉସୀ କହିଲେ ସେ ସେଇ ନୂଆ ହାଣ୍ଡିଟି ପୁଅ ପାଇଁ ନେଉଛନ୍ତି।ସେ ସେଥିରେ ନୂଆଖାଇ ପୂଜା କରିବ।ସେ ଯଦି ପୂଜା ନ କରେ ତେବେ ତା'ର ଅମଙ୍ଗଳ ହେବ ।ମାଆ ହୋଇ ସେ ପୁଅର ଅମଙ୍ଗଳ କେବେ ଦେଖି ପାରିବେନି।
ପୁଅ ମାଆ ପ୍ରତି ଏତେ ନିର୍ଦ୍ଦୟ ହେଲା ପରେ ବି ମାଆର ହୃଦୟ ପୁଅ ପାଇଁ କେତେ ଉଦାର ,କେତେ ଶ୍ରଦ୍ଧାଶୀଳ !
ମୁଁ କେବେ କଳନା କରିପାରେନା ସେ ହୃଦୟ କେଉଁ ଉପାଦାନରେ ଗଢା, ମୁଁ ମାପି ପାରେନା ସେ ହୃଦୟର ବ୍ୟାପକତା ।ମୁଁ କେବଳ ଏତିକି ବୁଝେ ମାଆ ଏକ ବିସ୍ମୟ ଠିକ ଈଶ୍ୱରଙ୍କ ପରି । ସେତ ସ୍ନେହ ମମତାର ଅତଳ ସମୁଦ୍ରଟିଏ।ମମତାରେ ଜୁଡୁବୁଡୁ ତା'ର ସମଗ୍ର ସତ୍ତା।ତା' ସ୍ନେହତ ପୁଣ୍ୟ ଜାହ୍ନବୀର ଜଳ ।ତା' ପଣତ ପୁଣ୍ୟ ନୀଳାଚଳ ନେତ । ସଂସାରର ସବୁ ଗରଳକୁ ପିଇ ମାଆ କେବଳ ଦେଇପାରେ ଅମୃତର ସ୍ପର୍ଶ । ଦୁନିଆର ସବୁ ପୁଅ ଝିଅ ବୁଝନ୍ତେ କି ମାଆର ହୃଦୟକୁ ,ତା' ଅବ୍ୟକ୍ତ ବେଦନାକୁ !