କର୍ମଯୋଗୀ
କର୍ମଯୋଗୀ
1 min
102
ଫୁଲେ ଫୁଲେ ଯେବେ
ଘୁରି ବୁଲୁ ଥାଏ
ପରଜାପତି କି ଜାଣେ
ପରାଗରେଣୁକୁ
ପାଦେ ବୋହି ନେଇ
ନୂତନ ସୃଜନ ଆଣେ।
ଗୁଣ୍ଡୁଚି ମୂଷାଟି
ଫଳ ବୋହି ନେଇ
ମାଟିରେ ଲୁଚାଇ ଥାଏ
ସିଏ କିବା ଜାଣେ
ଏହି ଛୋଟ କାମ
ସୃଷ୍ଟିକୁ ଭିଆଇ ଥାଏ।
ସ୍ବାତୀ ନକ୍ଷତ୍ରରେ
ଜଳ ବୁନ୍ଦାଟିଏ
ସମୁଦ୍ର ଉପରେ ପଡେ
ସେଇ ଏକ ବିନ୍ଦୁ
ଶାମୁକା ପେଟରେ
ସୁନ୍ଦର ମୁକ୍ତାଟେ ଗଢେ।
ସାହିତ୍ୟିକଟିଏ
ଚେତନାକୁ ନେଇ
ଶବ୍ଦର ବିନ୍ଧାଣୀ ହୁଏ
ପୁରସ୍କାର ପାଇଁ
ନଥାଏ ତା ଲୋଭ
କୃତୀ ନିଦର୍ଶନ ଦିଏ ।
କର୍ମ ଯୋଗୀଟିଏ
କର୍ମ କରିଯାଏ
ଫଳର କାମନା ନାହିଁ
ଅକର୍ମା ଯେତେକ
ଲୋଭ ଓ ଈର୍ଷାରେ
ହେଉଥାନ୍ତ ହାଇଁପାଇଁ।
କର୍ମ କରିଗଲେ
ଫଳ ତ ମିଳିବ
ଏ କଥା ଅବଶମ୍ଭାବୀ
କର୍ମଯୋଗୀ ହୁଅ
କର୍ମ କରିଯାଅ
ଫଳର କଥା ନ ଭାବି।
© ସୁଧିର କୁମାର ପଣ୍ଡା ,ବ୍ରହ୍ମପୁର 9337782912
