STORYMIRROR

Sudhir Kumar Panda

Others

3.5  

Sudhir Kumar Panda

Others

କୃଷ୍ଣ ହେବା ସହଜ ନଥିଲା

କୃଷ୍ଣ ହେବା ସହଜ ନଥିଲା

3 mins
948



(୧)


ଝଡ଼ର ସେ ଅମାରାତି, ଅମାପ ଅନ୍ଧାର

ଅମାବାସ୍ୟା ରାତ୍ରି ଥିଲା ଦ୍ବିତୀୟ ପ୍ରହରଥ

ଭୟର ବାତାବରଣ, ମୃତ୍ୟୁର ଝଙ୍କାର

ଏହିଭଳି ଭୀତି କ୍ଷଣେ ଜନମ ମୋହର

ସତ କୁହ ଏହା କ'ଣ ଶୁଭ ଘଡି ଥିଲା ?

ଜାଣ, କୃଷ୍ଣ ହେବା ସହଜ ନଥିଲା।


(୨)


ବାପା ମା ଯା ସଢୁଥିଲେ ବନ୍ଦ କାରାଗାରେ

ମାମୁଁଙ୍କର ଅତ୍ୟାଚାର ସହୁଥିଲେ ଧିରେ

ସାତ ସାତ ଭଉଣୀର ଶିଶୁ ହତ୍ୟା ପରେ

କେମିତି ରହିବ କେଉଁ ଭାଇ ତ କୁହରେ

ମୋ ଅନ୍ତରେ ଭିତରେ ତ ନିଆଁ ଜଳୁଥିଲା !

ଜାଣେ, କୃଷ୍ଣ ହେବା ସହଜ ନଥିଲା।


(୩)


ସମୟର ସୁବିଧାରେ ବନ୍ଦୀ ମୁକୁଳିଲା

ମାୟାର ପ୍ରଭାବ ମୋତେ ଦେଶାନ୍ତର କଲା

ଜନ୍ମ କଲା ବାପା ମାଆ ଜନ୍ମରୁ ଛାଡିଲି

ଅନ୍ୟ ପିତା ମାତା ସ୍ନେହେ ଯଦିଓ ବଢିଲି

ଜନ୍ମଦାତା ଜନ୍ମଦାତ୍ରୀ ସୁଖ ନ ମିଳିଲା

ଶୁଣ, କୃଷ୍ଣ ହେବା ସହଜ ନଥିଲା।


(୪)


ଭାଗ୍ୟର ବଳରେ ଆସି ଗୋପରେ ବଢିଲି

ମାଟି, ମାଆ ମମତା ଋଣ ଶୁଝିବି ଭାବିଲି

ମନର ଭିତର ଦୁଃଖ ମନରେ ମାରିଲି

ନିଜେ ହସି ଗୋପପୁର ସାରା ହସାଇଲି

ଏଡିକି ବକଟେ ପିଲା କେତେ ବିଚାରିଲା

ଦେଖ, କୃଷ୍ଣ ହେବା ସହଜ ନଥିଲା।


(୫)


ଗୋପ ଦାଣ୍ଡ, ସାଙ୍ଗ ମେଳ, ଯେତେ ଧୂଳି ଖେଳ

ଗୋପ ନାରୀ ମାନଙ୍କର ସ୍ନେହ ଅନାବିଳ

ସ୍ନେହ ଗାଳି ଶୁଣିବାକୁ ଲବଣୀର ଚୋରୀ

ସତ ମୋତେ ସେହି ଗାଳି ଲାଗେ ଭଲ ଭାରି

ସତ କହେ, ସେନେହର ଭାରି ମୁଁ ଭୋକିଲା

ଧନ, କୃଷ୍ଣ ହେବା ସହଜ ନଥିଲା।


(୬)


ଦ୍ବୈପାୟନ ଶିକ୍ଷା ମୋତେ ଦେଇଥିଲେ ଯେତେ

ପ୍ରବଳ ନିଷ୍ଠା ଅଭ୍ୟାସେ ରଖିଲି ଆୟତ୍ତେ

ସ୍ୱାବଲମ୍ବୀ ସ୍ବାଧ୍ୟାୟରେ ଧେନୁ ଚରାଇଲି

ସାହସ ବିକ୍ରମ ନେଇ ବଣରେ ବୁଲିଲି

ପରାକ୍ରମ ପ୍ରଦର୍ଶନେ କେତେ ଅସୁର ମରିଲା

ପ୍ରୀୟ, କୃଷ୍ଣ ହେବା ସହଜ ନଥିଲା।


(୭)


ସକାଳରୁ ସଞ୍ଜ ଯାଏଁ ବେଳ ରତରତ

ଯମୁନା ନଦୀର ତୀରେ ଯେବେ ମୁଁ ଏକାନ୍ତ

ବଂଶୀ ଟିଏ ଧରି ସୂର କରିଲି ଅଭ୍ୟାସ

ପ୍ରକୃତିର ଯେତେ ପ୍ରାଣୀ ହେଲେ ତାହା ବଶ

ବଂଶୀ ସ୍ବନେ ଗୋପୀ ମନ ମୋହିତ ହୋଇଲା

ରାଧେ, କୃଷ୍ଣ ହେବା ସହଜ ନଥିଲା।


(୮)


ଆହ୍ଲାଦିନି ରାଧିକା ମୋ ଥିଲେ ପ୍ରାଣସମ

ଏକକୁ ଆରେକ ବିନା ଲାଗଇ ବିଷମ

ଏହି କିଛି କ୍ଷଣ ମୋର ଆନନ୍ଦର ଥିଲା

ଅଧିକ ଦିନର ସୁଖ ବିହି ନ ସହିଲା

ଅକୃର ଚିଟାଉ ଆସି କାଳ ସାଜିଗଲା

ବନ୍ଧୁ, କୃଷ୍ଣ ହେବା ସହଜ ନଥିଲା।


(୯)


