ଲାବଣ୍ୟମୟୀ ମୌସୁମୀ
ଲାବଣ୍ୟମୟୀ ମୌସୁମୀ
ଭାଜି ହୋଇ ଯାଉଥିଲା
ନିଦାଘର ପ୍ରଚଣ୍ଡ ରୌଦ୍ର ତାପରେ
ଧରିତ୍ରୀର କୋମଳ ଧରାପୃଷ୍ଠ
ଶୋଷି ହୋଇ ଶୁଷ୍କ ହେଉଥିଲା
ଯେତେ ଜଳାଶୟର ସଞ୍ଚିତ ଜଳରାଶି
ଝରା ଝାଞ୍ଜିର ଜ୍ବଳନରେ ଜଳି
ସିଝି ଯାଉଥିଲା କଞ୍ଚା ଦେହର ମାଂସ
ସବୁ କିଛିକୁ ଲାଘବ କରିବା ପାଇଁ
ଦିଏ ଶୀତଳତା ସ୍ପର୍ଶ
ସମ୍ଭାବନାର ସବୁଜ ସ୍ବପ୍ନ ଭରି
ଆଖିକୁ କରି ସ୍ବପ୍ନିଳ
ଆସିଛି ଲାବଣ୍ୟମୟୀ ମୌସୁମୀ
ଆଶାର ଆକାଶରେ ଆଙ୍କେ ଚିତ୍ରପଟ
ରୋଷଣି ଜାଳି ବିଜୁଳି କନ୍ୟା
ଲେଖି ଦିଏ ମେଘ ମହ୍ଲାର ମହାକାବ୍ୟ
ବାଜି ଉଠେ ହୃଦୟର ବୀଣା
ତୋଳି ସାତ ସୁରର ଅମୀୟ ଝଙ୍କାର
ସ୍ବାଗତରେ ତାର ବାଜେ ନାଗରା
ଗଗନ ପବନ ଥରାଇ ଦିଏ
ବଜ୍ରନାଦେ ଘଡ଼ଘଡି଼ ଚଡ଼ଚଡି଼
ଓହ୍ଲାଇ ଆସେ ନୃତ୍ୟରତା ବର୍ଷାରାଣୀ
ଛମ୍ ଛମ୍ ନୂପୁରର ମଧୁର ମୂର୍ଚ୍ଛନାରେ
ନାଚେ ଲାବଣ୍ୟମୟୀ ମୌସୁମୀ
ଛନ୍ଦ ତୋଳି ଏ ଭବ ରଙ୍ଗମଞ୍ଚେ
ଦିଏ ଆଷାଢ଼ର ଅସରା ଅସରା ପାଣି
କଳା ଧଳା ଘୋଡାରେ ବୋଝେଇ କରି
ଉଦ୍ଦାମ ବେଗର ଆବେଗରେ
ବୋହି ଆଣେ ଆଶା ଆଶ୍ବାସନା
ତା' ମାଦକତାରେ ବଢିଯାଏ ଉନ୍ମାଦନା
ନୀଳ ନୀଳିମାମୟ ସୁବିଶାଳ ଆକାଶ
ବଦଳାଏ ତାର ରଙ୍ଗ ଘନ ଘନ
ଝଲସେ ସପ୍ତରଙ୍ଗୀ ଇନ୍ଦ୍ରଧନୁ
ଡାଳେ ଡାଳେ ଫୁଟି ହସଇ କଦମ୍ଵ
ଅଙ୍କୁରି ଉଠେ ଅନାବନାର ଯେତେ ଗୁଳ୍ମ
ହସି ହସାଏ ଲାବଣ୍ୟମୟୀ ମୌସୁମୀ
ବଣ ବିଲ ପ୍ରାନ୍ତର ହୁଏ ଜଳମୟ
ନଦୀ ଝରଣା ଗାଆନ୍ତି ଗୀତ
ତାଳେ ତାଳେ ତାର ବେସୁରା ହୋଇ ବି
ଆତ୍ମ ବିଭୋରରେ ଦର୍ଦ୍ଦୁର କରେ ରଡି଼
ଆନନ୍ଦରେ ଧରା ପଡେ ଉଛୁଳି
କେଦାରେ କେଦାରେ ଦୋହଲୁଥାଏ
ପଲ୍ଲବିତ ସବୁଜିମାର ଫସଲ
ଶ୍ୟାମଳ ତରୁ ଲତା ବଢି଼ ହୁଏ ନିଘଞ୍ଚ
କଳା ମେଘର ମହା ଆଡମ୍ଵରରେ
ଉନ୍ମାଦେ ଉନ୍ମାଦିନୀ ମୟୂର ମୟୂରୀ
ବିଚ୍ଛେଦର ବିରହ ବେଦନା କରି ଇତି
ମିଳନରେ ଲଭନ୍ତି ଆତ୍ମତୃପ୍ତି
ପ୍ରିୟ ପାଇଁ ପ୍ରିୟା ସାଜି ଅଭିସାରିକା
ପ୍ରେରଣାରେ ଦିଏ ପ୍ରାଣେ ପୁଲକ ଭରି
ହାସ୍ୟମୟୀ ଲାସ୍ୟମୟୀ ସୁଷମାର
ଏ ଲାବଣ୍ୟମୟୀ ମୌସୁମୀ।
