କୋଡିଏର ନିଆରା ରଥ
କୋଡିଏର ନିଆରା ରଥ
କୋଡିଏ ମସିହା ଏମିତି ବର୍ଷ
ଲୁଟିନେଲା ସବୁ ଓଠରୁ ହସ ।
କରୋନା ରୋଗକୁ ଜନମ ଦେଲା
ଛୁଇଁଦେଲେ ରୋଗ ଡେଇଁ ଆସିଲା ।
ସାରା ଦୁନିଆ ତ ହେଲା ଅଥୟ
ଗହଳ ଚହଳ ଲାଗିଲା ଭୟ ।
ଉଚ୍ଚ ନ୍ୟାୟାଳୟ ସେଇଥିପାଇଁ
ଘୋଷଣା କରିଲେ ବିନୟ ହୋଇ ,
ଦିବ୍ୟ ରଥଯାତ୍ରା ହୋଇବ ନାହିଁ
ବୁଲି ଯିବେ ନାହିଁ ଭଉଣୀ ଭାଇ ।
ଭକତେ କାନ୍ଦିଲେ ଫଟାଇ କଣ୍ଠ
ରଥ ନ ଗଡିଲେ ସବୁ ବିଭ୍ରାଟ ।
ସବୁରି ଆଖିରେ ଆଖିଏ ଲୁହ
ଭବ ସାଗରରେ ଭାବର କୋହ ।
ନ୍ୟାୟାଳୟ ଙ୍କୁ ତ କଲେ ମିନତି
ଆକଟ ନହେଉ ପ୍ରଭୁଙ୍କ ନୀତି ।
ଆଶା ଆଶଙ୍କାରେ ହେଲା ହିସାବ
ସତେ ତିନିରଥ ଦାଣ୍ଡେ ଗଡିବ !
ଶରଧାବାଲିରେ ରଥ ଲାଗିବ
ଆଡପ ମଣ୍ଡପେ ରାହାସ ହେବ !
ହଠାତ୍ ହୋଇଲା ନିଷ୍ପତ୍ତି ସେ ତ
ହେବ ପ୍ରଭୁଙ୍କର ଗୁଣ୍ଡିଚା ଯାତ
ଶୂନ୍ୟ ବଡ ଦାଣ୍ଡ ନଥିବେ ଭକ୍ତ
ଗଡିଗଡି ଯିବ ପ୍ରଭୁଙ୍କ ରଥ
ସେବକ ଟାଣିବେ ରଥ ଦଉଡି
ବଡଦାଣ୍ଡେ ଯିବେ ରଥ ଯେ ଗଡି
ଚର୍ମ ଚକ୍ଷୁ ନୁହେଁ ଦୂରଦର୍ଶନ
ଭକତଙ୍କୁ ଦିଅଁ ଦେବେ ଦର୍ଶନ ।
କରୋନା କୋପରେ ଉଚ୍ଛନ୍ନ ଧରା
ଆଷାଢ଼ରେ ଏଣେ ଅସହ୍ୟ ଖରା ।
ହାତରେ ସମୟ ଗୋଟିଏ ରାତି
ସଭିଙ୍କ ମନରେ କରୋଣା ଭିତି ।
ତଥାପି ଏହାକୁ ଆହ୍ୱାନ ମଣି
ଦୂରଦର୍ଶନର କୁଶଳୀ କର୍ମୀ ।
ମହାପ୍ରଭୁଙ୍କର ନାମକୁ ଗାଇ
ନୀଳାଚଳ ଧାମେ ଗଲେ ଆଗେଇ ।
ପ୍ରସାରଣ ହେଲେ ପ୍ରଭୁଙ୍କ ଲିଳା
ଦୂରଦର୍ଶନରେ ବିଶ୍ୱ ଦେଖିଲା ।
ଭଲାରେ କାଳିଆ ଭଲା ତୋ ମାୟା
ବୁଝିବ କାହୁଁ ଏ ଅଧମ ବାୟା ।
ଦୂରଦର୍ଶନରେ ମୋ ଶେଷ ବର୍ଷ
ରଥ ପରେ ହେଲା ଚାକିରୀ ଶେଷ ।
ଶେଷ ବରଷରେ ଶେଷ ଗୁଣ୍ଡିଚା
ଲୀଳାମୟ କଲେ ପୂରଣ ଇଚ୍ଛା ।
ରଥଯାତ୍ରାରେ ମୁଁ କାମ କରିଲି
ରଥପରେ ଅବସର ମୁଁ ନେଲି ।
ନିଜକୁ ମଣିଲି ମୁଁ ଭାଗ୍ୟବାନ
ପାଖରୁ ଦେଖିଲି ଚକାନୟନ ।
ନିଆରା ଗୁଣ୍ଡିଚା ଲୀଳା ଅପାର
ଧନ୍ୟ ହେଲା ଏଇ ଜୀବନ ମୋର ।
କୋଡିଏର ଏହି ନିଆରା ଯାତ
ସେବକମାନେତ ଟାଣିଲେ ରଥ ।
ସ୍ନାନ ପୂର୍ଣ୍ଣିମାରୁ ସୁନା ବେଶ ତ
ନଥିଲା ଗହଳି ନଥିଲେ ଭକ୍ତ ।
ପ୍ରଭୁଙ୍କୁ ଖୁସିରେ ଦେଖିଲା ନେତ୍ର
ପୂର୍ଣ୍ଣ ହୋଇଗଲା ଜୀବନ ପାତ୍ର ।
ରଥପରେ ହେଲା ଷାଠିଏ ବର୍ଷ
ଚାକିରୀ ଜୀବନ ହୋଲା ମୋ ଶେଷ ।
ମହାପ୍ରଭୁଙ୍କୁ ମୁଁ ପ୍ରଣାମ କଲି
ରଥଯାତ୍ରା ପାଇଁ କୃତଜ୍ଞ ହେଲି ।
କରୁଣାମୟ ତ କରୁଣା କଲେ
ସେବା ପାଇଁ ଶେଷେ ସୁଯୋଗ ଦେଲେ ।
କୋଡିଏରେ ଗଡି ନଥିଲେ ରଥ
ଭାବିଥାନ୍ତି ହେଲା ଜୀବନ ବ୍ୟର୍ଥ ।
ଅବସର ନେଲି ମୁଁ ରଥ ପରେ
ଲେଖାଲେଖିରେ ମୋ ସମୟ ସରେ ।
କରିବାକୁ ପରା ପ୍ରଭୁଙ୍କ ସେବା
ସୁଯୋଗ ମିଳିବ ଆଉ କାହୁଁବା !