ମଥୁରା ଗଲି ଯେ ଆଉ ଫେରି ମୁଁ ଚାହିଁନି

ଗୋପବାଳା, ସାଥି, ରାଧା କା'କଥା ବୁଝିନି

କେତେ ଯେ ସରାଗ, ପ୍ରେମ, ମାନ ଅଭିମାନ

ହତଭାଗା ପାରିଲିନି ଦେଇ ପ୍ରତିଦାନ

ମନର ସପନ ଯେତେ ମନରେ ବୁଡିଲା

ଉଦ୍ଧବ, କୃଷ୍ଣ ହେବା ସହଜ ନଥିଲା।


(୧୦)

ମାତୁଳ ଗୃହ ଯାଆନ୍ତି ସ୍ନେହ ଶ୍ରଦ୍ଧା ପାଇଁ

ମୋତେ କିନ୍ତୁ ଡାକିଥିଲା ଛଳ ଓ ବଡାଇ

ଗର୍ବ, ଦର୍ପ ଅହଂକାର ସବୁ ସବୁ ହେଲା ଶେଷ

ଯେତେବେଳେ କଲି ଦୁଷ୍ଟ କଂସର ବିନାଶ

ପିତୃ ରାଜ୍ୟ,ରାଜ୍ୟେ ଶାନ୍ତି ଫେରି ତ ଆସିଲା

ବାପା, କୃଷ୍ଣ ହେବା ସହଜ ନଥିଲା।



(୧୧)


ପାର୍ଥ, ପାଣ୍ଡବ,ପାଞ୍ଚାଳୀ ସମସ୍ତଙ୍କ ପାଇଁ

ଅନାବିଳ ଉଦାତ୍ତ ମୋ ପ୍ରେମ ଭରିଥାଇଁ

ପ୍ରୀତି ପୂର୍ଣ୍ଣ ଖଣ୍ଡେ କନା, କାଣିଚାଏ ଦାନା

ଶତ ଗୁଣେ ଫେରାଇଲି, କରିନାହିଁ ଉଣା

ଦାୟିତ୍ବରେ ନେଲି ସଖୀ ସେ କେଶ ମୁକୁଳା

କୃଷ୍ଣା, କୃଷ୍ଣ ହେବା ସହଜ ନଥିଲା।


( ୧୨)


ବିନା ଯୁଦ୍ଧେ ଇଞ୍ଚେ ମାଟି ନ ଦେବାର ପଣ

କୌରବ ଅହଂ ବିନାଶ କଲା ଆମନ୍ତ୍ରଣ

ପଞ୍ଚୁ ପାଣ୍ଡବଙ୍କ ଧର୍ମ ସଙ୍ଗେ ଛନ୍ଦବଦ୍ଧ

କେତେ ଯେ ଦୁରୂହ ଥିଲା କୁରୁକ୍ଷେତ୍ର ଯୁଦ୍ଧ

ଅଧର୍ମର ହାର ହୋଇ ଧର୍ମ ଜିତିଗଲା

ଯୋଦ୍ଧା, କୃଷ୍ଣ ହେବା ସହଜ ନଥିଲା।


( ୧୩ )


ଯୁଦ୍ଧର ପ୍ରାରମ୍ଭ ବେଳେ ଏ କି କଲ ପାର୍ଥ,

ଗାଣ୍ଡିବକୁ ତଳେ ଥୋଇ କରିଲ ଅନର୍ଥ

ସଂଶୟକୁ ବିଶ୍ୱ ରୂପ ଦେଖାଇ ଫେଡିଲି

ଭଗବତ୍ ଗୀତା ଜ୍ଞାନ ମୁଖୁଁ ବିସ୍ତାରିଲି

ସେହି ଜ୍ଞାନ ଯୁଗେ ଯୁଗେ ସର୍ବୋଚ୍ଚ ରହିଲା

ଫାଲ୍ଗୁନୀ, କୃଷ୍ଣ ହେବା ସହଜ ନଥିଲା।


( ୧୪)


ଯୁଦ୍ଧାନ୍ତେ ହସ୍ତିନା ଦେଇ, ଦ୍ବାରୀକା ଚାଲଲି

ରାଜ୍ୟ ଭାର କିଛିଦିନ ସୁଖେ ଚଳାଇଲି

ମଦମତ୍ତ ହେଲେ ଯେବେ ବଂଶଜ ମୋହର

ସ୍ବହସ୍ତେ ନାଶିଲି ବଂଶ, ଥିଲା କଷ୍ଟକର।

ଶାମ୍ବର ବାଚାଳତା ଯେ ଅଭିଶାପ ହେଲା

ବନ୍ଧୁ, କୃଷ୍ଣ ହେବା ସହଜ ନଥିଲା।


( ୧୫ )


ସମୟର ଅସ୍ତରାଗେ ଅତ୍ୟନ୍ତ ଏକାନ୍ତ

ମାନସ ନୟନୁ ବହେ ଅଶ୍ରୁ ଅବିଶ୍ରାନ୍ତ

ଶିଆଳ ଲତାର ଝୁଲା ଝୁଲି ଭାବୁଥିଲି

ଗାନ୍ଧାରୀର ଅଭିଶାପ ଫଳୁ ଆଜି ବୋଲି

ଅଭିଶପ୍ତ ଲୌହ ତୀର ପଦ୍ମେ ଭେଦିଗଲା

ଜରା, କୃଷ୍ଣ ହେବା ସହଜ ନଥିଲା।


ନିବେଦନ : © : ସୁଧିର କୁମାର ପଣ୍ଡା, ବ୍ରହ୍ମପୁର


Rate this content
Log in