STORYMIRROR

Kabiratna Nutan Kumar Behera

Others

4  

Kabiratna Nutan Kumar Behera

Others

ଲାବଣ୍ୟମୟୀ ମୌସୁମୀ

ଲାବଣ୍ୟମୟୀ ମୌସୁମୀ

1 min
229

    

ଭାଜି ହୋଇ ଯାଉଥିଲା

ନିଦାଘର ପ୍ରଚଣ୍ଡ ରୌଦ୍ର ତାପରେ

ଧରିତ୍ରୀର କୋମଳ ଧରାପୃଷ୍ଠ

ଶୋଷି ହୋଇ ଶୁଷ୍କ ହେଉଥିଲା

ଯେତେ ଜଳାଶୟର ସଞ୍ଚିତ ଜଳରାଶି

ଝରା ଝାଞ୍ଜିର ଜ୍ବଳନରେ ଜଳି

ସିଝି ଯାଉଥିଲା କଞ୍ଚା ଦେହର ମାଂସ

ସବୁ କିଛିକୁ ଲାଘବ କରିବା ପାଇଁ

ଦିଏ ଶୀତଳତା ସ୍ପର୍ଶ

ସମ୍ଭାବନାର ସବୁଜ ସ୍ବପ୍ନ ଭରି

ଆଖିକୁ କରି ସ୍ବପ୍ନିଳ

ଆସିଛି ଲାବଣ୍ୟମୟୀ ମୌସୁମୀ

ଆଶାର ଆକାଶରେ ଆଙ୍କେ ଚିତ୍ରପଟ

ରୋଷଣି ଜାଳି ବିଜୁଳି କନ୍ୟା

ଲେଖି ଦିଏ ମେଘ ମହ୍ଲାର ମହାକାବ୍ୟ

ବାଜି ଉଠେ ହୃଦୟର ବୀଣା

ତୋଳି ସାତ ସୁରର ଅମୀୟ ଝଙ୍କାର

ସ୍ବାଗତରେ ତାର ବାଜେ ନାଗରା

ଗଗନ ପବନ ଥରାଇ ଦିଏ 

ବଜ୍ରନାଦେ ଘଡ଼ଘଡି଼ ଚଡ଼ଚଡି଼

ଓହ୍ଲାଇ ଆସେ ନୃତ୍ୟରତା ବର୍ଷାରାଣୀ

ଛମ୍ ଛମ୍ ନୂପୁରର ମଧୁର ମୂର୍ଚ୍ଛନାରେ

ନାଚେ ଲାବଣ୍ୟମୟୀ ମୌସୁମୀ

ଛନ୍ଦ ତୋଳି ଏ ଭବ ରଙ୍ଗମଞ୍ଚେ

ଦିଏ ଆଷାଢ଼ର ଅସରା ଅସରା ପାଣି

କଳା ଧଳା ଘୋଡାରେ ବୋଝେଇ କରି

ଉଦ୍ଦାମ ବେଗର ଆବେଗରେ

ବୋହି ଆଣେ ଆଶା ଆଶ୍ବାସନା

ତା' ମାଦକତାରେ ବଢିଯାଏ ଉନ୍ମାଦନା

ନୀଳ ନୀଳିମାମୟ ସୁବିଶାଳ ଆକାଶ

ବଦଳାଏ ତାର ରଙ୍ଗ ଘନ ଘନ

ଝଲସେ ସପ୍ତରଙ୍ଗୀ ଇନ୍ଦ୍ରଧନୁ

ଡାଳେ ଡାଳେ ଫୁଟି ହସଇ କଦମ୍ଵ

ଅଙ୍କୁରି ଉଠେ ଅନାବନାର ଯେତେ ଗୁଳ୍ମ

ହସି ହସାଏ ଲାବଣ୍ୟମୟୀ ମୌସୁମୀ

ବଣ ବିଲ ପ୍ରାନ୍ତର ହୁଏ ଜଳମୟ

ନଦୀ ଝରଣା ଗାଆନ୍ତି ଗୀତ

ତାଳେ ତାଳେ ତାର ବେସୁରା ହୋଇ ବି

ଆତ୍ମ ବିଭୋରରେ ଦର୍ଦ୍ଦୁର କରେ ରଡି଼

ଆନନ୍ଦରେ ଧରା ପଡେ ଉଛୁଳି

କେଦାରେ କେଦାରେ ଦୋହଲୁଥାଏ

ପଲ୍ଲବିତ ସବୁଜିମାର ଫସଲ

ଶ୍ୟାମଳ ତରୁ ଲତା ବଢି଼ ହୁଏ ନିଘଞ୍ଚ

କଳା ମେଘର ମହା ଆଡମ୍ଵରରେ

ଉନ୍ମାଦେ ଉନ୍ମାଦିନୀ ମୟୂର ମୟୂରୀ

ବିଚ୍ଛେଦର ବିରହ ବେଦନା କରି ଇତି

ମିଳନରେ ଲଭନ୍ତି ଆତ୍ମତୃପ୍ତି

ପ୍ରିୟ ପାଇଁ ପ୍ରିୟା ସାଜି ଅଭିସାରିକା

ପ୍ରେରଣାରେ ଦିଏ ପ୍ରାଣେ ପୁଲକ ଭରି

ହାସ୍ୟମୟୀ ଲାସ୍ୟମୟୀ ସୁଷମାର

ଏ ଲାବଣ୍ୟମୟୀ ମୌସୁମୀ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